ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ନିର୍ଦେଶନାମା, ଆସନ୍ତାକାଲିଠୁ ସମସ୍ତ ଗ୍ରୁପ ‘ଏ’ ଅଧିକାରୀ ଅଫିସ୍ ଆସିବେ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ଅଫିସର କାର୍ଯ୍ୟ ପରିଚାଳନା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ନିର୍ଦେଶନାମା ଜାରି ହୋଇଛି। ତାହା ଅନୁଯାୟୀ, ଆସନ୍ତାକାଲିଠୁ ସମସ୍ତ ‘ଏ’ ଗ୍ରେଡ୍‌ ଅଧିକାରୀ ଅଫିସ୍ ଆସିବେ। ‘ବି’, ‘ସି’ ଓ ‘ଡି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍‌ ଆସିବେ। କେବଳ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଅନ୍ୟ ସବୁ ଜିଲ୍ଲାରେ ସମସ୍ତ କର୍ମଚାରୀ ଅଫିସ୍‌ ଆସିବେ। ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି। ବିଭାଗର ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।
ଅପରପକ୍ଷରେ ଆସନ୍ତା ୨୦ ତାରିଖରୁ ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍‌ରେଜିଷ୍ଟର ଅଫିସ୍‌ରୁ କାମ କରିବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ, ବାଲି ଘାଟ, କ୍ରସର ୟୁନିଟ୍‌ ଓ ପଥର ଖଣିରେ ବି ୨୦ ତାରିଖରୁ ନିର୍ମାଣ କାମ ଚାଲିବ।

ତାଲାବନ୍ଦ ଅବଧି ସମୟରେ ସରକାରୀ ସେବା ଯେପରି ଅତି ମାତ୍ରାରେ ବ୍ୟାହତ ନ ହେବ, ସେଥିପାଇଁ ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଚାଲିଛନ୍ତି। ଆସନ୍ତା ୨୦ ତାରିଖଠାରୁ ସବୁ ବିଭାଗର ଗ୍ରୁପ୍‌-ଏ ବର୍ଗର ଅଧିକାରୀମାନେ ଅଫିସ୍‌ ଆସିବେ। ଏହାସହିତ ଅତି ଜରୁରୀ ଓ ଆଂଶିକ ଜରୁରୀ ବିଭାଗର ଗ୍ରୁପ୍‌-ବି, ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି ଅଧିକାରୀଙ୍କ ପାଇଁ ରୋଷ୍ଟର୍‌ ବ୍ୟବସ୍ଥା ଲାଗୁ କରାଯିବ। ଏ ନେଇ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମାକୁ ବଦଳାଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ସାନି ପରିବର୍ତ୍ତିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

କରୋନା ସଂକ୍ରମଣକୁ ପ୍ରତିହତପାଇଁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ସରକାର ପୂର୍ବରୁ ୧୧ଟି ବିଭାଗକୁ ଅତି ଜରୁରୀ, ୧୩ଟି ଆଂଶିକ ଜରୁରୀ ଓ ୧୭ଟି ଅଣ ଜରୁରୀ ବିଭାଗରେ ବିଭକ୍ତ କରିଥିଲେ। ଅତି ଜରୁରୀ ବିଭାଗର ସମସ୍ତ କର୍ମଚାରୀ ଦୈନିକ ଅଫିସ ଆସୁଥିବା ବେଳେ ଆଂଶିକ ଜରୁରୀ ବିଭାଗରେ ୧୦% ଓ ଅଣ ଜରୁରୀ ବିଭାଗର କର୍ମଚାରୀମାନେ ଆଦୌ ଅଫିସ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସରକାରଙ୍କ ସାନି ନିଷ୍ପତ୍ତି ଅନୁଯାୟୀ, ଅଣ ଜରୁରୀ ବିଭାଗକୁ ହଟାଇ ଦିଆଯାଇଛି। ଅତି ଜରୁରୀ ବିଭାଗଗୁଡ଼ିକ ଅପରିବର୍ତ୍ତିତ ରହିଥିବା ବେଳେ ଓ ୩୦ଟି ବିଭାଗକୁ ଆଂଶିକ ଜରୁରୀ ବର୍ଗରେ ସାମିଲ କରାଯାଇଛି।

ନିର୍ଦେଶନାମା ଅନୁଯାୟୀ କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ ଓ ଇଏସ୍‌ଆଇ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରୁପ୍‌-ବି, ସି ଓ ଡି ବର୍ଗର ଅଧିକାରୀମାନେ ରୋଷ୍ଟର୍‌ ଆଧାରରେ ୫୦% ଅଫିସ୍‌ ଆସିବେ। ସେହିପରି ଆଂଶିକ ଜରୁରୀ ବିଭାଗ ଅଧୀନରେ ଆସୁଥିବା ଏହିସବୁ ବର୍ଗର ଅଧିକାରୀମାନେ ରୋଷ୍ଟର୍‌ ଆଧାରରେ ୩୩% ଅଫିସ ଆସିବେ।

ସମ୍ବନ୍ଧିତ ଖବର