ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଡ଼ାରେ ସଂଘବଦ୍ଧ ଆକ୍ରମଣ: ପୁଅ ମୃତ, ବାପା ଗୁରୁତର 

ଯୋଡ଼ା: ଗତକ।ଲି ରାତିରେ କେନ୍ଦୁଝର ଜିଲ୍ଲାର ଯୋଡ଼ାସ୍ଥିତ ବାଚୁ ହଟିଂ ତାରିଣୀ ସାହିରେ ଘଟିଛି ଏକ ହତ୍ୟାକାଣ୍ଡ। ନେପାଳ ତନ୍ତୀ (୨୨) ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଯୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବଡ଼ବିଲ ଏସଡିପିଓ ହିମାଂଶୁ ଭୂଷଣ ବେହେରା ମଧ୍ୟ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ମୃତକର ବାପା, ଆହତ ନଗେନ୍ଦ୍ର ତନ୍ତୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକର ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି କୌଣସି କାରଣକୁ ନେଇ ସ୍ଥାନୀୟ କ୍ଲବ ପିଲାଙ୍କ ସହ ନେପାଳର ଗଣ୍ଡଗୋଳ ହୋଇଥିଲା। ସନ୍ଧ୍ୟାରେ ୨୦ରୁ ଅଧିକ କ୍ଲବ ପିଲା ନେପାଳଙ୍କ ଘରକୁ ଆସି ତା’କୁ ଖୋଜିଥିଲେ। ତେବେ ନେପାଳକୁ ନପାଇ ତା’ର ବାପା ନଗେନ୍ଦ୍ରଙ୍କୁ ବଳପୂର୍ବକ ଉଠାଇ କ୍ଲବ ଘରକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ। ତେବେ ବିଳମ୍ବିତ ରାତିରେ ନଗେନ୍ଦ୍ରକୁ ସେମାନେ ଛାଡ଼ିଦେଇଥିଲ । ପରେ ନେପାଳକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା।

ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନେପାଳ ହେମାଲତା କାରୁଆଙ୍କ ଘର ପାଖରେ ପହଞ୍ଚିଥିଲା। ସେଠାରେ ହେମାଲତା ତାଙ୍କୁ ପାଣି ତୋରାଣୀ ଦେବା ସହ ଶୋଇବା ପାଇଁ ଚଦର ବିଛଣା ଦେଇଥିଲେ। ତେବେ ସକାଳ ହେଲା ବେଳକୁ ତା’ର ମୃତ୍ୟୁ ଘଟିଥିଲା ବୋଲି ହେମଲତା କହିଛନ୍ତି। ଏହି ହତ୍ୟାକାଣ୍ଡରେ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଯୋଡ଼ା ପୁଲିସ୍ ଛନାଭିନ ଚଳାଇଛି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର