ରାଉରକେଲା ମାଲଗୋଦାମରେ ଯୁବକଙ୍କୁ ଗୁଳିମାଡ

ବସ୍ତିରେ ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ

ରାଉରକେଲା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ବସ୍ତିରେ ଗୁଳି ଫୁଟିଛି। ପରବେଜ ଗୁଳିମାଡରେ ରୋହିତ ପଟ୍ଟନାୟକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବାମ ହାତରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ରାଜୁ ନାମକ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ଗୁଳିକାଣ୍ଡ ପରେ ପରବେଜ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଉଦିତନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ହସ୍ପିଟାଲରେ ପହଞ୍ଚି ରୋହିତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। ଫେରାର ଅଭିଯୁକ୍ତ ପରବେଜକୁ ଗିରଫ ଦାବିରେ ମାଲଗୋଦାମ ସର୍ଦ୍ଦାର ବସ୍ତିର ଜିଦ୍ ଧରିବାରୁ ବସ୍ତିରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ମିଳିଥିବା ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଲଗୋଦାମ ସର୍ଦ୍ଦାର ବସ୍ତି ଓ ମୁସଲିମ ବସ୍ତିର କିଛି ଯୁବକଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ମୁସଲିମ ବସ୍ତିର ପରବେଜ ଓରଫ ସଦ୍ଦାମ ସର୍ଦ୍ଦାର ବସ୍ତିର ଏଭଳି କାମ କରୁଥିବା ସନ୍ଦେହ କରି ରୋହିତକୁ ଟାର୍ଗେଟ କରିଥିଲା। ଆଜି ରାତି ପ୍ରାୟ ସାଢ଼େ ୭ଟାରେ ପୂର୍ବ କଥାକୁ କେନ୍ଦ୍ରକରି ରୋହିତ ଓ ପରବେଜ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପରବେଜ ରୋହିତ ଉପରକୁ ଗୁଳି କରିଥିଲା। ପ୍ରଥମ ରାଉଣ୍ଡ ଗୁଳି ରୋହିତର ବାମ ହାତରେ ବାଜିଥିଲା। ଦ୍ବିତୀୟ ରାଉଣ୍ଡ ଗୁଳି ରୋହିତ ନିକଟରେ ଛିଡା ହୋଇଥିବା ରାଜୁ ଦେହରେ ବାଜି ବାହାରି ଯାଇଥିଲା। ଫଳରେ ରାଜୁ ମଧ୍ୟ ଆହତ ହୋଇଥିଲ‌ା। ଦୁହେଁ ପାଟି କରିବାରୁ ପରବେଜ ସେଠାରୁ ଫେରାର ହୋଇଯାଇଥିଲା। ପରବେଜ ସହ ଅନ୍ୟ କେଉଁମାନେ ଥିଲେ ? ସେମାନେ ମୋଟରବାଇକ୍ ନା ଚାଲି ଚାଲି ଆସିଥିଲେ ଏ ସଂକ୍ରାନ୍ତରେ କିଛି ଜଣାପଡି ନାହିଁ। ପୁଲିସ ସ୍ଥାନୀୟ ଲୋକଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର