କଟକ: କଟକ ସିଟି କଲେଜରେ ଯୁକ୍ତ୨ ଓ ଯୁକ୍ତ ୩ କଲେଜ ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଉଭୟ ପକ୍ଷ କଲେଜ ପରିସରରେ ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ବାଦାମବାଡ଼ି ଥାନାରେ ଏ ସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଗଣ୍ଡଗୋଳ ପଛରେ ବ୍ଲାକ୍‌ ବ୍ରଦର୍ସ ଗ୍ୟାଙ୍ଗ୍‌ ସଂପୃକ୍ତ ଥିବା କୁହାଯାଉଛି। କିଛି ଛାତ୍ର ଓ ଅଣଛାତ୍ରଙ୍କୁ ନେଇ ମୁଣ୍ଡ ଟେକିଥିବା ଏହି ଗ୍ୟାଙ୍ଗ୍‌ ବିଭିନ୍ନ ସମୟରେ ଉତ୍ପାତ କରି ଆସୁଛି।

Advertisment

ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ୧୧ଟା ବେଳେ ସିଟି କଲେଜରେ କ୍ଲାସ୍ ସରିବା ପରେ ଯୁକ୍ତ୨ର ଜଣେ ଛାତ୍ର ଓ ଅନ୍ୟମାନେ ଯୁକ୍ତ୩ ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ କମେଣ୍ଟ ମାରିବା ସହ ପୂର୍ବ ଶତ୍ରୁତା କାରଣରୁ ଧକ୍କା ମାରିଥିଲେ। ଏଥିରେ ଯୁକ୍ତ ୩ର ଛାତ୍ରଜଣକ ରାଗିଯାଇ ଏକ ଠେଙ୍ଗାରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୁଲିସର ପିସିଆର୍ ଭ୍ୟାନ୍ ଓ କଲେଜ କର୍ତ୍ତୃପକ୍ଷ ପହଞ୍ଚି ଠେଙ୍କାରେ ପିଟିଥିବା ଛାତ୍ରଙ୍କୁ କାବୁ କରିଥିଲେ। ଏହି ଗଣ୍ଡଗୋଳ ଘଟଣାରେ ୫ ଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ବାଦାମବାଡ଼ି ଥାନା ପୁଲିସ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଏନେଇ ଦୁଇ ଛାତ୍ର ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ପୁଲିସ କେସ୍ ନଂ ୪୦୪ ଓ ୪୦୫ରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଥାନା ଆଇଆଇସି ଅଜୟ ରାଉଳ ସୂଚନା ଦେଇଛନ୍ତି।