ବ୍ୟାନର୍‌ଚିରାକୁ ନେଇ ସଂଘର୍ଷ, ୪ ଆହତ; ଦୁଇ ଗିରଫ, ଚାପା ଉତ୍ତେଜନା

ଗଁଦିଆ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି। ପ୍ରାର୍ଥୀମାନେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲା ବେଳେ କେତେକ ସ୍ଥାନରେ ସେମାନଙ୍କ ସମର୍ଥକମାନେ ମୁହାଁମୁହିଁ ହେଉଥିବାର ଖବର ମିଳୁଛି। ଗତରାତିରେ ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଗ୍ରାମରେ ବ୍ୟାନର୍ ଚିରାକୁ ନେଇ ଦୁଇପକ୍ଷ ମଧ୍ୟରେ ସଂଘର୍ଷ ଘଟିଛି। ଏଥି‌ରେ ୪ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଗ୍ରାମରେ ଅଷ୍ଟପ୍ରହର ହେଉଥିବା ବେଳେ ବେହେରାସାହିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ବ୍ୟାନର ଟଙ୍ଗା ଯାଇଥିଲା। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥୀଙ୍କର କିଛି ସମର୍ଥକ ସେଠାରେ ପହଞ୍ଚି ଉକ୍ତ ବ୍ୟାନରକୁ ଚିରି ଦେଇଥିଲେ। ଫଳରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ବ୍ୟକ୍ତିମାନେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହିତ ମାରପିଟ ହୋଇଥିଲା। ଏଥିରେ ବ୍ୟାନର ଚିରାକୁ ପ୍ରତିରୋଧ କରୁଥିବା ୪ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବାବେଳେ ଅନ୍ୟ ୩ଜଣଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ଭୀମସେନ ସାହୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୭ଜଣଙ୍କ ନାମରେ ମାମଲା ରୁଜୁ କରି ହର୍ଷ ନାୟକ ଓ ସୂର୍ଯ୍ୟମଣି ନାୟକଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର