ଫୁଳତୋଳାରୁ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ : ପ୍ରଶାସନ ମଧ୍ୟସ୍ଥତାରେ ତୁଟିଲା, ପୁଣି ଗଣ୍ଡଗୋଳ ହେଲେ କାର୍ଯ୍ୟାନୁଷ୍ଠାନ

ପଣ୍ଡୁଆ/କାମାକ୍ଷାନଗର/ଢେଙ୍କାନାଳ : ଫୁଲ ତୋଳା, କମେଣ୍ଟ୍‌ମରାରୁ ତୀବ୍ର ହୋଇଥିଲା ସବର୍ଣ୍ଣ-ଅସବର୍ଣ୍ଣ ବିବାଦ। ପୂରା ପଞ୍ଚାୟତ ହୋଇଥିଲା ଦୁଇ ଫାଳ। ପ୍ରାୟ ୫୫ ଦଳିତ ପରିବାର ହୋଇଥିଲେ ଅସହଯୋଗର ଶିକାର। ଅସବର୍ଣ୍ଣ ଗୋଷ୍ଠୀଙ୍କୁ ଦୋକାନ ବଜାର କରାଯାଇଥିଲା ମନା। ବନ୍ଦ କରାଯାଇଥିଲା ଭାଗଚାଷ ଏବଂ ମୂଲିଆ ମଜୁରି କାମଧନ୍ଦା। ବ୍ୟକ୍ତିଗତ ଶତ୍ରୁତାରୁ ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ ପୂରା କନ୍ତିଓକାଟେଣୀ ପଞ୍ଚାୟତରେ ଗତ ପ୍ରାୟ ଚାରି ମାସ ହେଲା ଚାଲିଥିବା ଏହି କନ୍ଦଳରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍‌ସ, କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଉଭୟ ଗୋଷ୍ଠୀଙ୍କୁ ଡକାଇ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପୂର୍ବକ ପୂର୍ବଭଳି ଚଳିବା ପାଇଁ ଉଭୟ ଗୋଷ୍ଠୀ ସହମତି ପ୍ରକାଶ କରିବା ପରେ ଗତ ଚାରି ମାସ ଧରି ଲାଗି ରହିଥିବା ଏହି ବିବାଦର ବସ୍ତୁତଃ ଅବସାନ ଘଟିଛି।

ତୁମୁସିଂହା ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ କହିବା ମୁତାବକ, ଗତ ଏପ୍ରିଲ୍ ମାସରେ ଜୁଲଙ୍ଗ ଗାଁର ଶେଷଦେବ ବେହେରା ପୋଖରୀ ପାଖରେ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଥିଲେ। ଗାଁର ଦୁଇ ଜଣ ଅସବର୍ଣ୍ଣ ଗୋଷ୍ଠୀର ଝିଅ କ୍ଷେତରୁ କିଛି ସୂର୍ଯ୍ୟମୁଖୀ ଫୁଲ ତୋଳି ଆଣିଥିଲେ। ଏହି ଘଟଣା ହିଁ ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ସୂତ୍ରପାତ କରିଥିଲା। ଅସବର୍ଣ୍ଣ ଗୋଷ୍ଠୀ ଥାନାରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ବିବାଦର ଆପୋସ ସମାଧାନ ହୋଇଥିଲା। ଏହି ଘଟଣା ପରେ ପରେ ଗତ ଚୈତ୍ର ମାସରେ ସେହି ପଞ୍ଚାୟତର କାଟେଣୀ ଗାଁରେ ଦ୍ବିତୀୟ ଅଘଟଣ ଘଟିଥିଲା। କମେଣ୍ଟ୍‌ମରାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ଆହୁରି ତାଜା ହୋଇଥିଲା। ଗାଁ ଯାତ୍ରା ପଡ଼ିଆ ସ୍ଥିତ ପିଣ୍ଡିରେ କମେଣ୍ଟ୍‌ ମରାଯାଉଥିବା ବେଳେ ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ।

ଏହି ଦୁଇ ଘଟଣାକୁ ନେଇ ସବର୍ଣ୍ଣ ଗୋଷ୍ଠୀ ଅସବର୍ଣ୍ଣ ଗୋଷ୍ଠୀଙ୍କୁ ଅସହଯୋଗ କରିବା ଆରମ୍ଭ କରିଥିଲେ ବୋଲି ଅସବର୍ଣ୍ଣ ଗୋଷ୍ଠୀ ଅଭିଯୋଗ କରିଥିଲେ। ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ କନ୍ଦଳ ତୀବ୍ରରୁ ଆହୁରି ତୀବ୍ର ହେଉଥିବା ବେଳେ ଅସବର୍ଣ୍ଣ ଗୋଷ୍ଠୀ ପୁଣି ଥାନାର ଦ୍ବାରସ୍ଥ ହୋଇଥିଲେ। ଯାହାର ସମାଧାନୀ ପନ୍ଥା ଆଜି କାମାକ୍ଷାନଗର ଥାନାରେ ବାହାର କରାଯାଇଛି। ଢେଙ୍କାନାଳ ଏସ୍‌ପି ଶ୍ରୀମତୀ ଜେମ୍‌ସ ଏବଂ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଆଚାର୍ଯ୍ୟ, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ତହସିଲଦାର ସଞ୍ଜୟ ରାଉତ, ତୁମୁସିଂହା ଥାନା ଆଇଆଇସି ଶ୍ରୀ ଡୁଙ୍ଗଡୁଙ୍ଗ, ଦଳିତ ସଂଘ ସଭାପତି ପ୍ରହଲ୍ଲାଦ ନାୟକ, ଗ୍ରାମ୍ୟ କମିଟି ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ସମେତ ଉଭୟ ପକ୍ଷର ମୁରବିଙ୍କୁ ନେଇ ଆଲୋଚନା ହୋଇଛି। ପଞ୍ଚାୟତରେ ଏ ପ୍ରକାର ବାଛବିଚାର ଦୂର କରିବା ସହିତ ପୂର୍ବଭଳି ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି। କେବଳ ସେତିକି ନୁହେଁ, ପ୍ରତ୍ୟେକ ୱାର୍ଡ଼ରୁ ୫ଜଣ ଲେଖାଏଁ ସଦସ୍ୟ ଗ୍ରାମ୍ୟ କମିଟିରେ ରହି ଗ୍ରାମର ଉନ୍ନୟନମୂଳକ କାମ କରିବେ। ପ୍ରତ୍ୟେକ ୱାର୍ଡରୁ ଗ୍ରାମର କୋର୍‌ କମିଟିରେ ଜଣେ ଲେଖାଏଁ ରହିବେ। କୌଣସି ପକ୍ଷ ଏଥିରେ ବ୍ୟତିକ୍ରମ କଲେ ୱାର୍ଡରୁ ବଛାଯାଇଥିବା ସଦସ୍ୟମାନେ ସେହି ବ୍ୟକ୍ତିଙ୍କ ବିରୋଧରେ ନିଜ ୱାର୍ଡ଼ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରାମ୍ୟ କମିଟିକୁ ଜଣାଇବେ। ଗ୍ରାମ୍ୟ କମିଟିକୁ ଅବମାନନା କଲେ ଥାନାରେ ରିପୋର୍ଟ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଏ ସମ୍ପର୍କରେ ଢେଙ୍କାନାଳ ଏସ୍‌ପି ଶ୍ରୀ ଜେମ୍‌ସ କହିଛନ୍ତି, ଉଭୟ ପକ୍ଷଙ୍କ ସହମତିରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲଙ୍ଘନ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର