ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ

ବରୀ : ବୁଧବାର ବିଳମ୍ବିତ ରାତିରେ ବରୀ ବଜାରରେ ଦୁର୍ଗା ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ବରୀ ବଜାରରେ ଉତ୍ତେଜନା ଲାଗିରହିଛି। ସୂଚନା ମୁତାବକ, ଗତକାଲି ଆନନ୍ଦପୁର ଦୁର୍ଗାପୂଜା କମିଟି ପକ୍ଷରୁ ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ରମ୍ପା ଦଳିତ ବସ୍ତିର ପିଲାଙ୍କ ସହିତ ବଚସା ହୋଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଟେକାପଥର ମାଡ଼ ଓ କାଚବୋତଲ ଫିଙ୍ଗାରୁ ଉଭୟ ଗୋଷ୍ଠୀର କିଛି ମହିଳା ଓ ପୁରୁଷଙ୍କୁ ମିଶାଇ ୧୦ରୁ ଅଧିକ ଆହତ ହୋଇଥିଲେ। ଅନ୍ୟପକ୍ଷରେ ବଜାର ଉପରେ ଭସାଣ ଚାଲିଥିବା ବେଳେ ପ୍ରବଳ ଭିଡ଼ ହୋଇଥିଲା। ହେଲେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବରୀ ପୁଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇନଥିଲା।

ଖବର ପାଇଁ ଥାନାର ଜନୈକା ମହିଳା ଅଧିକାରୀ ବଜାରରେ ସଦଳବଳ ପହଞ୍ଚିଥିଲେ ମଧ୍ୟ ଗଣ୍ଡଗୋଳ ସ୍ଥଳକୁ ନଯାଇ ଫେରିଯାଇଥିଲେ। ପୁଲିସକୁ ଗଣ୍ଡଗୋଳ ବିଷୟରେ ସୂଚନା ଦେଇଥିବା ମହେଶ୍ବର ବେହେରାଙ୍କୁ ସମ୍ପୃକ୍ତ ପୁଲିସ ଅଧିକାରିଣୀ ଘରକୁ ପଳାଇବାକୁ ପରାମର୍ଶ ଦେଇଥିଲେ। ଘଟଣାସ୍ଥଳକୁ ନଯାଇ ଅଧାବାଟରୁ ପୁଲିସ ଗାଡ଼ି ଫେରି ଯାଇଥିଲା ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ଗୁରୁବାର ସକାଳେ ଉଭୟ ଗୋଷ୍ଠୀର ଶତାଧିକ ଲୋକ ଅସ୍ତ୍ରଶସ୍ତ୍ର ଧରି ବଜାରର ଉଭୟ ପାର୍ଶ୍ବରେ ଏକାଠି ହୋଇଥିଲେ। ଏହାଦେଖି ଆଜିର ସପ୍ତାହିକ ହାଟକୁ ଆସିଥିବା ହାଟୁଆମାନେ ଭୟଭୀତ ହୋଇପଡ଼ିଥିଲେ। ‌କିଛି ସମୟ ପାଇଁ ବଜାରରେ ଦୋକାନ ଗୁଡ଼ିକ ବନ୍ଦ ହୋଇଯାଇଥିଲା। ବରୀ ପୁଲିସର ପାଟ୍ରୋଲିଂ ଗାଡ଼ି ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ଏହି ଘଟଣାର ସମାଧାନ ପାଇଁ ରମ୍ପା ପଞ୍ଚାୟତ ସରପଞ୍ଚଙ୍କ ମାଧ୍ୟମରେ ଉଭୟ ପକ୍ଷକୁ ନେଇ ଏକ ଶାନ୍ତି କମିଟି ଗଠନ କରିବାକୁ ଉଦ୍ୟମ କରୁଛନ୍ତି। ଆଜି ରମ୍ପା ଗ୍ରାମର ଭସାଣ କାର୍ଯ୍ୟକ୍ରମ ଥିବାରୁ ବରୀ ବଜାରରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏନେଇ ଥାନାଧିକାରୀ ଶ୍ରୀ ସ୍ବାଇଁଙ୍କୁ ପଚାରିବାରୁ ଗତକାଲି ରାତି ଘଟଣାର ତଦନ୍ତ ଚାଲିଛି। ଉତ୍ତେଜନା ହ୍ରାସ ପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର