ଠେଲା ଏକ, ମାଲିକ ଚାରି : ଥାନାରେ ଖଣ୍ଡଯୁଦ୍ଧ, ଠେଲା ଜବତ

ରାଉରକେଲା : ଗୋଟିଏ ଠେଲାକୁ ନେଇ ମାଡ଼ପିଟ୍‌। ଜଣେ କି ଦୁଇଜଣ ନୁହେଁ ଚାରି ଚାରିଜଣ ମାଲିକଙ୍କ ମଧ୍ୟରେ । ତାହା ପୁଣି ଥାନା ପରିସର ଭିତରେ। ପ୍ରାୟ ଅଧଘଣ୍ଟା ଧରି ଚାଲିଲା ଏମିତି ଖଣ୍ଡଯୁଦ୍ଧ। ପୁଲିସ ହସ୍ତକ୍ଷେପ ପରେ ଅବଶ୍ୟ ପରିସ୍ଥିତି ଶାନ୍ତ ପଡିଛି। କିନ୍ତୁ ଠେଲା କାହାକୁ ଦେବ ପୁଲିସ ପାଇଁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଠେଲା ନିଜର ବୋଲି ଦାବି କରି ଚାରି ମାଲିକ ପୃ୍ଥକ ପୃଥକ ଲିଖିତ ଏତଲା ଦେଇଛନ୍ତି। ପୁଲିସ ଠେଲା ଜବତ କରି ଘଟଣାର ତଦନ୍ତ ଚଳାଇଛି। ଆଜି ଏମିତି ମଜାଦାର ଘଟଣା ଘଟିଥିଲା ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନାରେ।

ଘଟଣା ଥିଲା ଏମିତି। ବିହାର ଅଞ୍ଚଳର ନେପାଳ ସାହୁ ମାଲଗୋଦାମ ପରିବାର ସହ ରହନ୍ତି। ମାଲଗୋଦାମ ରେଳୱେ ଗେଟ୍‌ ନିକଟରେ ଠେଲା ପକାଇ ଫଳ, କଦଳୀ ବିକ୍ରି କରନ୍ତି। ଗତ ଦୁର୍ଗାପୂଜାରେ ପରିବାର ସହ ଗାଁକୁ ଚାଲିଯାଇଥିଲେ। ଘରକୁ ଯିବା ପୂର୍ବରୁ ଠେଲାକୁ ରେଲୱେ ପାଖରେ ତାଲା ପକାଇ ଯାଇଥିଲେ। ୪ ମାର୍ଚ୍ଚରେ ଘରୁ ରାଉରକେଲା ଫେରିଥିଲେ। ଯେଉଁଠାରେ ରଖିଥିଲେ ସେଠାରେ ଠେଲା ନଥିଲା। ଠେଲାକୁ ସ୍ଥାନୀୟ ଅଞ୍ଚଳର ସୁରଜ ସିଂ ଚଲାଉଥିବା ଦେଖିବାକୁ ପାଇଥିଲେ। ଠେଲା କେଉଁଠୁ ପାଇଲୁ ବୋଲି ନେପାଳ ସୁରଜକୁ ପଚାରିଥିଲେ। ସୁରଜ ଠେଲାକୁ ସ୍ଥାନୀୟ ଅଞ୍ଚଳର ସୋନାଲ ଦାସ ଠାରୁ ୬ ହଜାର ଟଙ୍କାରେ କିଣିଛି ବୋଲି କହିଥିଲେ। ସେମିତି ସୋନାଲ ଏହି ଠେଲାକୁ ଜଣେ ଯୁବକଙ୍କ ଠାରୁ କିଣିଥିବା କହିଥିଲେ। କାହାଠାରୁ କିଣୁଛି ସେହି ଯୁବକକୁ ଡାକ ବୋଲି ନେପାଳ ସୋନାଲକୁ କହିଥିଲେ। ସୋନାଲ ଯୁବକ ଜଣଙ୍କୁ ଠେଲା ନିକଟକୁ ଡାକିଥିଲେ। ଠେଲା ନିଜର ବୋଲି ଦାବି କରି ପରସ୍ପର ମଧ୍ୟରେ ଯୁକ୍ତିତର୍କ କରିଥିଲେ। ଠେଲାପେଲା ମଧ୍ୟ ହୋଇଥିଲେ।

ଗୋଟିଏ ଠେଲାକୁ ନେଇ ଚାରି ମାଲିକଙ୍କ ମଧ୍ୟରେ ଚାଲିଥିବା ମାଡ଼ପିଟକୁ ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ସମାଧାନର କୌଣସି ବାଟ ବାହାରି ନଥିଲା। ଶେଷରେ ଗୋଟିଏ ଠେଲାକୁ ଧରି ଚାରି ମାଲିକ ପହଞ୍ଚିଥିଲେ ପ୍ଲାଣ୍ଟସାଇଟ୍‌ ଥାନାରେ। ସେଠି ମଧ୍ୟ ପୁଲିସ ଉପସ୍ଥିତିରେ ପରସ୍ପର ମଧ୍ୟରେ ଭିଡାଭିଡି ସହ କିଛି ସମୟ ପାଟିତୁଣ୍ଡ ଚାଲିଥିଲା। ପୁଲିସ ପହଞ୍ଚି ଚାରି ଜଣଙ୍କୁ ବୁଝାସୁଝା କରିଥିଲେ। ପ୍ରତ୍ୟେକଙ୍କ ଏକା ଜିଦ୍‌ ‘ ମୋ ଠେଲା ମୋତେ ଦେଇ ଦିଅନ୍ତୁ, ମୁଁ ଏଠାରୁ ଚାଲିଯିବ’। ଶେଷରେ ପୁଲିସ ଠେଲାକୁ ଜବତ କରିବାକୁ ବାଧ୍ୟ ହୋଇଥିଲ। ସମସ୍ତଙ୍କ ଠାରୁ ପୃଥକ ପୃଥକ ଲିଖିତ ଅଭିଯୋଗ କରି ଥାନାରୁ ବିଦା କରିଥିଲା।

ସମ୍ବନ୍ଧିତ ଖବର