ବାଲେଶ୍ବର/ରେମୁଣା : କରୋନା କଟକଣାକୁ ଉଲ୍ଲଂଘନ କରିବାରୁ ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଗନିପୁର ପଞ୍ଚାୟତରେ ଗଣ୍ଡଗୋଳ ଘଟିଛି। ପଥର ମାଡ଼ରେ ଗୋଟିଏ ଗୋଷ୍ଠୀର ୬ ଜଣ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେବାରୁ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ସୂଚନା ମୁତାବକ, ଆଜି ସକାଳେ ଗନିପୁର ପଞ୍ଚାୟତ ଗୋପୀନାଥପୁର ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଛତୁଆ ବଣ୍ଟା ଚାଲିଥିଲା। ୪/୫ ଜଣଙ୍କୁ ଛତୁଆ ଦିଆଯିବା ପରେ ହଠାତ୍‌ ସେଠାରେ ଭିଡ଼ ଜମିଯାଇଥିଲା। ବର୍ତ୍ତମାନ କରୋନା ମହାମାରୀ ରୂପ ଧାରଣ କରୁଥିବାବେଳେ ଏଠାରେ ଏତେ ଭିଡ଼ କାହିଁକି କରାଯାଉଛି ବୋଲି କିଛି ଗ୍ରାମବାସୀ ପ୍ରଶ୍ନ କରିଥିଲେ।ଏହାକୁ ନେଇ ଉଚ୍ଚବାଚ ପରେ ଅପରପକ୍ଷ ଓ ତାଙ୍କର କିଛି ଲୋକ ହାତରେ ପଥର, ବାଉଁଶ ଫାଳିଆ ଧରି ଆକ୍ରମଣ କରିଥିଲେ। ଏଥିରେ ଗ୍ରାମର ଜଗନ୍ନାଥ ଦାସ, ସାଧୁଚରଣ ଦାସ, ରବୀନ୍ଦ୍ର ଦଳେଇ, କାର୍ତ୍ତିକ ଦାସ, ସନ୍ତୋଷ ଦାସ ଓ ଜଗନ୍ନାଥ ମାର୍ଣ୍ଣାଙ୍କ ଛାତି, ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଖବର ପାଇ ରେମୁଣା ଥାନା ଆଇଆଇସି ଶୁଭ୍ରାଂଶୁଶେଖର ନାୟକ ଓ ପୁଲିସ ଫୋର୍ସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଆହତଙ୍କୁ ରେମୁଣା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୋପୀନାଥପୁର ଗ୍ରାମ‌ରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିବା ସହିତ ଏ ନେଇ ସଂଧ୍ୟାରେ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି।