ଜବରଦଖଲକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ : ଆକ୍ରମଣରେ ଗାଁ ମୁଖିଆ ମୃତ, ଗୁରୁତର ସ୍କୁଲ୍‌ କମିଟି ସଭାପତି କଟକ ସ୍ଥାନାନ୍ତର

ବାଲେଶ୍ବର/ବାଲିଆପାଳ/କାଳିପଦା : ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ନୂଆଗାଁ ପଂଚାୟତ ଅନ୍ତର୍ଗତ କଟ୍ରାମହଲ ଗ୍ରାମର ଏକ ସରକାରୀ ସ୍କୁଲ ପରିସରରେ ବେଆଇନ ଜବରଦଖଲ ଓ ନିର୍ମାଣକୁ ନେଇ ଆଜି ଗୋଷ୍ଠୀସଂଘର୍ଷ ଘଟିଛି। ଜବରଦଖଲକାରୀଙ୍କ ଆକ୍ରମଣରେ ଗାଁ ମୁଖିିଆ ରାମଚନ୍ଦ୍ର ଗିରି (୭୦)ଙ୍କର ମୃତ୍ୟୁ ହୋଇଥିବାବେଳେ ସ୍କୁଲ କମିଟି ସଭାପତିଙ୍କ ସମେତ ଆଉ କେତେଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ କେନ୍ଦ୍ରକରି କଟ୍ରାମହଲରେ ଉତ୍ତେଜନା ଲାଗି ରହିଥିବାବେଳେ ସେଠାରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଆକ୍ରମଣରେ ସଂପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କଟ୍ରାମହଲ ପ୍ରାଥମିକ ବିଦ୍ୟାଳୟ ୬୦ ବର୍ଷର ପୁରୁଣା ସ୍କୁଲ। ସ୍ଥାନୀୟ ଅଞ୍ଚଳର ୪/୫ଟି ଗ୍ରାମର ପିଲା ଏଠାକୁ ପଢ଼ିବାକୁ ଆସନ୍ତି। ସ୍କୁଲ ପରିସରରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ବି ରହିଛି। ଗ୍ରାମର ଭାନୁଚରଣ ଦଳାଇ (୫୦) ନାମକ ବ୍ୟକ୍ତି ଦୀର୍ଘ ବର୍ଷ ହେଲା ଏହି ସ୍କୁଲ ପରିସରକୁ ବେଆଇନ ଭାବେ ଜବରଦଖଲରେ ରଖିଛନ୍ତି। ଫଳରେ ଗାଁ ପିଲା‌ମାନେ ପଡ଼ିଆରେ ଖେଳି ନପାରିବା ଓ ସ୍କୁଲରେ ନୂତନ ଗୃହ ନିର୍ମାଣ ନେଇ ସମସ୍ୟା ଉପୁଜୁଛି। ଏ ସଂକ୍ରାନ୍ତରେ ଗାଁ ଲୋକେ ବାଲିଆପାଳ ଥାନା ଓ ତହସିଲର ଦ୍ବାରସ୍ଥ ହେବା ପରେ ତହସିଲଦାର ଓ ପୁଲିସ ଉପସ୍ଥିତିରେ ସ୍କୁଲର ଜାଗା ମପାଯାଇ ସୀମା ନିର୍ଧାରଣ କରାଯାଇଥିଲା। ଏହାପରେ ଭାନୁଚରଣ ଜବରଦଖଲ ଓ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲେ।

ତେବେ, କିଛିଦିନର ବ୍ୟବଧାନ ପରେ ଗତକାଲି ବିଳମ୍ବିତ ରାତିରେ ଭାନୁଙ୍କ ପରିବାର ସମ୍ପର୍କୀୟଙ୍କ ସମେତ ବାହାରୁ କିଛି ଅସାମାଜିକ ବ୍ୟକ୍ତିଙ୍କୁ ଡକାଇ ପୁଣିଥରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏ ନେଇ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ତରଫରୁ ପୁଲିସକୁ ଖବର ମଧ୍ୟ ଦିଆଯାଇଥିଲା। ଆଜି ସକାଳେ ସ୍କୁଲ୍‌ କମିଟି ସଭାପତି ଲକ୍ଷ୍ମୀଧର ସ୍ବାଇଁ, ସଦସ୍ୟ କାର୍ତ୍ତିକ ଚନ୍ଦ୍ର ପାତ୍ର ଏବଂ ଗାଁ ମୁଖିଆ ରାମଚନ୍ଦ୍ର ଗିରିଙ୍କ ନେତୃତ୍ବରେ ଅନ୍ୟମାନେ ଭାନୁଚରଣଙ୍କୁ ସ୍କୁଲ ପରିସରରେ କାମ ବନ୍ଦ ରଖିବାକୁ କହିଥିଲେ।

ଏହି ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭାନୁଙ୍କ ପରିବାର ସଦସ୍ୟ ଓ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିମାନେ କ‌ାତି, ଶାବଳ, ଦାଉଲି, ଦା, ପନିକି, ଠେଙ୍ଗା, କଟୁରି ଆଦି ମାରଣାସ୍ତ୍ରରେ ଅତର୍କିତ ଭାବେ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିଲେ। ଭାନୁଙ୍କ ପୁଅ ଭିକୁ ଏକ କା‌ତିରେ ଗାଁ ମୁଖିଆ ରାମଚନ୍ଦ୍ରଙ୍କ ମୁଣ୍ଡକୁ ଏକ ଶକ୍ତ ଚୋଟ ପକାଇବା ପ‌େର ତାଙ୍କ ଗୋଡ଼, ପିଠିକୁ ନିର୍ମମ ଭାବେ ହାଣିଥିବା ଅଭିଯୋଗ ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାମଚନ୍ଦ୍ର ତଳେ ପଡ଼ିଯାଇଥିବା ବେଳେ ଭାନୁଙ୍କ ଘର ସଦସ୍ୟମାନେ ମଧ୍ୟ ତାଙ୍କ ଉପରେ ଆକ୍ରମଣ କରିବାକୁ ପଛାଇନଥିଲେ। ଗୁରୁତର ଅବସ୍ଥାରେ ସେ ତଳେ ପଡ଼ିଥିବାବେଳେ ତାଙ୍କୁ ମୁଥ, ବିଧା, ଗୋଇଠା ମାରି ଚାଲିଥିଲେ। ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗ୍ରାମର ୧୦ରୁ ୧୨ ଜଣ ବ୍ୟକ୍ତି କ୍ଷତବିକ୍ଷତ ହୋଇଥିବା ଜଣାପଡ଼ିଛି। ପରେ ଗ୍ରାମର ଅନ୍ୟ ଲୋକମାନେ ସେଠାରେ ପହଞ୍ଚି ପୁଲିସକୁ ଖବର ଦେବା ସହ ସମସ୍ତଙ୍କୁ ଅଟକାଇବାକୁ ଚେ‌ଷ୍ଟା କରିଥିଲେ। ଗୁରୁତର ଅବସ୍ଥାରେ ମୁଖିଆ ରାମଚନ୍ଦ୍ରଙ୍କ ସମେତ ସମସ୍ତଙ୍କୁ ଡାକ୍ତରଖାନା ପଠାଯାଇଥିଲା। ବାଟରେ ରାମଚନ୍ଦ୍ରଙ୍କର ମୃତ୍ୟୁ ହୋଇ ଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସ୍କୁଲ କମିଟି ସଭାପତି ଲକ୍ଷ୍ମୀଧର ସ୍ବାଇଁଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏ ନେଇ ମୃତ ରାମଚନ୍ଦ୍ରଙ୍କ ପୁତୁରା ହେମନ୍ତ ଗିରିଙ୍କ ଅଭିଯୋଗ କ୍ରମେ ବାଲିଆପାଳ ଥାନା କେସ୍‌ ନମ୍ବର ୨୨୫/୧୯ରେ ଏକ ମାମଲା ରୁଜୁ କରିଛି ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ଦଳାଇ, ତାଙ୍କ ପତ୍ନୀ ଶକୁନ୍ତଳା, ଦୁଇ ପୁଅ ସନ୍ତୋଷ ଓ ପ୍ରଶାନ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର