ରାଜଧାନୀ ରାସ୍ତାରେ ଆତଙ୍କରାଜ : ମହର୍ଷି କଲେଜ ନିକଟରେ ୧୦ରୁ ୧୫ଜଣ ଯୁବକଙ୍କ ଉତ୍ପାତ, ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହକି ଷ୍ଟିକ୍‌ରେ ପିଟିଲେ

ଭୁବନେଶ୍ବର : ଆଜି ସଂଧ୍ୟାରେ ମହର୍ଷି କଲେଜ ରୋଡ୍‌ରେ ୧୦ରୁ ୧୫ଜଣ ଯୁବକ ଆତଙ୍କ ଖେଳାଇଛନ୍ତି। ନିଜ ନିଜ ଭିତରେ ମାଡ଼ପିଟ୍‌ ହେବା ସହ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଗୁଡ଼େଇ ତୁଡେଇ ପିଟିଛନ୍ତି। ଏହି ଘଟଣା‌‌‌ରେ ୫ଜଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଦୁର୍ବୃତ୍ତମାନେ ହକି ଷ୍ଟିକ୍‌ରେ ପିଟି ପିଟି ତାଙ୍କ ଗାଡ଼ି ଭାଙ୍ଗି ଦେବା ସହ ତାଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରିଛନ୍ତି। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଏହି ଆତଙ୍କରାଜ ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ ପ୍ରାୟ ଅଧଘଣ୍ଟା ଧରି ବନ୍ଦ ହୋଇଯାଇଥିଲା। ଦୁର୍ବୃତ୍ତମାନେ ପୂରା ରାସ୍ତାକୁ କବ୍‌ଜାକୁ ନେଇ ଯାଇଥିଲେ।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ମହର୍ଷି କଲେଜ ରୋଡ୍‌ ନିକଟ ଆର୍ଯ୍ୟ ସମାଜ ସମ୍ମୁଖରେ ୧୦ରୁ ୧୫ ଜଣ ଯୁବକ ରାସ୍ତା ଉପରେ ପରସ୍ପର ମଧ୍ୟରେ ମାଡ଼ପିଟ୍‌ ହୋଇଥିଲେ। ଏଥିଯୋଗୁଁ ଉକ୍ତ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଥିଲା। ତେବେ ସେହି ବାଟ ଦେଇ ଯାଉଥିବା ଲୋକ‌ମାନେ ଏହାର ପ୍ରତିବାଦ କରିବାରୁ ଯୁବକମାନେ ସେମାନଙ୍କୁ ମାଡ଼ ମାରିଥିଲେ। ହକି ଷ୍ଟିକ୍‌ରେ ସେମାନେ ଲୋକଙ୍କୁ ଆକ୍ରମଣ କରିଥିଲେ। ଫଳରେ କିଛି ସମୟ ପାଇଁ ଏହି ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲ‌‌ା। ଆକ୍ରମଣକାରୀମାନେ ମହିଳା, ଯୁବତୀ ଓ ଶିଶୁଙ୍କୁ ମଧ୍ୟ ଛାଡ଼ି ନଥିଲେ। ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଅପରପକ୍ଷେ ଆଜି ବଡ଼ଦିନ ହୋଇଥିବାରୁ ଏହି ରାସ୍ତା ଦେଇ ସତ୍ୟନଗର ଚର୍ଚ୍ଚ ଯାଉଥିବା ଶ୍ରଦ୍ଧାଳୁମାନେ ମଧ୍ୟ ତାଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଖବର ପାଇ ପୁଲିସ୍‌ ଆସିବା ବେଳକୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ‌ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର