ବିଜେପି ବୈଠକରେ ତୁମୁଳକାଣ୍ଡ : ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ଚେୟାର ଫିଙ୍ଗିଲେ କର୍ମୀ

କଟକ : କଟକ ବିଜେପିର ଗୋଷ୍ଠୀ କନ୍ଦଳ ଆଜି ପଦାରେ ପଡ଼ିଛି। ଗତ ନିର୍ବାଚନବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କୁହୁଳିଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି। ଏପରିକି ହାତାହାତି ପର୍ଯ୍ୟନ୍ତ କଥାଯାଇଛି। ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ମଧ୍ୟ ଏହି ଅସନ୍ତୋଷରୁ ବର୍ତ୍ତି ନାହାନ୍ତି। ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ପରିସ୍ଥିତି ଅଣାୟତ ହୋଇପଡ଼ିବାରୁ ଦଳର ସଦସ୍ୟତା ଅଭିଯାନ ବୈଠକକୁ ବାତିଲ୍‌ କରାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାରଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଅପରାହ୍ନ ପାଞ୍ଚଟାବେଳେ ସିଏମ୍‌ସି ଟାଉନ୍‌ହଲ୍‌ରେ ବିଜେପି ସଦସ୍ୟତା ଅଭିଯାନ ବୈଠକ ବସିଥିଲା। କଟକ ନଗର ସଦସ୍ୟତା ଅଭିଯାନ ପ୍ରମୁଖ ତଥା ବରିଷ୍ଠ ବିଜେପି ନେତା ଲଲାଟେନ୍ଦୁ ବଡୁଙ୍କ ଆହ୍ବାନକ୍ରମେ ଏହି ବୈଠକ ଡକାଯାଇଥିଲା। ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ବିନୋଦ ଦାଶ, ସଦସ୍ୟତା ଅଭିଯାନର ରାଜ୍ୟ ସହସଂଗଠକ ପ୍ରଭାରୀ ଶାରଦା ପ୍ରସାଦ ଶତପଥୀ, କଟକ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ଡିଜି ପ୍ରକାଶ ଚନ୍ଦ୍ର ମିଶ୍ର, ବ‌ାରବାଟୀ-କଟକ ପ୍ରାର୍ଥୀ ସମୀର ଦେ, ଚୌଦ୍ବାର-କଟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, କଟକ ସଦର ବିଧାନସଭା ପ୍ର‌ାର୍ଥୀ ଦିଲ୍ଲୀପ କୁମାର ମଲ୍ଲିକ, ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ, ବୈଠକ ଆରମ୍ଭ ପୂର୍ବରୁ ବିଜେପିର ଏକ ଗୋଷ୍ଠୀର କର୍ମୀମାନେ ହଠାତ୍‌ ଗୃହ ମଧ୍ୟକୁ ପ୍ରବେଶ କରି ହୋ’ହାଲ୍ଲା କରିବା ସହ ସାଂସଦ ପ୍ରାର୍ଥୀ ଶ୍ରୀ ମିଶ୍ରଙ୍କୁ ବିରୋଧ କରିଥିଲେ। ବୈଠକ ଆରମ୍ଭ ହୋଇ ନ ଥିବାରୁ ଶ୍ରୀ ମିଶ୍ର ସେତେବେଳେ ସାମ୍‌ନାରେ ପଡ଼ିଥିବା ଚେୟାରରେ ବସିଥିଲେ। ଏହି ହେ‌ା’ହଲ୍ଲାବେଳେ କିଛି କର୍ମୀ ହଠାତ୍‌ ତ‌ାଙ୍କ ଉପରକୁ ଚେୟାର ଫୋଫାଡ଼ି ଆକ୍ରମଣ କରିଥିଲେ। ଅପରଗୋଷ୍ଠୀର କର୍ମୀମାନେ ଏହାର କଡ଼ା ବିରୋଧ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି, ହାତହାତି ହୋଇଥିଲା। ଗଣ୍ଡଗୋଳ ଅଧିକ ହେବା ଆଶଙ୍କାରେ କିଛି କର୍ମୀ ଶ୍ରୀ ମିଶ୍ରଙ୍କୁ ଏକ କାର୍‌ରେ ନେଇ ପଳାଇଥିଲେ। ପରେ, ବୈଠକକୁ ବାତିଲ କରି ‌ଦିଆଯାଇଥିଲା।

ଗଣ୍ଡଗୋଳ ସମୟରେ ବରିଷ୍ଠ ନେତା ସମୀର ଦେ ଏବଂ ନୟନ କିଶୋର ମହାନ୍ତି ଟାଉନ୍‌ ହଲ୍‌ ବାହାରେ ଉପସ୍ଥିତ ଥିବାବେଳେ ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ସଭାପୂର୍ବରୁ ଚାଲିଯାଇଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଏହି ଘଟଣା ପାଇଁ କେନ୍ଦ୍ର ବିଜେପିର ଏକ ଟାଣୁଆ ‌େଗାଷ୍ଠୀକୁ ସିଧାସଳଖ ଦାୟୀ କରିଛନ୍ତି ସଦସ୍ୟତା ଅଭିଯାନ ପ୍ରମୁଖ ଲଲାଟେନ୍ଦୁ ବଡୁ। ଶ୍ରୀ ବଡୁ କହିଛନ୍ତି, ଆଗରୁ ଦଳୀୟ ସଦସ୍ୟତା ଅଭିଯାନ ବୈଠକରେ ମାତ୍ର ୩୦/୪୦ ଲୋକ ହେଉଥିଲେ। ହେଲେ ଆଜିର ବୈଠକରେ ଚାରି ଶହରୁ ଅଧିକ କର୍ମୀ ଆସିଥିଲେ। ଏଥିରେ ବହୁ ନୂ୍ଆ ମୁହଁ ଥିଲେ। ଏତେ ସଂଖ୍ୟକ କର୍ମୀଙ୍କ ଯୋଗଦାନକୁ ଦଳର ଏକ ବଡଗୋଷ୍ଠୀ ସହ୍ୟ କରିପାରି ନ ଥିବା ଶ୍ରୀ ବଡୁ ଅଭିଯୋଗ କରିଛନ୍ତି। ଗଣ୍ଡଗୋଳର ଭିଡିଓ କ୍ଲିପିଂ ସେ ହାଇକମାଣ୍ଡଙ୍କୁ ଦେଇଥିବା ଶ୍ରୀ ବଡୁ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସାଂସଦ ପ୍ରାର୍ଥୀ ଶ୍ରୀ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ବରିଷ୍ଠ ନେତା ଶ୍ରୀ ଦେ ମଧ୍ୟ ଏ ସମ୍ପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।

ସମ୍ବନ୍ଧିତ ଖବର