ଓବିସି ବିଭାଗ ଅଧ୍ୟକ୍ଷଙ୍କୁ ବିରୋଧ
ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ନିରଞ୍ଜନ
ଭୁବନେଶ୍ବର : କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଆଜି ପୁଣି ଖୋଲାଖୋଲି ପଦାକୁ ଆସିଛି। କଂଗ୍ରେସ ଭବନରେ ଜଗତସିଂହପୁର ଜିଲ୍ଲାର ଦୁଇ ଗୋଷ୍ଠୀ ମାର୍ପିଟ୍ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଭବନରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଗୁରୁବାର କଂଗ୍ରେସର ଓବିସି ବିଭାଗର ଏକ ରାଜ୍ୟସ୍ତରୀୟ ବୈଠକ ଆୟୋଜନ କରାଯାଇଥିଲା। ସେଥିରେ ଓବିସି ବିଭାଗ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ ସଭାପତିତ୍ବ କରିବାର କାର୍ଯ୍ୟକ୍ରମ ରହିଥିଲା। ଜଗତସିଂହପୁର କଂଗ୍ରେସର ଗୋଟିଏ ଗୋଷ୍ଠୀ ସେଠାରେ ପହଞ୍ଚି ଶ୍ରୀ ବାରିକଙ୍କୁ ବିରୋଧ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଗତ ସାଧାରଣ ନିର୍ବାଚନରେ ଶ୍ରୀ ବାରିକ ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଦଳର ପ୍ରାର୍ଥୀଙ୍କ ସହ ବୁଲିଥିଲେ ଓ ଖୋଲାଖୋଲି ପ୍ରଚାର କରିଥିଲେ। କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରିଥିଲେ। ଦଳ ବିରୋଧରେ କାର୍ଯ୍ୟ କରିଥିବାରୁ କଂଗ୍ରେସ ଭବନରେ ସଭା କରିବାର ତାଙ୍କର ନୈତିକତା ନାହିଁ। ତାଙ୍କୁ ତୁରନ୍ତ ଦଳରୁ ବିଦା କରାଯାଉ ବୋଲି ସେମାନେ ଦାବି କରିଥିଲେ। ସେଠାରେ ଉପସ୍ଥିତ ଥିବା ଶ୍ରୀ ବାରିକ ଓ ତାଙ୍କ ସମର୍ଥକମାନେ ଏହାର ପ୍ରତିବାଦ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା, ମାର୍ପିଟ୍ ହୋଇଥିଲା। ଏପରିକି ପରସ୍ପରକୁ ଗୋଇଠା ମାରୁଥିବାର ଦେଖିବାକୁ ମିଳିଥିଲା। ବିରୋଧୀ ଗୋଷ୍ଠୀ ଶ୍ରୀ ବାରିକଙ୍କୁ ଗୋଟିଏ ରୁମ୍ରେ ପୂରାଇ ବାହାରୁ ବନ୍ଦ କରିଦେଇଥିଲେ। କଂଗ୍ରେସ ଭବନରେ ଥିବା ଚେୟାର, ଟେବୁଲ୍ ଫିଙ୍ଗି ଦେଇଥିଲେ। ବୈଠକ ସ୍ଥଳରେ ଲାଗିଥିବା ବ୍ୟାନର୍କୁ କିଛି କର୍ମୀ ଚିରି ଦେଇଥିଲେ। କଂଗ୍ରେସ ଭବନରେ ଅନ୍ୟ ନେତାମାନେ ଏଥିରେ ହସ୍ତକ୍ଷେପ କରିଥିଲେ। ବିଧାୟକ ସୁରେଶ ରାଉତରାୟ ମଧ୍ୟ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହା ପରେ ଓବିସି ବିଭାଗର ବୈଠକ ଆରମ୍ଭ ହୋଇଥିଲା।
ଏହି ଗଣ୍ଡଗୋଳ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ଉପସ୍ଥିତ ଥିଲେ। ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ବୈଠକ ପାଇଁ ସେଠାରେ ପହଞ୍ଚିଯାଇଥିଲେ। ପିସିସି ସଭାପତି ଉଭୟ ପକ୍ଷରୁ ଡାକି ବୈଠକ କରି ବୁଝାମଣା କରିଥିଲେ। ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଯିଏ ବିଶୃଙ୍ଖଳା କାର୍ଯ୍ୟ କରିବ, ତାହା ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓବିସି ଅଧ୍ୟକ୍ଷ ଏଆଇସିସି ନିଯୁକ୍ତି ଦିଏ। ଯାହାର ଅଭିଯୋଗ ଥିବ, ସେମାନେ ପିସିସି ଓ ଏଆଇସିସିରେ ଅଭିଯୋଗ କରନ୍ତୁ। ଅଭିଯୋଗର ତଦନ୍ତ କରାଯିବ। ତାହା ପ୍ରମାଣିତ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।