ଦୁର୍ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଅଟକ

ପାଣିକୋଇଲି : ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଶଗଡ଼ି ଗ୍ରାମର କିଛି ଲୋକ ମିର୍ଜାପୁର ଗ୍ରାମରେ ପଶି ମାରପିଟ କରିବା ସହ ମହିଳାମାନଙ୍କୁ ବାଡ଼େଇବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳାମାନେ ପାଣିକୋଇଲି ଥାନାରେ ବସି ରହି ପ୍ରତିବାଦ କରିଥିଲେ। ପୁଲିସ୍ କେସ ନମ୍ବର ୧୩୯/୨୧ ଓ ୧୪୦/୨୧ରେ ୨ଟି ମାମଲା ରୁଜୁ କରିି ଉଭୟ ଗୋଷ୍ଠୀର ୩ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ପ୍ରକାଶ ଥାଉକି ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ମିର୍ଜାପୁର ଗ୍ରାମର ପ୍ରଦୀପ ମଲିକ ବାଇକ ଯୋଗେ ଯାଜପୁରରୋଡ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ(ଓଆର୦୯ଏଚ୭୦୮୫) ସହ ହାଟସାହି ହନୁମାନ ମନ୍ଦିର ନିକଟରେ ଧକ୍କା ହୋଇଥିଲା। ଫଳରେ ପ୍ରଦୀପ ଆହତ ହେବା ସହ ଉକ୍ତ ଟ୍ରକକୁ ଅଟକାଇଥିଲେ। ଏହାକୁ ନେଇ ଟ୍ରକ ଚାଳକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ସେ ତାଙ୍କର ସର୍ମ୍ପକୀୟ ନିକଟସ୍ଥ ଶଗଡି ଗ୍ରାମକୁ ଫୋନ କରିଥିଲେ। କିଛି ବୁଝିବା ବଦଳରେ ଶଗଡି ଗ୍ରାମରୁ କିଛି ଯୁବକ ଆସି ମିର୍ଜାପୁର ଗ୍ରାମରେ ମାରପିଟ ଆରମ୍ଭ କରିଥିଲେ। ଏହି ମାରପିଟରେ ମହିଳାମାନେ ମଧ୍ୟ ଆହତ ହୋଇଛନ୍ତି।

ଖବର ପାଇ ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲେ। ଏନେଇ ପୁଲିସ ଶଗଡି ଗ୍ରାମର ଦୁଇ ଜଣ ଓ ହାଟସାହି ଗ୍ରାମର ଜଣଙ୍କୁ ଥାନାକୁ ଅଟକ ରଖିଛନ୍ତି। ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଦୁଇଟି ମାମଲା ରୁଜୁ ହେବା ସହ ୩ଜଣଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଛି ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ମହିଳାମାନେ ଥାନାରେ ନ୍ୟାୟ ଦାବି କରି ଅଡ଼ିବସିଥିଲେ। ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ କହିବା ପରେ ମହିଳାମାନେ ଗାଁକୁ ଫେରିଯାଇଛନ୍ତି। ଘଟଣାକୁ ନେଇ ଉଭୟ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧିତ ଖବର