ଛେଳିଚରାକୁ ନେଇ ଗୋଷ୍ଠୀ ସଂଘର୍ଷ, ଉଭୟ ଗୋଷ୍ଠୀର ଦୁଇ ମୃତ

ଗାଁରେ ପୁଲିସ ଛାଉଣି, ଜରାସିଂହା ଗାଁ ସ୍ତବ୍‌ଧ

ଦେଓଗାଁ : ଛେଳିଚରାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଶନିବାର ସନ୍ଧ୍ୟାରେ ଗୋ‌ଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସେ ଦୁହେଁ ହେଲେ ସେହି ଗାଁର ଧନମତ ରାଉତ ଓ ଶ୍ରୀପତି ବେସ୍ରା(୩୫ବର୍ଷ)। ସେହିପରି ଆଉ ଦୁଇଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପରେ ଜରାସିଂହା ଗାଁ ସ୍ତବ୍‌ଧ ହୋଇଯାଇଛି। ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବାରୁ ଉତ୍ତେଜନା ଆଶଙ୍କା କରି ଗାଁରେ ପୁଲିସ ଫୋର୍ସ ଜଗି ରହିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜରାସିଂହା ହରିଜନପଡ଼ାର କିଛି ଛେଳି ଚରାଳି ଓ ବାହାରପଡ଼ାର ଧନମତ ରାଉତ ଜରାସିଂହା-କୁଲିହାବାହାଲ ରାସ୍ତାରେ ଥିବା ପୋଲ ନିକଟ ପଡ଼ିଆକୁ ଛେଳି ଚରାଇବାକୁ ନେଇଥିଲେ। ଏହି ସମୟରେ କୌଣସି କାରଣକୁ କେନ୍ଦ୍ର କରି ସେଠାକୁ ଛେଳି ଚରାଇବାକୁ ଯାଇଥିବା ଶ୍ରୀପତି ବେସ୍ରାଙ୍କ ସହ ଧନମତ ରାଉତଙ୍କ ଝଗଡ଼ା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାଡ଼ପିଟ ହୋଇଥିବା ଗାଁ ଲୋକଙ୍କଠାରୁ ସୂଚନା ମିଳିଛି। ଏହି ଘଟଣା ପରେ ହରିଜନପଡ଼ାର ୧୦ରୁ ୧୫ଜଣ ମହିଳା ଓ ପୁରୁଷ ଧନମତଙ୍କ ଘରକୁ ଆସି ମାଡ଼ପିଟ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଧନମତଙ୍କୁ ଏକ ରଫାରେ ହାଣି ହତ୍ୟା କରି ଚାଲିଯାଇଥିବା ଧନମତଙ୍କ ପୁଅ ନୀଳାମ୍ବର ରାଉତ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଏହି ଗୋଷ୍ଠୀ ସଂଘର୍ଷରେ ହରିଜନପଡ଼ାର ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଶ୍ରୀପତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ କର୍ମ ସୁନା ଓ ବ୍ରହ୍ମା ସୁନା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳକୁ ଦେଓଗାଁ ପୁଲିସ ଓ ତୁଷୁରା ଆଇଆଇସି ଯଶୋବନ୍ତ ପ୍ରଧାନୀ ପହଞ୍ଚି ଶବ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର