ଗୁଣି ସନ୍ଦେହରୁ ବିସ୍ଫୋରକ ପରିସ୍ଥିତି; ମହିଳାଙ୍କୁ ପିଟିପିଟି ହତ୍ୟା, ୫ ଗୁରୁତର

କବିସୂର୍ଯ୍ୟନଗର : ଗୁଣି ସନ୍ଦେହରେ ଗୋଟିଏ ଗାଁର ୩ଟି ପରିବାରକୁ ସଂଘବଦ୍ଧ ଆକ୍ରମଣ ସହିତ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଆକ୍ରମଣରେ ୫ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ରହିଛନ୍ତି, ମୃତ ମହିଳାଙ୍କ ସ୍ବାମୀ ଓ ୨ ପୁଅ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କନିଆରି ପଞ୍ଚାୟତ ମଧୁରଝୋଳ ଗ୍ରାମରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତକ ମହିଳା ହେଉଛନ୍ତି, ଗ୍ରାମର ଯୁଧିଷ୍ଠିର ନାହାକଙ୍କ ପତ୍ନୀ ଝୁନୁ (୫୦)। ଗୁଣିଗାରେଡ଼ିକୁ କେନ୍ଦ୍ରକରି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଝୁନୁ। ସୂଚନା ଅନୁସାରେ, ଏକମାସ ତଳେ ମଧୁରଝୋଳ ଗ୍ରାମରେ କୌଣସି କାରଣରୁ ୫ରୁ ଅଧିକ ପିଲାଙ୍କ ଅକାଳ ମୃତ୍ୟୁ ହୋଇଥିଲା। ଏଥିପାଇଁ ଗ୍ରାମବାସୀ ଗୁଣିଗାରେଡି ହୋଇଥିବା ସନ୍ଦେହ କରିଥିଲେ। ଗୁଣିଆର ସାଧନା ଯୋଗୁଁ ହିଁ ପିଲାଙ୍କ ମୃତ୍ୟୁ ହୋଇଥିବା କୁଆଡ଼େ ପ୍ରେତାତ୍ମା ସବାର ହୋଇଥିବା ମହିଳା ଜଣକ କହିଥିଲେ। ଏଥିରେ ରାଜେନ୍ଦ୍ର ନାହାକ, ଯୁଧିଷ୍ଠିର ନାହାକ, ବିଷ୍ଣୁ ନାହାକ ଓ କାମେଶ୍ବର ନାହାକ ସଂପୃକ୍ତି ବୋଲି କହିଥିଲେ। ଏହାକୁ ନେଇ ଗତ ୨୫ ତାରିଖ ଦିନ ଗ୍ରାମର ଗୁଡ଼ୁ ନାହାକ ନାମକ ଜଣେ ଯୁବକ ଯୁଧିଷ୍ଠିରଙ୍କ ମୁଣ୍ଡ ଫଟାଇଦେବା ସହ ମାଡ଼ ମାରିଥିଲା। ଏନେଇ ଯୁଧିଷ୍ଠିର ବାଲିଛାଇ ଫାଣ୍ଡିରେ ଏତଲା ଦେବାପରେ ଗତକାଲି ପୁଲିସ ଗୁଡ଼ୁଙ୍କୁ ଥାନାକୁ ପଚରାଉଚରା ପାଇଁ ଡାକିଥିଲା। ଏଥିପାଇଁ ଗତକାଲି ସନ୍ଧ୍ୟାରୁ ଗାଁରେ ଚାପା ଉତ୍ତେଜନା ଆରମ୍ଭ ହୋଇଯାଇଥିଲା। ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇଥିବା ଜାଣି ଯୁଧିଷ୍ଠିର ଗାଁରୁ ଚମ୍ପଟ୍ ମାରିଥିଲେ। ସମାନ ସନ୍ଦେହରେ ଗ୍ରାମବାସୀମାନେ ଅନ୍ୟ ୨ଜଣ ବ୍ୟକ୍ତି ରାଜେନ୍ଦ୍ର ନାହାକ ଓ ବିଷ୍ଣୁ ନାହାକଙ୍କୁ କାବୁ କରିନେଇଥିଲେ। ରାତି ୧୦ଟାରେ ଗ୍ରାମମଣ୍ଡପରେ ଦଉଡ଼ିରେ ଦୁହିଁଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ରେ ଲହୁଲୁହାଣ ହୋଇଯାଇଥିଲେ ରାଜେନ୍ଦ୍ର ଓ ବିଷ୍ଣୁ। ଏହାପରେ, ଯୁଧିଷ୍ଠିରଙ୍କ ଘରେ ଧସେଇ ପଶି ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ଯୁଧିଷ୍ଠିରଙ୍କ ପତ୍ନୀ ଝୁନୁଙ୍କୁ ପିଟିପିଟି ମାରିଦେଇଥିଲେ। ଏହିସମୟରେ ମଧୁରଝୋଳ ଗ୍ରାମ ଯେମିତି ରଣକ୍ଷେତ୍ର ପାଲଟିଯାଇଥିଲା।

୩ ପରିବାର ଉପରେ ଗ୍ରାମବାସୀଙ୍କ ଆକ୍ରମଣ
ଗ୍ରାମବାସୀ-ପୁଲିସ ମୁହାଁମୁହିଁ ୨୦ ମହିଳା, ୧୩ ପୁରୁଷ ଗିରଫ

 

ସ୍ଥିତି ଏମିତି ହୋଇଥିଲା ଯେ, ପୁଲିସ ଯେମିତି ଗ୍ରାମ‌ରେ ପହଞ୍ଚି ନପାରିବ ଏଥିପାଇଁ ଶତାଧିକ ମହିଳାପୁରୁଷ ରାସ୍ତାରେ କାଠଗଣ୍ଡି ପକାଇଦେଇଥିଲେ। ରାତାରାତି ସଭା ଡାକି ଯୁଧିଷ୍ଠିରଙ୍କ ଦୁଇପୁଅ ଯୋଗେଶ୍ବର ଓ ସାଗରଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଘଟଣା ସମ୍ପର୍କରେ ଖବର ବ୍ଲକ୍ ଉପାଧ୍ୟକ୍ଷ ବୀରେନ୍ଦ୍ର ଖଟେଇ ଓ ସେମାନଙ୍କ ସହଯୋଗୀମାନେ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥି‌ଲେ। କବିସୂର୍ଯ୍ୟନଗର ପୁଲିସ ସହାୟତାରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ରାଜେନ୍ଦ୍ର ଓ ବିଷ୍ଣୁଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଆସିକା ଡାକ୍ତରଖାନାକୁ ଅଣାଯାଇଥିଲା। ଏହିସମୟରେ ଗ୍ରାମବାସୀ-ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟାରେ ପୁଲିସ ଚଢ଼ଉ କରି ଝୁନୁଙ୍କ ଶବକୁ ଜବତ କରିଥିଲା। ଆଉ ୯ ଜଣକୁ ଥାନାକୁ ଆଣିଥିଲା। ଏଥିରେ ଗ୍ରାମବାସୀ ଆହୁରି ଉତ୍ତ୍ୟକ୍ତ ହୋଇଉଠିଥିଲେ। ଅନ୍ଧାରରେ ଟେକାପଥର ମାଡ଼ ମାରିଥିଲେ। ଆଜି ସକାଳୁ ପୁଣି ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଥିଲା।

ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ ସାହୁ, କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁ, ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର ମଲ୍ଲିକ, ବାଲିଛାଇ ଫାଣ୍ଡି ଅଧିକାରୀ ସୁଜିତ କୁମାର ରାଉତ ଓ ପୁରୁଷୋତ୍ତମପୁର ଥାନା ଆଇଆଇସି ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସହ ୪ ପ୍ଲାଟୁନ ‌ପୁଲିସ ଫୋର୍ସ ଗାଁରେ ପହଞ୍ଚିଥିଲେ। ଏହାସହ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ବିଭିନ୍ନ ପର୍ଯ୍ୟାୟରେ ପୁଲିସ ଚଢ଼ଉ କରି ୪୦ରୁ ଅଧିକ ମହିଳା ଓ ୧୫ରୁ ଅଧିକ ଯୁବକଙ୍କୁ ଉଠାଇଆଣିଥିଲା। ଯୁଧିଷ୍ଠିରଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ମାମଲା ରୁଜୁ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳା ଓ ୧୩ ଜଣ ପୁରୁଷ ଏଭଳି ଭାବେ ମୋଟ ୩୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୨୫ରୁ ଅଧିକ ଅଟକଙ୍କୁ ପଚରାଉଚରା କରାଯାଇଛି। ଆଇନକୁ ହାତକୁ ନେଇଥିବାରୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ଝୁନୁଙ୍କ ଶବକୁ ଆସିକା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ଆହତମାନେ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗ୍ରାମ ପୁରୁଷଶୂନ୍ୟ ପାଲଟିଛି। ଅନ୍ୟପକ୍ଷରେ ଗ୍ରାମର ବହୁ ମହିଳା ଗିରଫ ହୋଇଥିବା ସହ ଅଟକ ଥିବାରୁ ସେମାନଙ୍କ ପିଲାମାନେ ଘର ବାରଣ୍ଡା ଆଗରେ କାନ୍ଦୁଥିବା ଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର