ନରସିଂହପୁର କଲେଜ ସମ୍ମୁଖରେ ଛାତ୍ର-ଅଣଛାତ୍ରଙ୍କ ତୁମୁଳକାଣ୍ଡ : ଟେକାପଥର ମାଡ଼, ପୁଲିସ୍‌ ଗାଡ଼ି-ବାଇକ୍ ଭଙ୍ଗାରୁଜା, ବିଦ୍ୟୁତ୍‌ ଖୁଣ୍ଟ ପକାଇ ରାସ୍ତାରୋକ, ଲାଠିଚାର୍ଜ

ନରସିଂହପୁର : ନରସିଂହପୁର କଲେଜ ସମ୍ମୁଖ ମୁଖ୍ୟରାସ୍ତାରେ ଆଜି ଦୁଇ ଛାତ୍ର ଓ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ଉଭୟପକ୍ଷ ପରସ୍ପରକୁ ଟେକାପଥର ମାଡ଼ କରିବା ସହିତ ପୁଲିସ ଗାଡ଼ି, ବାଇକ୍‌ ଆଦି ଭଙ୍ଗାରୁଜା‌ କରିଛନ୍ତି। ସେହିପରି ଗୋଟିଏ ଗୋଷ୍ଠୀ ପକ୍ଷରୁ ବିଦ୍ୟୁତ୍‌ ଖୁଣ୍ଟ ପକାଇ ରାସ୍ତାରୋକ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୁଲିସ୍‌ ପକ୍ଷରୁ ଲାଠିଚାର୍ଜ କରାଯିବାରୁ ଉଭୟ ପକ୍ଷ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି।

ପ୍ରକାଶ ଯେ ଗତ ଶନିବାର କଲେଜ ବାରଣ୍ଡାରେ ପଡ଼ିଥିବା ଚେୟାରରେ ବସିବାକୁ କେନ୍ଦ୍ର କରି +୨ ଛାତ୍ରମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏ ନେଇ ଅଧିକ ଉତ୍ତେଜନା ଦେଖା ଦେବାରୁ କଲେଜ କର୍ତ୍ତୃପକ୍ଷ ନରସିଂହପୁର ଥାନାକୁ ଖବର ଦେଇଥିଲେ। କଲେଜରେ ପୁଲିସ୍‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଆଜି କଲେଜ ଖୋଲିବା ପରେ ଉକ୍ତ ଘଟଣାକୁ କେନ୍ଦ୍ରକରି କିଛି ଅଣଛାତ୍ର ଓ +୨ ଛାତ୍ରଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା। ଏହାପରେ ଗୋଟିଏ ଗୋଷ୍ଠୀ +୨ ଛାତ୍ରଙ୍କ ଦୁଇଟି ବାଇକ୍‌ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷ ଟେକାପଥର ମାଡ଼ ଆରମ୍ଭ କରି ଦେଇଥିଲେ। ଫଳରେ ପୁଲିସ୍‌ ଗାଡ଼ିର ଆଗ ଓ ପଛ କାଚ ଭାଙ୍ଗି ଯାଇଥିଲା। ପରିସ୍ଥିତି କ୍ରମେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ବେଳେ ପୁଲିସ ଲାଠି ଚାଳନା କରିଥିଲା। ଏହାକୁ ନେଇ କଲେଜ ନିକଟ କଟକ-ନରସିଂହପୁର ମୁଖ୍ୟରାସ୍ତାର ଡାଳଖାଇ ଛକ ନିକଟରେ ଗୋଟିଏ ଗୋଷ୍ଠୀର ଯୁବକମାନେ ବିଦ୍ୟୁତ୍‌ ଖୁଣ୍ଟ ପକାଇ ରାସ୍ତା ଅବରୋଧ କରିଥିଲେ। ଫଳରେ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ଖବର ପାଇ ନରସିଂହପୁର ଥାନାଧିକାରୀ ଲିଙ୍ଗରାଜ ଲେଙ୍କା, କାନପୁର ଥାନାଧିକାରୀ ସସ୍ମିତା ରଣାଙ୍କ ସମେତ ଦୁଇ ଥାନାର ସମସ୍ତ ପୁଲିସ କର୍ମଚାରୀ ଓ ସଶସ୍ତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲାଠି ଚାଳନା କରିଥିଲେ। ଘଟଣାସ୍ଥଳରୁ ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟାଯାଇ ଯାନବାହନ ଚଳାଚଳ ସ୍ବାଭାବିକ କରାଯାଇଥିଲା। କଲେଜ ନିକଟରେ ଯେପରି ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ନ ହେବ ସେଥିପ୍ରତି ପୁଲିସ ପକ୍ଷରୁ କଡ଼ା ନଜର ରଖାଯିବା ସହିତ ରାତ୍ରି ପାଟ୍ରୋଲିଂ ବଢ଼ାଇ ଦିଆଯାଇଥିବା ଥାନା ପକ୍ଷରୁ କୁହାଯାଇଛି। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଆଜି କଲେଜ ପରିସରରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଥିବା ତାଙ୍କ ପାଖରେ ସୂଚନା ନାହିଁ। ତେବେ କିଛି ଅଣଛାତ୍ର ଓ ଛାତ୍ର ଗୋଷ୍ଠୀ ମଧ୍ୟରେ କଲେଜ ବାହାରେ ଗଣ୍ଡଗୋଳ ହୋଇଛି। କଲେଜ ପୂର୍ବ ପରି ଖୋଲା ରହିବ ଏବଂ ଆସନ୍ତାକାଲି +୨ ପିଲାମାନଙ୍କୁ ରେଜିଷ୍ଟ୍ରେସନ କାର୍ଡ ଦିଆଯିବ। ସେହିପରି ବୁଧବାର ଠାରୁ +୩ ଛାତ୍ରଛାତ୍ରୀଙ୍କ ଇଣ୍ଟର୍‌ନାଲ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତମାସ ଛାତ୍ରୀଙ୍କୁ କମେଣ୍ଟମରାକୁ କେନ୍ଦ୍ରକରି ଦୁଇଥର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ କର୍ତ୍ତୃପକ୍ଷ ମହାବିଦ୍ୟାଳୟକୁ କିଛିଦିନ ସସ୍‌ପେଣ୍ଡ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ କଲେଜ ଖୋଲା ଯାଇଥିଲା। ଉକ୍ତ ଗଣ୍ଡଗୋଳକୁ ନେଇ ଆଜି ପୁନର୍ବାର ଏଭଳି ପରିସ୍ଥିତି ହୋଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର