ନେମାଳ/ନିଶ୍ଚିନ୍ତକୋଇଲି : ରାସ୍ତାରେ ସାଇଡ୍ ମରା ଏବଂ ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଂଚାୟତରେ ଘଟିଛି ତୁମୁଳକାଣ୍ଡ। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ପୋଡି ଦେଇଥିବା ବେଳେ ପୁଲିସ ଉପରକୁ ଢେଲା ମାଡ଼ କରିଛନ୍ତି। ଏହି ଘଟଣାରେ ୧୦ରୁ ଅଧିକ ପୁଲିସ କର୍ମଚାରୀ ଏବଂ ୫ରୁ ଅଧିକ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍ ଲାଠି ମାଡ଼ କରିଛି। କଟକ ଏସ୍ପି ମାଧବ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଘଟଣାସ୍ଥଳରେ ପହଞ୍ଚି ଛନ୍ତି। ୧୦ ପ୍ଲାଟୁନ୍ରୁ ଅଧିକ ଫୋର୍ସ ଘଟଣାସ୍ଥଳରେ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ ରାତି ୯ଟାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ୩ ଜଣ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ନରେନ୍ଦ୍ରପୁର ପଂଚାୟତର ସୋନୁ ବେହେରା ଓ ବିଶ୍ୱନାଥ ବେହେରାଙ୍କ ମଧ୍ୟରେ ରାସ୍ତାରେ ସାଇଡ ଦେବାକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ସୋନୁ ତାର ଦୁଇ ଜଣ ଅନ୍ୟ ସଂପ୍ରଦାୟର ବନ୍ଧୁଙ୍କୁୁ ଗାଁକୁ ଡକାଇ ଆଣି ବିଶ୍ୱନାଥଙ୍କୁ ଗାଳିଗୁଲଜ ଓ ମାଡ଼ ମାରିଥିଲେ। ଫଳରେ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ସେହି ଦୁଇ ଯୁବକଙ୍କୁ ଅଟକ ରଖିଥିଲେ। ପରେ ସ୍ଥାନୀୟ ସରପଂଚ ଓ ମୁସଲିମ୍ ବସ୍ତିର ସର୍ଦ୍ଦାର ଘଟଣାସ୍ଥଳରେ ପହଂଚି ଅଟକ ଦୁଇ ଯୁବକଙ୍କୁ ସେଠାରୁ ଆଣି ବିବାଦର ସମାଧାନ କରିବାକୁ ଉଦ୍ୟମ କରୁଥିଲା ବେଳେ ୩୦ରୁ ଅଧିକ ଯୁବକ ସ୍ଥାନୀୟ ଗ୍ରାମବାସୀଙ୍କୁ ଆକ୍ରମଣ କରିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା। ଉଭୟପକ୍ଷ ମଧ୍ୟରେ ପ୍ରବଳ ଢେଲା ପଥର ମାଡ ହୋଇଥିଲା। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ନେମାଳ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ ହୋଇଛି।