ପୁରୀ : ପୁରୀ ବଡ଼ଦାଣ୍ଡର ମରିଚିକୋଟ ଛକ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଭିକ୍ଷାବୃତ୍ତିକୁ ନେଇ ଭିକାରି ଓ ଜଣେ ରିକ୍ସାଚାଳକ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଭିକାରିଙ୍କ ମାଡ଼ରେ ରିକ୍ସା ଚାଳକ ଲହୁଲୁହାଣ ହୋଇଛନ୍ତି। ସେପଟେ ରିକ୍ସା ଚାଳକଙ୍କ ପାଲଟା ଆକ୍ରମଣରେ ଜଣେ ଭିକାରିଙ୍କ ମୁଣ୍ଡ ଫାଟିଛି। ଉଭୟଙ୍କୁ ପୁଲିସ ଥାନାକୁ ଆଣିଛି।
ଏ ନେଇ ଉଭୟ ଭିକାରି ଓ ରିକ୍ସା ଚାଳକ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି। ଆଜି ପୂର୍ବାହ୍ଣରେ ବଡ଼ଦାଣ୍ଡର ମରିଚିକୋଟ ଛକ ନିକଟରେ ଭିକ୍ଷା ବୃତ୍ତି କରୁଥିବା ଭିକ୍ଷୁକଙ୍କ ସମ୍ମୁଖରେ ଜଣେ ରିକ୍ସା ଚାଳକ ରିକ୍ସା ରଖି ଦେଇଥିଲେ। ଏହାକୁ ନେଇ ଗୌଡ଼ୀୟ ମଠ ନିକଟରେ ଭିକ ମାଗୁଥିବା ଗିରିଜା ଶଙ୍କର ମିଶ୍ର ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ପରସ୍ପରକୁ ଆକ୍ରମଣ କରିଥିଲେ। ଖବର ପାଇ ପିସିଆର୍ ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ଭିକ୍ଷା ପାଇଁ ଗଣ୍ଡଗୋଳ ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି।