କମେଣ୍ଟମରାକୁ କେନ୍ଦ୍ର କରି ଲଙ୍କାକାଣ୍ଡ : ଖଣ୍ଡା ଚୋଟରେ ୧୦, ବୋମା ମାଡ଼ରେ ୫ ଆହତ

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ, ଥାନାରେ ଉଭୟ ଗୋଷ୍ଠୀର ୧୨ ଅଟକ

ପୁରୀ : କମେଣ୍ଟ ମରାକୁ କେନ୍ଦ୍ର କରି ଆଜି ପୁରୀ ବଳିଆପଣ୍ଡା ବସ୍ତି ରକ୍ତରଞ୍ଜିତ ହୋଇଥିବା ବେଳେ ଖଣ୍ଡା ଚୋଟରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଦୁର୍ବୃତ୍ତମାନେ ପୁଲିସ ଉପରକୁ ଲକ୍ଷ୍ୟ କରି ୫ଟି ବୋମା ଫିଙ୍ଗିଥିଲେ। ଏହି ଘଟଣା ପ୍ରତିବାଦରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଅନ୍ୟପଟେ ପୁଲିସ ଉଭୟ ପକ୍ଷରୁ ୧୨ ଜଣଙ୍କୁ ଥାନାକୁ ନେଇ ଅଟକ ରଖିଛି। ଦୀର୍ଘ ୪ ଘଣ୍ଟା କାଳ ବଳିଆପଣ୍ଡା ଅଞ୍ଚଳରେ ଛକାପଞ୍ଝା ଲାଗି ରହିଥିବା ବେଳେ ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ୍ ହୋଇଛି।

ମିଳିଥିବା‌ ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନରେ ବଳିଆପଣ୍ଡା ଥାନା ମଙ୍ଗଳା ସାହିର ବାପି ଦାସଙ୍କ ପରିବାର ଲୋକେ ଶ୍ବେତଗଙ୍ଗା ପୁଷ୍କରିଣୀକୁ ଦଶାହ କର୍ମ ପାଇଁ ଯାଇଥିଲେ। ଏହି ସମୟରେ ତୁଠକୁ ଆସିଥିବା କେତେକ ଯୁବତୀଙ୍କୁ କଣ୍ଡରା ସାହିର କିଛି ଯୁବକ କମେଣ୍ଟ ମାରିଥିଲେ। ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ମଙ୍ଗଳା ସାହିର ଗଣେଶ ନାମକ ଜଣେ ଯୁବକ ତାଙ୍କ ଅଟୋ ନେଇ ଯାଉଥିବା ବେଳେ ବିରୋଧୀ ଗୋଷ୍ଠୀ ତାଙ୍କୁ ଅଟକାଇ ମାରପିଟ୍ କରିଥିଲେ। ଘଟଣା ସଂପର୍କରେ ଗଣେଶ ତାଙ୍କ ସାହି ଲୋକଙ୍କୁ କହିବାରୁ ସାହି ଲୋକେ କଣ୍ଡରା ସାହିକୁ ଯାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗଣେଶ ବିଶ୍ବାଳ, ଗଦାଧର ବିଶ୍ବାଳ, ଗୀତାଞ୍ଜଳି ଦାସ, ପିଣ୍ଟୁ ମଣ୍ଡଳ, ସାବିତ୍ରୀ ମଣ୍ଡଳ, ବାପି ଦାସ, ରାମ ବେହେରା, ମନୋଜ ମଣ୍ଡଳ, ପୁଷ୍ପା ପ୍ରଧାନ ପ୍ରମୁଖ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ମାତ୍ର ଏହି ସମୟରେ ଦୁର୍ବୃତ୍ତମାନେ ସେଠାରେ ୫ରୁ ଅଧିକ ବୋମାମାଡ଼ କରିଥିଲେ। ଗୋଟିଏ ବୋମା ଫୁଟିଥିବା ବେଳେ ସୌଭାଗ୍ୟବଶତଃ ଅନ୍ୟ ୪ଟି ଫୁଟିନଥିଲା। ବୋମା ମାଡ଼ରେ ୫ ଜଣ ଗୁରୁତର ଆହତ‌ ହୋଇଛନ୍ତି। ଏହି ବୋମା ମଧ୍ୟରୁ ଗୋଟିଏ ପୁଲିସ ଉପରେ ପଡ଼ିଥିଲେ ମଧ୍ୟ ଏହା ନଫୁଟିବାରୁ ସେଠାରେ ଥିବା ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାସ୍ଥଳରୁ ପୁଲିସ ଉଭୟ ପକ୍ଷର ୬ ଜଣ ଲେଖା ଯୁବକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଦୀର୍ଘ ୪ ଘଣ୍ଟା କାଳ ଉତ୍ତେଜନା ଲାଗି ରହିଥିଲା।

ସମ୍ବନ୍ଧିତ ଖବର