କାଜୁ ବଗିଚା ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ : ରାଣୀଗାଡ଼ିଆ ଗାଁ ରଣକ୍ଷେତ୍ର; ୨ ମୃତ, ୧୩ ଆହତ

ରଣପୁର/ଟାଙ୍ଗୀ : ରଣପୁର ବ୍ଲକ୍‌ ଅନ୍ତର୍ଗତ ରାଇପଡ଼ା ପଞ୍ଚାୟତ ଅଧୀନ ରାଣୀଗାଡ଼ିଆ ଗାଁ’ରେ ଆଜି କାଜୁ ବଗିଚା ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଟାଙ୍ଗୀ ହସ୍‌ପିଟାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।

ଅଭିଯୋଗ ମୁତାବକ ରାଇପଡ଼ା ଗାଁ’ର ସୁବଳ ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ ରଣପୁର ବ୍ଲକ୍‌ ଅନ୍ତର୍ଗତ ରାଇପଡ଼ା ପଞ୍ଚାୟତ ଅଧୀନ କଦମଝୋଲା–୩ କାଜୁ ବଗିଚାରୁ ମଞ୍ଜି ସଂଗ୍ରହ କରିବା ପାଇଁ ଭୁବନେଶ୍ବରସ୍ଥିତ ଓଡ଼ିଶା କାଜୁ ଉନ୍ନୟନ ନିଗମ ତରଫରୁ ନିଲାମ ନେଇଥିଲେ। ଏ ନେଇ ଆଜି ୮ ଜଣ ଲୋକ ୯ ବସ୍ତା ମଞ୍ଜି ସଂଗ୍ରହ କରିଥିବା ବେଳେ ହଠାତ୍ ପୂର୍ବାହ୍‌ଣ ୯ଟାରେ ରାଇପଡ଼ା ନୂଆସାହିର ଅଶୋକ ଭଟ୍ଟ, କେଳୁ ବେହେରା, ସୁର ମାଝି, ହାଡ଼ିଆ ବେହେରା, ବ୍ରହ୍ମଚାରୀ ମାଝି, ଧନୁ ବେହେରା, ହାଡ଼ିଆ ପଲେଇଙ୍କ ସମେତ ୩୦/୪୦ ଜଣ ବ୍ୟକ୍ତି ହାତରେ ଖଣ୍ତା ଧରି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଡୁଙ୍ଗ ପ୍ରଧାନ (୪୦) ଓ ବିରଞ୍ଚି ପ୍ରଧାନ (୫୫) ଗୁରୁତର ଆହତ ହୋଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ତୁରନ୍ତ ଟାଙ୍ଗୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡୁଙ୍ଗଙ୍କର ମୃତ୍ୟୁ ଘଟିଥିଲା। ପରେ ବିରଞ୍ଚିଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିପରି ଏହି ସଂଘର୍ଷରେ ଗୋଟିଏ ଗୋଷ୍ଠୀର ରାଧା ପ୍ରଧାନ (୨୫), ସତ୍ୟ ନାୟକ (୪୦), ବସନ୍ତ ନାୟକ (୪୫), ଶାନ୍ତି ନାୟକ (୪୦), ସବିତା ନାୟକ (୩୦), ପଞ୍ଚେଇ ନାୟକ (୪୦), ସୁମି ନାୟକ (୨୮), ମଞ୍ଜୁ ନାୟକ (୩୫), ଭଜି ପ୍ରଧାନ (୨୨) ଆଦି ଆହତ ହୋଇଥିବା ବେଳେ ବିପକ୍ଷ ଗୋଷ୍ଠୀର ଅନନ୍ତ ବେହେରା (୫୦), ଗଜି ବେହେରା (୫୨), ଅଜୟ ବେହେରା (୨୫) ଆହତ ହୋଇଛନ୍ତି। ସେମାନଙ୍କୁ ଟାଙ୍ଗୀ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ରାଣିଗାଡ଼ିଆ-ବଳରାମପୁର ମୌଜାରେ ଥିବା କାଜୁ ବଗିଚାକୁ ରାଇପଡ଼ା ଗାଁ’ର ନକୁଳ ଭୁଜବଳ ନାମକ ଜଣେ ବ୍ୟକ୍ତି କୁଆଡ଼େ ୨୦୧୭-୧୮ ମସିହା ପାଇଁ ଭୁବନେଶ୍ବରସ୍ଥିତ ଓଡ଼ିଶା କାଜୁ ଉନ୍ନୟନ ନିଗମ ତରଫରୁ ନିଲାମ ନେଇଥିଲେ। ଏହି ବଗିଚାରୁ ସେ କାଜୁ ସଂଗ୍ରହ କରି ଆସୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ କାଜୁ ବଗିଚାକୁ ଆଉ ନିଲାମ ଦିଆଯାଇନଥିଲା। ଫଳରେ ଆଦିବାସୀ ସାହିର ଲୋକମାନେ ଜୋର୍‌ଜବରଦସ୍ତ ମଞ୍ଜି ସଂଗ୍ରହ କରିବା ସାଙ୍ଗକୁ ଭୁଜବଳ ଗୋଷ୍ଠୀଙ୍କୁ କାଜୁ ଜଙ୍ଗଲ ଭିତରକୁ ପ୍ରବେଶ କରାଇ ଦେଉନଥିଲେ। ଏ ନେଇ ଦୀର୍ଘ ୩ ବର୍ଷ ଧରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ବେଳେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା। ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଗଲା ବୋଲି ସରପଞ୍ଚ ବ୍ରହ୍ମଚାରୀ ମାଝୀ କହିଛନ୍ତି। ୨୧ ବର୍ଷ ତଳେ ୧୯୯୯ ମସିହାରେ ସଂଘର୍ଷ ଘଟି ବାଉରୀବନ୍ଧୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିଲା। ତେବେ ସ୍ଥାନୀୟ ପ୍ରଶାସନ ଓ ପୁଲିସର ଅପାରଗତା ଯୋଗୁ ଏଭଳି ନାରକୀୟ କାଣ୍ତ ଘଟିଲା ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି। ଘଟଣାସ୍ଥଳରେ ଏସ୍‌ଡିପିଓ ଏସ୍‌.ଟପୋ ଓ ଆଇଆଇସି ଡି. ନାହାକ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର