ପର୍ଜଙ୍ଗ : ସାମାନ୍ୟ କଥାକୁ କେନ୍ଦ୍ରକରି ଗତ ରାତିରେ ସରାଙ୍ଗ ଆଇଜିଆଇଟି(ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି)ରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଉଭୟ ଗୋଷ୍ଠୀ ମାଡ଼ପିଟ ହେବାରୁ ୨ଜଣ ଛାତ୍ର ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ଲାଗି ତାଳଚେର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ସେଠାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ଶିକ୍ଷାନୁଷ୍ଠାନ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୧ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରି ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଆଜି ସଂଧ୍ୟାସୁଦ୍ଧା ମୋଟ ୫ଟିରୁ ୨ଟି ହଷ୍ଟେଲ ଖାଲି କରିଦିଆଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ହଷ୍ଟେଲରେ ରହୁଥିବା ଅନୁଷ୍ଠାନର ତୃତୀୟ ବର୍ଷର କେତେକ ଛାତ୍ର ଶେଷ ବର୍ଷର କିଛି ଛାତ୍ରଙ୍କୁ ଗତକାଲି ସକାଳେ ‘ଗୁଡ଼ମର୍ଣ୍ଣିଂ’ କହିଲେ ନାହିଁ। ଏଥିଯୋଗୁଁ ଶେଷବର୍ଷ ଛାତ୍ରଙ୍କର ତୃତୀୟ ବର୍ଷ ଛାତ୍ରଙ୍କ ଉପରେ ଅସନ୍ତୋଷ ଥିଲା। ଏହାକୁ କେନ୍ଦ୍ରକରି ଗତକାଲି ରାତିରେ ‘ଭାସ୍କର’ ଓ ‘ବ୍ରହ୍ମୋସ୍’ ହଷ୍ଟେଲରେ ରହୁଥିବା ତୃତୀୟ ଓ ଶେଷ ବର୍ଷ ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାଡ଼ପିଟ ହୋଇଥିଲା। ଫଳରେ ଜଣଙ୍କର ମୁଣ୍ଡ ଫାଟିଥିବାବେଳେ ଅନ୍ୟଜଣଙ୍କ ଗୋଡ଼ରେ କାଚ ବୋତଲ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ଉଭୟ ଛାତ୍ର ତାଳଚେର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି।