କମେଣ୍ଟମରାକୁ ନେଇ ରଥ ନିର୍ମାଣରେ ନିୟୋଜିତ ମହାରଣା ସେବକଙ୍କ ମଧ୍ୟରେ ମାରପିଟ୍‌

ପୁରୀ : ରଥଖଳାରେ ରଥ ନିର୍ମାଣରେ ନିୟୋଜିତ ମହାରଣା ସେବକ ଭିତରେ ଖାଇବାକୁ ନେଇ ତୁମୁଳକାଣ୍ଡ ଘଟିଛି। ଏହି ଘଟଣାରେ ମହାରଣା ସେବକ ଲକ୍ଷ୍ମଣ ମହାପାତ୍ର ଓ ତାଙ୍କ ପୁଅ ସୁଧାକର ମହାପାତ୍ର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ଘର ବଳଗଣ୍ଡି ନୂଆସାହିରେ। ଏ ସଂପର୍କ‌ରେ ଲକ୍ଷ୍ମଣ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ମୁତାବକ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବକଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଛି। ଆଜି ଦ୍ବିପ୍ରହରରେ ରଥ ନିର୍ମାଣ କାମ ‌ଶେଷ ପରେ ଲକ୍ଷ୍ମଣ ଓ ତାଙ୍କ ପୁଅ ସୁଧାକର ଖାଇବାକୁ ଯାଇଥିଲେ। ଏହି ସମୟରେ ସୁଭଦ୍ରାଙ୍କ ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣାଙ୍କ ପୁଅ ନାରୁଆ ମହାରଣାଙ୍କ ସମେତ ତିନି ପୁଅ, ନାତି କମେଣ୍ଟ କରିଥିଲେ। ଏଠାରେ କ’ଣ ଖାଉଛୁ, ଘରେ ଖାଇ ଆସୁନୁ କହି ତାତ୍ସଲ୍ୟ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇପକ୍ଷଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ନାରୁଆ ନିଜ ଭାଇ ଓ ପୁତୁରାମାନଙ୍କ ସହ ମିଶି ଲକ୍ଷ୍ମଣ ଓ ସୁଧାକରଙ୍କୁ ମାଡ଼ ମାରିଥିଲେ। ଏଥିରେ ଦୁଇଜଣ ରକ୍ତାକ୍ତ ହୋଇ ଆହତ ଅବସ୍ଥାରେ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର