ବଣାଇଗଡ଼: ସାମାନ୍ୟ କଥାକୁ ନେଇ ବଣାଇରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହାକୁ ନେଇ ଆଜି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ଫଳରେ ବିଳମ୍ବିତ ରାତିରେ ଡିଆଇଜି ଓ ଏସ୍ପି ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ସହରରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ୮ଜଣଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁସାରେ, ଶନିବାର ବଣାଇ ସହର ରଥଛକ ନିକଟରେ ଥିବା ଏକ ଜିମ୍ ବା ଫିଟ୍ନେସ୍ କ୍ଲବ୍ରେ କୌଣସି କଥାକୁ ନେଇ ଦୁଇଗୋଷ୍ଠୀର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଜିମ୍ ଟ୍ରେନର ଉଭୟ ଗୋଷ୍ଠୀଙ୍କୁ ବାହାରକୁ ପଠାଇ ଦେଇଥିଲେ। ବାହାରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଭୀଷଣ ରୂପନେବା ସହ କିଛି ଯୁବକଙ୍କ ଉପରେ ଆକ୍ରମଣ ହୋଇଥିଲା। ସ୍ଥାନୀୟଲୋକ ଓ ପାଟ୍ରୋଲିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ସମସ୍ତେ ପଳାଇ ଯାଇଥିଲେ। ତେବେ ମାଡ଼ ଖାଇଥିବା ଯୁବକମାନଙ୍କ ସହିତ ଶତାଧିକ ଯୁବକ ରବିବାର ବଣାଇର ଏକ ବସ୍ତିକୁ ଯାଇ ଆକ୍ରମକାରୀଙ୍କୁ ଖୋଜିଥିଲେ। ସେଠାରେ ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ।
ତିନି ପ୍ଲାଟୁନ୍ ଫୋର୍ସ ମୁତୟନ, ୮ ଅଟକ
ବିଳମ୍ବିତ ରାତିରେ ପହଞ୍ଚିଲେ ଏସ୍ପି, ଡିଆଇଜି
ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ବୈଠକ
ପୁଣି ସନ୍ଧ୍ୟାରେ ଅନ୍ୟଜଣକୁ ଏକ ଦୋକାନ ସମ୍ମୁଖରେ ମାଡ଼ ମାରିଥିଲେ। ସହର ତଥା ଆଖପାଖ ଅଞ୍ଚଳର ଶତାଧିକ ଯୁବକ ଉକ୍ତ ବସ୍ତିରେ ପଶି ଏକ ଦୋକାନକୁ ଭାଙ୍ଗି ଦେଇଥିଲେ। ଏହାପରେ ପୁଲିସ ଫୋର୍ସ ପହଞ୍ଚି ବସ୍ତିକୁ ଜଗି ରହିଥିଲେ। ପରିସ୍ଥିତି ଜଟିଳ ହେବାରୁ ଆଜି ବିଳମ୍ବିତ ରାତିରେ ରାଉରକେଲା ଡିଆଇଜି ବ୍ରିଜେଶ ରାୟ ଓ ଏସ୍ପି ନୀତେଶ ୱାଧୱାନୀ ବଣାଇରେ ପହଞ୍ଚିଥିଲେ। ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ଯୁବକମାନେ ଶାନ୍ତ ପଡ଼ିଥିଲେ। ସୋମବାର ପୁଲିସ ଉଭୟ ଗୋଷ୍ଠୀର ୮ ଜଣଙ୍କୁ ଥାନାରେ ଅଟକ ରଖିଛି। ବଣାଇରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହରେକୃଷ୍ଣ ମାଝୀଙ୍କ ତତ୍ତ୍ବାବଧାନରେ ୫ ଜଣ ଇନ୍ସ୍ପେକ୍ଟର, ତିନି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ସୋମବାର ସନ୍ଧ୍ୟାରେ ବଣାଇ ଉପଖଣ୍ଡ ମାଜିଷ୍ଟ୍ରେଟ୍ ତଥା ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଉଭୟପକ୍ଷଙ୍କ ମତାମତ ନିଆଯାଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ନହେବା ପାଇଁ ଯତ୍ନଶୀଳ ହେବେ ଓ ନିଜଗୋଷ୍ଠୀର ଦାୟିତ୍ୱନେଇ ପ୍ରତି ସପ୍ତାହରେ ଏକ ବୈଠକ କରି ଶାନ୍ତି ବଜାୟ ରଖିବା ପାଇଁ ଆଲୋଚନା କରିବେ। ଯେଉଁମାନେ ଅମାନିଆ ହେବେ ସେମାନଙ୍କୁ ତାଙ୍କର ଅଭିଭାବକ ବୁଝାଇବେ ବୋଲି ଆଲୋଚନା କରାଯାଇଥିଲା। ବୈଠକରେ ବଣାଇ ରାଜାସାହେବ ବୀରକେଶରୀ ଇନ୍ଦ୍ରଦେଓ ଦେବ, ସହକାରୀ ଜ଼ିଲ୍ଲାପାଳ କୁଳମଣି ଧଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାଝୀ, ବଣାଇ ତହସିଲଦାର ସମ୍ବିତ ଦାଶ, ଲହୁଣିପଡ଼ା ତହସିଲଦାର ବାବୁଲି ପେରେଇ, ଉପଖଣ୍ଡ ପୁଲିସ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ, ଥାନାଧିକାରୀ ଜ୍ଞାନେନ୍ଦ୍ର ସାହୁଙ୍କ ସମେତ ଉଭୟ ଗୋଷ୍ଠୀର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।