ହରଭଙ୍ଗା : ବୌଦ୍ଧ ଜିଲ୍ଲା ଉପାନ୍ତ ମହାଲ୍ଲିକପଡା ପଞ୍ଚାୟତ ଅନ୍ତର୍ଗତ ନୂଆଁପଡା ଗ୍ରାମରେ ହେଉଥିବା ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳ ପଡିଆ ରଣକ୍ଷେତ୍ର ପାଲଟି ଯାଇଥିଲା ।ଏଥିରେ ଉଭୟ ଫାଇନାଲ ଖେଳାଳିଙ୍କ ମଧ୍ୟରେ ମାଡପିଟ ହୋଇ କେତେଜଣ ଆହତ ହୋଇଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ମତେ ନୂଆଁପଡା ଠାରେ କିଛିଦିନ ଧରି ଚାଲିଥିବା ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର କୁଶଙ୍ଗ ଓ ହରଭଙ୍ଗା ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ କୁଶଙ୍ଗ ଦଳକୁ ହରାଇ ହରଭଙ୍ଗା ଦଳ ବିଜୟୀ ହେବାପରେ ନିଶାସକ୍ତ ହୋଇ ସ୍ଥାନୀୟ କିଛି ମଦ୍ୟପ ଉନ୍ମତ ହୋଇଥିଲେ। ଏଥିରେ ପ୍ରତିକ୍ରିୟା ଶୀଳ ହୋଇ ହରଭଙ୍ଗା ଦଳର କିଛି ଖେଳାଳି ତାଙ୍କ ସହ ବଚସା ଆରମ୍ଭ ହୋଇଥିଲା। ଏଥିରେ କୁଶଙ୍ଗର କିଛି ଖେଳାଳି ସାମିଲ ହେବାରୁ ସେମାନଙ୍କ ମଧ୍ୟରେ ମାଡପିଟ ହୋଇ ଉଭୟ ପକ୍ଷରୁ କେତେଜଣ ଆହତ ହୋଇଥିବା ଜଣାପଡିଛି। ଝଗଡାକୁ କେନ୍ଦ୍ରକରି କୁଶଙ୍ଗରେ ଚାପା ଉତ୍ତେଜନା ଦେଖାଦେଇଛି। ଖବର ପାଇ ହରଭଙ୍ଗା ପୁଲିସ କୁଶଙ୍ଗରେ ପହଞ୍ଚିଛି।