ଗୁପ୍‌ଚୁପ୍‌ ପାଇଁ ଗୋଷ୍ଠୀସଂଘର୍ଷ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରିଲେ ମହିଳା

ଯଖପୁରା: ଯଖପୁରା ଥାନା ପଙ୍କପାଳ ପଞ୍ଚାୟତରେ ଗତ ଗୁରୁବାର ଦିନ ଗୁପ୍‌ଚୁପ୍‌ ଖାଇବା ପାଇଁ ଘଟିଥିବା ଗୋଷ୍ଠୀସଂଘର୍ଷ ଘଟଣାକୁ ନେଇ ତାତି ବଢ଼ିବାରେ ଲାଗିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ପଙ୍କପାଳ ଗ୍ରାମର ଶତାଧିକ ମହିଳା ଯଖପୁରା ଥାନା ଘେରିଛନ୍ତି। ପଙ୍କପାଳ ଗ୍ରାମର ଦୁଇ ଯୁବକ ଓ ସେମାନଙ୍କ ସହିତ ବାହାର ଅଞ୍ଚଳରୁ ଚାରି/ପାଞ୍ଚଜଣ ଯୁବକ ଗ୍ରାମ ଭିତରେ ପଶି ବିଭିନ୍ନ ମରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ। ଖଣ୍ଡା ଚୋଟରେ ୩ ଜଣଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଦୁଇଜଣ ମହିଳା ମଧ୍ୟ ଆହତ ହୋଇଥିଲେ। ପଙ୍କପାଳ ଗ୍ରାମର ମହିଳାମାନେ ଥାନା ଆଗରେ ଧାରଣା ଦେବା ସହ ମୁଖ୍ୟ ଅଭିଯୁକ୍ତ ବ୍ରହ୍ମାନନ୍ଦ ରାୟ ଓ ତାଙ୍କ ପୁଅ ଆଦିତ୍ୟ ରାୟ, ପ୍ରେମାନନ୍ଦ ରାୟଙ୍କ ସମେତ ଅବିନାଶ ରାୟ ଏବଂ ବାହାର ଅଞ୍ଚଳର ସେହି ଚାରିପାଞ୍ଚଜଣ ଗୁଣ୍ଡା ଶ୍ରେଣୀୟ ଯୁବକମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବାକୁ ପ୍ରତିଶ୍ରୁତି ମିଳିବାରୁ ମହିଳାମାନେ ଘରକୁ ଫେରିଥିଲେ।

ସୂଚନାଯୋଗ୍ୟ ଯେ ଶେଷ ରଜଦିନ ଗୁପଚୁପ ଖାଇବା ସମୟରେ ରାଜନୈତିକ ଶତ୍ରୁତା କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ଗୋଟିଏ ଗୋଷ୍ଠୀ ଗାଁରେ ଖଣ୍ଡା ବୁଲାଇଥିଲେ। ଖଣ୍ଡାଚୋଟରେ ୩ରୁ ଅଧିକ ଆହତ ହେବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାକୁ କେନ୍ଦ୍ରକରି ପଞ୍ଚାୟତରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାବେଳେ ଘଟଣା ଉପରେ ପୁଲିସ ତୀକ୍ଷ୍‌ଣ ନଜର ରଖିଥିବା କହିଛି। ଉଭୟ ପକ୍ଷରୁ ପାଞ୍ଚଟି ମାମଲା ରୁଜୁ କରି ଦୁଇ ପକ୍ଷର ତିନିଜଣଙ୍କୁ ଗତକାଲି ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ଗ୍ରାମରେ ଛକାପଞ୍ଝା ଲାଗି ରହିଛି।

ସମ୍ବନ୍ଧିତ ଖବର