ରାଜକୋଟରେ ଗୋଷ୍ଠୀ ସଂଘର୍ଷ : ଥାନାରେ ଆଶ୍ରୟ ନେଇଛନ୍ତି ଶତାଧିକ ଲୋକ

ଚନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ରାଜକୋଟ ଗ୍ରାମରେ ଗତ ଶୁକ୍ରବାର ଦିନ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଖବର ପାଇ ପୁଲିସ ରାଜକୋଟ ଗ୍ରାମରେ ପହଞ୍ଚି ଗୋଟିଏ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷଙ୍କୁ ଥାନାରେ ଆଣି ଆଶ୍ରୟ ଦେଇଛି। ଏହାସତ୍ୱେ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ଯୋଗୁଁ ୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆଲୋଚନା ମାଧ୍ୟମରେ ଗାଁରେ ଶାନ୍ତି ଫେରାଇ ଆଣିବାକୁ ପୁଲିସ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ ପ୍ରେମ ବିବାହକୁ କେନ୍ଦ୍ର କରି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗିଥିଲା। ଏହାପରେ ଗାଁରେ ହେଉଥିବା ପୂଜା, ପର୍ବ ତଥା ଉତ୍ସବରେ ବାଜା ବଜାଉଥିବା ଗୋଟିଏ ଗୋଷ୍ଠୀକୁ ଅନ୍ୟ ଗୋଷ୍ଠୀ ବାଜା ନବଜାଇବା ପାଇଁ ବାରଣ କରିଥିଲା। ତେଣୁ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। ତେବେ ଗତ ୧୭ ତାରିଖ ଦିନ ସଂଧ୍ୟାରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ଗାଁରେ ବାଜା ବଜାଉଥିଲେ। ଏହାକୁ ବିପକ୍ଷ ଗୋଷ୍ଠୀ ବିରୋଧ କରି ହଠାତ୍‌ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ ହେବାରୁ ପୁଲିସ ପହଞ୍ଚି ଥିଲା। ଉତ୍ତେଜନତାକୁ ଦୃଷ୍ଟିରେ ରଖି ଗୋଟିଏ ଗୋଷ୍ଠୀର ଶତାଧିକ ଲୋକଙ୍କୁ ଚନ୍ଦାହାଣ୍ଡି ନେଇ ଆସିଥିଲା। ସେମାନଙ୍କୁ ଥାନାରେ ରଖା ଯାଇଥିଲା।

ଗତକାଲି ତହସିଲଦାର ତଥା ବିଡିଓ ତାପସ ଭୋଇ ଏବଂ ଅତିରିକ୍ତ ତହସିଲଦାର ଶରତ ଶବର ପ୍ରମୁଖ ଥାନା ଅଧିକାରୀଙ୍କ ସହ ରାଜକୋଟ ଗ୍ରାମକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହି ଉଦ୍ୟମ ସଫଳ ହୋଇ ନଥିଲା। ତେଣୁ ଆଜି ପୁଣି ବ୍ଲକ ଅଧ୍ୟକ୍ଷ ଟିକମସିଂ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁକୁ ଯାଇ ଗୋଟିଏ ଗୋଷ୍ଠୀଙ୍କ ସହ ଆଲୋଚନା କରିବା ସହ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ଖବର ଲେଖା ହେବା ସୁଦ୍ଧା ପରିସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ଆସିପାରିନାହିଁ। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କାହାକୁ ଗିରଫ କରି ନାହିଁ।

ସମ୍ବନ୍ଧିତ ଖବର