ଛାତ୍ରଛାତ୍ରୀ ଚାହୁଛନ୍ତି ଡାକ୍ତର ହେବୁ: ନିଟ୍‌ରେ ବଢ଼ୁଛନ୍ତି ଓଡ଼ିଆ ପରୀକ୍ଷାର୍ଥୀ

୨୦୧୯ରେ ୧୪ ଲକ୍ଷ, ୨୦୨୨ରେ ୧୭ ଲକ୍ଷ, ରାଜ୍ୟ ବୋର୍ଡ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ‌ରେ ଉନ୍ନତି

ଭୁବନେଶ୍ବର : କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ରାଜ୍ୟରେ ମେଡ଼ିକାଲ୍ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ୨୦୧୯ରୁ ୨୦୨୨ ପରିସଂଖ୍ୟାନ ଏଭଳି ଗୋଟିଏ ବଡ଼ ସଙ୍କେତ ଦେଉଛି। କେବଳ ସେତିକି ନୁହେଁ, ଆହୁରି ଗୋଟିଏ ରୋଚକ ପରିସଂଖ୍ୟାନ ସାମ୍ନାକୁ ଆସିଲାଣି। ଗତ ୪ବର୍ଷର ନିଟ୍ ପରୀକ୍ଷାର୍ଥୀ ଏବଂ ଫଳାଫଳକୁ ତର୍ଜମା କରିବା ପରେ ଜଣାପଡ଼ୁଛି ଯେ ଅଧିକରୁ ଅଧିକ ପରୀକ୍ଷାର୍ଥୀ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଛନ୍ତି। ଏବଂ ରାଜ୍ୟ ବୋର୍ଡରୁ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଧୀରେ ଧୀରେ ଉଲ୍ଲେଖନୀୟ ହେବାକୁ ଲାଗିଲାଣି। ସିବିଏସ୍‌ଇ ପିଲାଙ୍କ ଭଳି ନ ହେଲେ ବି ପୂର୍ବାପେକ୍ଷା ଅଧିକରୁ ଅଧିକ ରାଜ୍ୟ ବୋର୍ଡରୁ ପାସ୍ କରୁଥିବା ଛାତ୍ରଛାତ୍ରୀ ନିଟ୍‌ରେ ଭଲ ନମ୍ବର ରଖୁଛନ୍ତି। ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ଙ୍କୁ ଏହା ଆଶ୍ବସ୍ତ କରୁଛି ଓ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ବାସ ବୃଦ୍ଧି ଲାଗି ସୁଯୋଗ ସୃଷ୍ଟି କରିଛି।

ପୂରା ଦେଶରେ ମେଡ଼ିକାଲ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢୁଥିବା ପରିଲକ୍ଷିତ ହେଉଛି। ଏହାକୁ ନଜରରେ ରଖି ପ୍ରତିବର୍ଷ ନୂଆ ନୂଆ ମେଡ଼ିକାଲ କଲେଜ ଖୋଲୁଛି ଓ ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତଥାପି ବହୁ ମେଧାବୀ ଛାତ୍ରଛାତ୍ରୀ ସିଟ୍ ପାଉନାହାନ୍ତି। ଓଡ଼ିଶା ବି ଏହି ଧାରାରେ ଆଗକୁ ବଢ଼ୁଛି। ଏହି କ୍ରମରେ ଓଡ଼ିଶାରେ ଗୋଟିଏ ନୂଆ ଚିତ୍ର ଦେଖିବାକୁ ମିଳିଲାଣି। ପରିସଂଖ୍ୟାନ କହୁଛି, ୨୦୧୯ରେ ୧୩ ଲକ୍ଷ ୯୦ ହଜାର ୧୫୧ଜଣ ନିଟ୍‌ ଦେଇଥିଲେ।
୨୦୨୨ରେ ଏହି ସଂଖ୍ୟା ୧୭ ଲକ୍ଷ ୩୭ ହଜାରରେ ପହଞ୍ଚିଛି। ଅର୍ଥାତ୍ ମେଡ଼ିକାଲ ପଢ଼ିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଇତିମଧ୍ୟରେ ୩ଲକ୍ଷ ୪୬ ହଜାର ୮୪୯ ବଢ଼ିଗଲାଣି। ପରିସଂଖ୍ୟାନ ଆହୁରି କହୁଛି ଯେ ନିଟ୍‌ରେ ହାରାହାରି ମାର୍କ ୩୨୪ ରହୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ୩୨୪ରୁ ଅଧିକ ମାର୍କ ରଖୁଛନ୍ତି। ରାଜ୍ୟ ବୋର୍ଡର ଛାତ୍ରଛାତ୍ରୀ ବି ପ୍ରଦର୍ଶନରେ ପଛରେ ନାହାନ୍ତି। ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆ ପରି ଓଡ଼ିଶା ରାଜ୍ୟ ବୋର୍ଡର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କଲେଣି।

ଯେତିକି ପରୀକ୍ଷାର୍ଥୀ ନିଟ୍‌ ଦେଉଛନ୍ତି, ସେ ମଧ୍ୟରୁ ସିବିଏସ୍‌ଇ ବୋର୍ଡର ପିଲାଙ୍କ ସଂଖ୍ୟା ୨୬ରୁ ୨୭% ମଧ୍ୟରେ ରହୁଛି। ଯେତେବେଳେ କି ରାଜ୍ୟ ବୋର୍ଡ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୩ରୁ ୭୪%। ୨୦୧୯ ତୁଳନାରେ ଦେଶର ଅଧିକାଂଶ ରାଜ୍ୟ ବୋର୍ଡର ପିଲାମାନେ ଉନ୍ନତ ପ୍ରଦର୍ଶନ କରିବା ସହ ମେଡିକାଲ ସିଟ୍‌ ହାତେଇବାରେ ସକ୍ଷମ ହେଉଛନ୍ତି। ଚଳିତବର୍ଷ ୧୭ ଲକ୍ଷ ୬୪ ହଜାର ଛାତ୍ରଛାତ୍ରୀ ନିଟ୍‌-ୟୁଜି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୬.୧% ଥିବା ବେଳେ ରାଜ୍ୟ ବୋର୍ଡ ପିଲାଙ୍କ ସଂଖ୍ୟା ୭୩.୮% ଥିଲା। ଅବଶ୍ୟ ୨୦୧୯ ତୁଳନାରେ ସିବିଏସ୍‌ଇ ପିଲାମାନଙ୍କ ଅନୁପାତ ୨୩.୭%ରୁ ୨୬.୧%କୁ ବୃଦ୍ଧି ଘଟିଛି ଏବଂ ରାଜ୍ୟ ବୋର୍ଡ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୭୬.୩%ରୁ ୭୩.୮%କୁ ହ୍ରାସ ପାଇଛି। କିନ୍ତୁ ଉତ୍ତୀର୍ଣ୍ଣ ହାର ଉଭୟ କ୍ଷେତ୍ରରେ ବୃଦ୍ଧି ପାଉଛି।

୩୨୪ରୁ ଅଧିକ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ କଥାକୁ ବିଚାରକୁ ନେଲେ ପଶ୍ଚିମବଙ୍ଗରେ ବଡ଼ଧରଣ ପରିବର୍ତନ ଆସିଛି। ସିବିଏସ୍‌ଇ ଓ ରାଜ୍ୟ ବୋର୍ଡ ଛାତ୍ରଛାତ୍ରୀଙ୍କ ବ୍ୟବଧାନ ୨୦୧୯ରେ ୧୪.୯ ଥିଲା, ଯାହାକି ୨୦୨୨ରେ ୭.୫%ରେ ପହଞ୍ଚିଛି। ଅର୍ଥାତ୍‌ ସଂପୃକ୍ତ ରାଜ୍ୟ ବୋର୍ଡର ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି। ରାଜସ୍ଥାନରେ ମଧ୍ୟ ସାମନ ଭାବେ ୧୦.୪%ରୁ ୫.୯%କୁ ଖସିଛି। ପଶ୍ଚିମବଙ୍ଗ, ରାଜସ୍ଥାନ ବ୍ୟତୀତ ଓଡ଼ିଶା, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଓ ଗୋଆରେ ସିବିଏସ୍‌ଇ ବୋର୍ଡ ତୁଳନାରେ ରାଜ୍ୟ ବୋର୍ଡର ପିଲାମାନେ ଆଗ ଅପେକ୍ଷା ଭଲ କରିଛନ୍ତି। ଓଡ଼ିଶାରେ ୨୦୧୯ରେ ଉଭୟ ବୋର୍ଡ ମଧ୍ୟରେ ବ୍ୟବଧାନ ୯.୮% ଥିଲା, ଯାହାକି ୨୦୨୨ରେ ୪.୬%କୁ ଖସିଛି। ୨୦୧୯ରେ ଓଡ଼ିଶାରୁ ସିବିଏସ୍‌ଇ ବୋର୍ଡର ୨ ହଜାର ୮୭୯ ଏବଂ ଓଡ଼ିଆ ବୋର୍ଡର ୨ ହଜାର ୮୯୬ଜଣ ପରୀକ୍ଷାର୍ଥୀ ୩୨୪ରୁ ଅଧିକ ମାର୍କ ରଖିଥିଲେ। ୨୦୨୨ରେ ଉକ୍ତ ସଂଖ୍ୟା ଯଥା‌କ୍ରମେ ୩୪୬୭ ଓ ୩୯୬୮ରେ ପହଞ୍ଚିଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍‌ ପ୍ରଫେସର ବାସୁଦେବ ଛାଟୋଇଙ୍କ କହିବା କଥା ହେଉଛି ଯେ ୩ରୁ ୪ ଦଶନ୍ଧି ତଳେ ଜାତୀୟ ବୋର୍ଡର ଛାତ୍ରଛାତ୍ରୀଙ୍କ ତୁଳନାରେ ରାଜ୍ୟ ବୋର୍ଡର ପିଲାମାନେ ଭଲ ପ୍ରଦର୍ଶନ କରୁଥିଲେ। ପ୍ରଥମେ ସିବିଏସ୍‌ଇ ଓ ପରେ ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ନିଟ୍‌-ୟୁଜି ପରୀକ୍ଷା ପରିଚାଳନା କରିବା ପରେ ସିବିଏସ୍‌ଇ ବୋର୍ଡର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରୁଥିଲେ। ତାହାକୁ ଦେଖି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଗତ ୪ରୁ ୫ ବର୍ଷ ହେଲା ସମାନ ପନ୍ଥା‌ ଆପଣାଇଛନ୍ତି। ସିଲାବସ୍‌ରେ ପରିବର୍ତନ କରିବା ସହ ପ୍ରଶ୍ନପତ୍ର ଢାଞ୍ଚାରେ ବି ବ୍ୟାପକ ପରିବର୍ତନ କରିଛନ୍ତି। ତେଣୁ ପିଲାମାନେ ଉନ୍ନତ ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଏହାବ୍ୟତୀତ ଏବେ କେବଳ ଆଉ ଇଂରାଜୀ କି ହିନ୍ଦୀ ଭାଷାରେ ପରୀକ୍ଷା ହେଉ ନାହିଁ। ବରଂ ମାତୃଭାଷାରେ ବି ପରୀକ୍ଷା ହେଉଛି। ଯାହାକି ପରୀକ୍ଷାର୍ଥୀଙ୍କୁ ଫାଇଦା ଦେଉଛି।

ସମ୍ବନ୍ଧିତ ଖବର