ଢେଙ୍କାନାଳ: ଚାଷୀଙ୍କ ମେଳିକୁ ଦେଖି  ସରକାରଙ୍କ ଚେତା ପଶିଲା। ବିବାଦୀୟ ମନ୍ତବ୍ୟରୁ ଓହରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଲର୍ସଙ୍କ ସହ ସହମତ ହୋଇଛନ୍ତି। ଚାଷୀ ଓ ମିଲର୍ସଙ୍କ ସହମତିରେ ଧାନକିଣାକୁ ତ୍ୱରାନ୍ୱିତ କରାଯିବ। ଯୁଦ୍ଧକାଳୀନ ଭିତ୍ତିରେ ଧାନ ଉଠିବ। ଟୋକନ୍‌ ଅବଧିକୁ ମଧ୍ୟ ବଢ଼ାଯିବ। ମଙ୍ଗଳବାର ସନ୍ଧ୍ୟାରେ ଜନ ପ୍ରତିନିଧି, ପ୍ରଶାସନ ଏବଂ ମିଲର୍ସ ସଂଘକୁ ନେଇ ତ୍ରିପାକ୍ଷିକ ବୈଠକରୁ ଏହି ନିଷ୍କର୍ଷ ବାହାରିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପାତ୍ର ଏହି ତ୍ରିପାକ୍ଷିକ ବୈଠକରେ ଯୋଗଦେଇ କୋହଳ ନୀତି ଆପଣେଇଛନ୍ତି। 

Advertisment

ଜିଲ୍ଲାରେ ଗତ ୮ ତାରିଖରୁ ଧାନକିଣା ଆରମ୍ଭ ହୋଇଛି। ବର୍ଦ୍ଧିତ ସହାୟକ ମୂଲ୍ୟ ପାଇବା ପାଇଁ ଚାଷୀମାନେ ଉତ୍ସାହିତ ହୋଇ ରହିଛନ୍ତି। ପ୍ରଥମଦିନ ଏଫଏକ୍ୟୁ ଆଳରେ ମଣ୍ଡିକୁ ଆସିଥିବା ଧାନକୁ ଫେରାଇ ଦିଆଯାଇଥିଲା। ସରକାରଙ୍କ ଏଫ୍‌ଏକ୍ୟୁ ମାନର ଧାନକିଣା ନୀତିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ୧୩ ଦିନ ଧରି ଧାନକିଣାରେ ଅନିୟମିତା ଲାଗି ରହିଥିଲେ ମଧ୍ୟ ସରକାର ଜିଦ୍‌ରେ ଅଟଳ ରହିଥିଲେ। ମିଲର୍ସ ସଂଘ ଧାନ ନ ଉଠାଇଲେ ବାହାରୁ ମିଲର୍ସ ଆଣି ଧାନ ଉଠାଇବେ ବୋଲି ଚେତାବନୀ ମିଳିଥିଲା। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ମିଲର୍ସ ସଂଘ ଓ ଚାଷୀମାନଙ୍କ ମଧ୍ୟରେ ଏକ ଅଲିଖିତ ଚୁକ୍ତି ହୋଇଥିଲା। ସେହି ଅନୁଯାୟୀ, ୬ କେଜି ଛାଡ଼ କରି ଧାନକିଣା ଚାଲିବାର ଦିନେ ଦୁଇଦିନ ଯାଇଛି କି ନାହିଁ ଯୋଗାଣ ବିଭାଗ ସ୍କ୍ୱାଡ୍‌କୁ ଲଗାଇ ମଣ୍ଡିରେ ଚଢ଼ଉ କରାଯିବା ଫଳରେ ମିଲର୍ସମାନେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏ ସଂପର୍କରେ ମିଲର୍ସ ସଂଘ ଯୋଗାଣ ମନ୍ତ୍ରୀଙ୍କୁ ଫେରାଦ ହୋଇଥିଲେ ମଧ୍ୟ ସରକାରଙ୍କ ନୀତିରେ ବ୍ୟତିକ୍ରମ ହେବ ନାହିଁ ବୋଲି ମନ୍ତ୍ରୀ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଫଳରେ ମିଲର୍ସ ସଂଘ ମଧ୍ୟ ‘ସରକାର ଧାନ କିଣନ୍ତୁ, ତାହାକୁ ଆମେ ଉଠାଇନେବୁ’ ବୋଲି କହି ନିଜ ମୁଣ୍ଡରୁ ଦୋଷ ଓହ୍ଲାଇ ଦେଇଥିଲେ। ଏପରି ବିବାଦୀୟ ପରିସ୍ଥିତିରେ ୪ ଦିନ ଧାନକିଣା ସଂପୂର୍ଣ୍ଣ ଠପ୍‌ ହୋଇଥିବା ଯୋଗୁଁ ଚାଷୀଙ୍କ ମଧ୍ୟରେ କୁହୁଳୁଥିବା ନିଆଁ ଜଳିବାକୁ ଲାଗିଥିଲା। ଆଜି ଖୋଦ୍‌ ଯୋଗାଣ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଚାଷୀମାନେ ଶହ ଶହ ସଂଖ୍ୟାରେ ଏକଜୁଟ୍‌  ହୋଇ ଧାନବସ୍ତା ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ। ନିର୍ବାଚନ ପ୍ରତିଶ୍ରୁତିରୁ ଓହରିଥିବାରୁ ଭବିଷ୍ୟତ ରାଜନୀତିର ବାତାବରଣକୁ ଓଲଟପାଲଟ କରିଦେବାକୁ  କଡା ଚେତାବନୀ ଦେଇଥିଲେ। ଏହି ଖବର ସରକାରଙ୍କ ପାଖରେ ପହଞ୍ଚିବା ପରେ ତରବରିଆ ଭାବେ ଯୋଗାଣ ଅଧିକାରୀଙ୍କ ମାଧ୍ୟମରେ ଆସନ୍ତାକାଲିଠାରୁ ଧାନକିଣା ହେବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ଶାନ୍ତ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ସହରର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗ ଦେଇ ସରକାରଙ୍କ ନୀତିକୁ ଅଲିଖିତ ଭାବେ କୋହଳ କରିଛନ୍ତି। ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପ୍ରମୁଖଙ୍କ ଉପସ୍ଥିତିରେ ଧାନକିଣାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ପରାମର୍ଶ ଦେଇଛନ୍ତି। ଟୋକନ୍‌ ଅବଧି ସରିଯାଉଥିବାରୁ ସେଥିପାଇଁ ସମୟ ଅବଧିକୁ ମଧ୍ୟ ବଢାଇବାକୁ କହିଛନ୍ତି। ନିହାତି ନିମ୍ନମାନର ଧାନକୁ ଫେରାଇ ଦେଇ ପାରନ୍ତି, ସଫା ହୋଇ ଆସିଥିବା ଧାନକୁ ଉଭୟଙ୍କ ସହମତିରେ ଉଠାଇବାକୁ ମିଲର୍ସ ସଂଘକୁ କହିଛନ୍ତି। ଜିଲ୍ଲାରେ ଟାର୍ଗେଟ୍‌ ଅନୁପାତରେ ସମୟ ଅବଧି ମଧ୍ୟରେ ବହୁ କମ୍‌ ପରିମାଣର ଧାନ କିଣାଯାଇଥିବାରୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ଧାନ ଉଠାଇା ଲାଗି ବୈଠକରେ ମନ୍ତ୍ରୀ କହିଥିବା ମିଲର୍ସ  ସଂଘ ସଭାପତି ପ୍ରଦୀପ ମହାନ୍ତି ପ୍ରକାଶ କରିଛନ୍ତି।