ଦଶପଲ୍ଲା: ଚୋରା ଦେଶୀ ବନ୍ଧୁକର ପେଣ୍ଠସ୍ଥଳ ପାଲଟିଛି ଆଦିବାସୀ ବହୁଳ ପଞ୍ଚାୟତ। ଗାଁଗାଁରେ ଭରି ରହିଛି ଚୋରା ଦେଶୀ ବନ୍ଧୁକ। କିଏ ଶିକାର ପାଇଁ ବ୍ୟବହାର କରୁଛି ତ ପୁଣି କିଏ ଗାଁରେ ବନ୍ଧୁକ ଭୟ ଦେଖାଇ ଆତଙ୍କ ରଚୁଛି। ଏହାଦ୍ବାରା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। ବିଗତ କିଛି ମାସ ମଧ୍ୟରେ ବାଣିଗୋଛା ଓ ଦଶପଲ୍ଲା ପୁଲିସ ସମେତ ବନବିଭାଗ ଅନେକ ମାତ୍ରାରେ ଚୋରା ଦେଶୀ ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଏହାର କାରଖାନାକୁ ଠାବ କରିବାରେ ସକ୍ଷମ ହୋଇପାରୁନଥିବା ଦେଖିବାକୁ ମିଳିଛି। କିଛି ମାସ ତଳେ ବାଣିଗୋଛା ପୁଲିସ କଳସାଖମଣ, ଚଡ଼େୟାପଲ୍ଲୀ, ନୂଆଗାଁ ଏବଂ କୁଜାମେଣ୍ଢି ଆଦି ପଞ୍ଚାୟତରେ ଚଢ଼ଉ କରି ୧୧ଟି ଦେଶୀ ବନ୍ଧୁକ ଜବତ କରିଥିଲା।
ସେହିଭଳି ଦଶପଲ୍ଲା ପୁଲିସ ଟାକରା ଅଞ୍ଚଳରୁ ବନ୍ଧୁକ ଜବତ କରିଥିବା ବେଳେ ବନବିଭାଗ ମଧ୍ୟ ପୋଖରୀଗୋଛା ପଞ୍ଚାୟତରୁ ବନ୍ୟଜନ୍ତୁ ସାମଗ୍ରୀ ସମେତ ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଥିଲା। ଏସବୁ ବନ୍ଧୁକ କଳସାଖମଣ ପଞ୍ଚାୟତର ଜନୈକ ବ୍ୟକ୍ତି ପ୍ରସ୍ତୁତ କରୁଥିବା ନେଇ ବାଣିଗୋଛା ପୁଲିସ ଜାଣିବାକୁ ପାଇଥିଲା। ହେଲେ ଏସବୁ ଧରପଗଡ଼ ପରେ ପୁଲିସ ଏହାର କାରଖାନାକୁ ଠାବ କରିବାରେ ସକ୍ଷମ ହୋଇପାରିନି। ସେହିଭଳି ଦଶପଲ୍ଲା ବ୍ଲକ୍ର ପଡ଼ୋଶୀ କନ୍ଧମାଳ ଜିଲ୍ଲାର ଚକାପାଦ ଅଞ୍ଚଳରେ ଏହି ବନ୍ଧୁକ ତିଆରି କାରଖାନା ରହିଛି। ଯାହାକି ବାଣିଗୋଛା ପୁଲିସ ଯେଉଁସବୁ ବନ୍ଧୁକ ଜବତ କରିଛି ସେ ମଧ୍ୟରୁ କିଏ କଳସାଖମଣ ଅଞ୍ଚଳରୁ କିଣିଥିବା ବେଳେ ଆଉକିଏ ଚକାପାଦ ଅଞ୍ଚଳରୁ କିଣିଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଛି। ମାତ୍ର କିଛିମାସ ତଳେ ବାଣିଗୋଛା ଥାନା ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଯିବା ପରେ ଏହି ତଦନ୍ତରେ ଶିଥିଳତା ଦେଖିବାକୁ ମିଳିଛି। ଫଳରେ ଏବେ ଅନେକ ଶିକାରୀ ସକ୍ରିୟ ହୋଇଥିବା ଅଭିଯୋଗ ହେଉଛି। ଜିଲ୍ଲା ପୁଲିସ ଏଦିଗରେ ବିଶେଷ ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/6t1NqZyfpQ7syOfDN6we.jpg)