ନଗଡ଼ା ଜଙ୍ଗଲରେ କଲରାପତରିଆ ବାଘବଂଶ ବୃଦ୍ଧି

କାଳିଆପାଣି : ନଗଡ଼ା ଜଙ୍ଗଲରେ କଲରାପତରିଆ ବାଘବଂଶ ବୃଦ୍ଧି ପାଇଛି। ଏ ସଂକ୍ରାନ୍ତରେ ଗୁରୁବାର ଦିନ ବନ ବିଭାଗ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସୂଚନା ଦିଆଯାଇଛି। କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ ରାଁସୋଳ ସେକ୍ସନ ଅଧୀନ ଦୈତାରୀ ଜଙ୍ଗଲରେ ଅତିକମ୍‌ରେ ୬ ରୁ ୭ଟି କଲରାପତରିଆ ବାଘ ରହିଥିବା ଗୁରୁବାର ଦିନ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବ‌ାଇଁ କହିଛନ୍ତି। ପୂର୍ବରୁ ସ୍ଥାନୀୟ ଜଙ୍ଗଲରେ କାଁଭାଁ ବାଘ ଦେଖିବାକୁ ମିଳୁଥିବା ବେଳେ ବାଘବଂଶ ବୃଦ୍ଧି ନେଇ ଆଜିର ବିଭାଗୀୟ ଘୋଷଣା ପରିବେଶବିତଙ୍କୁ ଉତ୍ସାହିତ କରିଛି।

ନଗଡ଼ା ଉପକଣ୍ଠ ନାଲିଆଡାବରୁ ଗୁହିଆଶାଳ ତଳଡିହ ରାସ୍ତାରୁ ବନ୍ୟଜନ୍ତୁମାନଙ୍କ ମଳ ସଂଗୃହୀତ ହୋଇଛି। ଏସବୁର ବିଧିବଦ୍ଧ ପରୀକ୍ଷା ପାଇଁ ଗୁରୁବାର ଦିନ ପଠାଯାଇଛି। ସେହିପରି ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ମୌଜାର ଦଲକ-ନଳାଘାଟି ଜଙ୍ଗଲରେ କଲରାପତରିଆ ବାଘର ଏକାଧିକ ପାଦ ଚିହ୍ନ ଠାବ ହୋଇଥିବା ନେଇ ରେଞ୍ଜର ବିପିନ ବିହାରୀ ରାଉତରାୟ ଓ ବନପାଳ ନରେଶ କୁମାର ଟୁଡ଼ୁ ସୂଚନା ଦେଇଛନ୍ତି। ୧୧ ସେଣ୍ଟିମିଟର ବ୍ୟାସ ବିଶିଷ୍ଟ ଏହି ପଞ୍ଝ‌ା ଚିହ୍ନ ବଡ଼ କଲରାପତରିଆର ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ଗତ ୮ ତାରିଖରୁ ୩ ଦିନ ଧରି ସର୍ବ ଭାରତୀୟ ବାଘ ପ୍ରାକ୍‌କନ ଅବସରରେ ବିଭାଗୀୟ ସର୍ବେକ୍ଷଣ କାମରେ ନିୟୋଜିତ ଥିବା ବନରକ୍ଷୀ ଇପ୍‌ସିତରାୟ ନାଏକ ସଦଳବଳ ଜଙ୍ଗଲରୁ ପ୍ରାମାଣିକ ତଥ୍ୟ ସଂଗ୍ରହ କରିଥିବା ବିଭାଗୀୟ ସୂଚନା ମିଳିଛି।

Tierpark Berlin

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ଗୁହିଆଶାଳ ଗାଁ ପାଖ ଜଙ୍ଗଲରେ ଏକ ପୂର୍ଣ୍ଣ ବୟସ୍କ ମଇଁଷିକୁ ଏକ ମହାବଳ ବାଘ ଶିକାର କରିଥିଲା। ଏବେ ବି ଉକ୍ତ ସ୍ଥାନରେ ମୃତ ମଇଁଷିର ଦେହାବଶେଷ ପଡ଼ିଥିବା ଜଣାପଡ଼ିଛି। ଏହାର କିଛିଦିନ ପରେ ଉକ୍ତ ମହାବଳକୁ ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଦେଓଗାଁ ରେଞ୍ଜ ଅନ୍ତର୍ଗତ ରେବଣା ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଥିଲା। ହରିଚନ୍ଦନପୁର ବ୍ଲକ ବଡ଼ ପଳାସପାଳ ପଞ୍ଚାୟତ ରାଣୀପଦା ଗାଁର ଘାସିନାଥ ଦେହୁରୀଙ୍କ ହାତୀଖୁଣ୍ଟିସ୍ଥିତ ଗୋଠରେ ମହାବଳ ଏକ ମଇଁଷି ଶିକାର କରିଥିଲା। ବାଘ ମୃତ ମଇଁଷିକୁ ଅଧା ଖାଇ ଛାଡ଼ିଯିବା ପରେ ବୁଢ଼ୀପଦା ଗାଁର ଅଭିଯୁକ୍ତ ବୁଟୁ ମହାକୁଡ଼ ଏହା ଉପରେ ଉତ୍କଟ ବିଷ ପକାଇ ବାଘକୁ ହତ୍ୟା କରିଥିଲା। ବନ ବିଭାଗ ପକ୍ଷରୁ ଗତ ମେ ମାସ ୧୯ ତାରିଖରେ ଅଭିଯୁକ୍ତ ବୁଟୁ ମହାକୁଡ଼ ଘରେ ଚଢ଼ଉ କରାଯାଇ ମହାବଳ ଛାଲ ଜବତ କରାଯାଇଥିଲା। ସେହିପରି କାଳିଆପାଣି ଥାନାର ତତ୍କାଳୀନ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ୨୦୨୦ ମସିହା ଡିସେମ୍ବର ମାସରେ ଏକ କେସ୍ ତଦନ୍ତ କରିବାକୁ ଯାଇ ଓସ୍ତପାଳ ଗାଁର କୁଖ୍ୟାତ ଶିକାରୀ ରବି ହୁରାଦ ଘରୁ ଏକ ଚୋରା ଦେଶୀ ବନ୍ଧୁକ ଜବତ କରିଥିଲେ। ତା’ ଘରୁ ଖାନତଲାସ ସମୟରେ ଏକ ଭଙ୍ଗା ଦଦରା ବାକ୍ସ ମଧ୍ୟରେ ଏକ ବାଘ ଚମଡ଼ା ଦେଖିବାକୁ ପାଇଥିଲେ। ବହୁ ଦିନର ପୁରୁଣା ଓ ରକ୍ଷଣାବେକ୍ଷଣ ଅଭାରୁ ଏହାକୁ ଧରୁଧରୁ ଖଣ୍ଡଖଣ୍ଡ ହୋଇ ଝଡ଼ି ପଡ଼ିଥିଲା।

ସମ୍ବନ୍ଧିତ ଖବର