ଜିଆର୍‌ପି ଆର୍‌ଆଇ ଅଶୋକ ସେଠୀଙ୍କ ବଦଳି

ଜାତିଆଣ ଆକ୍ଷେପ ଅଭିଯୋଗ ଆଣି ଫସିଲେ

କଟକ : ତାଙ୍କ ପ୍ରତି ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଥିବା କଟକ ଜିଆର୍‌ପିର ଆର୍‌ଆଇ ଅଶୋକ କୁମାର ସେଠୀଙ୍କୁ ଆଜି ବଦଳି କରାଯାଇଛି । ତାଙ୍କୁ ଜିଆର୍‌ପିରୁ ବକ୍ସିବଜାର ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଦୁଇ ସପ୍ତାହ ହେବ ଜିଆର୍‌ପିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ଶେଷରେ ଆଜି ପୁଲିସ ଡିଜି ଡାକ୍ତର ଆର.ପି. ଶର୍ମା ବଦଳି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଏକ ଆଇନ ଶୃଙ୍ଖଳା କାର୍ଯ୍ୟକ୍ରମରେ ଜିଆର୍‌ପି ପୁଲିସ କର୍ମଚାରୀଙ୍କ ଡ୍ୟୁଟି ବାଣ୍ଟିବା ଉଦ୍ଦେଶ୍ୟରେ ଗଲା ୩ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଆର୍‌ଆଇ ଅଶୋକ କୁମାର ସେଠୀ ରୋଲ୍‌ କଲ୍‌ ଡାକିଥିଲେ। ଆର୍‌ଆଇଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ କିଛି କନଷ୍ଟେବଲ୍‌ ଦୁର୍ବ୍ୟବହାର କରିବା ସହ ତାଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। ଏ ସଂକ୍ରାନ୍ତରେ ରେଳବାଇ ଏସପି ବନବିହାରୀ ସାହୁଙ୍କୁ ଜଣାଇବା ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଜିଆର୍‌ପି ଥାନାରେ ଅଶୋକଙ୍କ ଅଭିଯୋଗ ଆଧାରରେ ଦଫା ୧୮୬, ୨୯୪, ୫୦୬, ୩୪, ୩(୧) ଏସ୍‌ସି/ଏସଟି ପିଏ ଆକ୍ଟରେ ଏକ ମାମଲା(କେସ୍‌ ନଂ ୨) ରୁଜୁ କରାଯାଇଥିଲା । ଜିଆର୍‌ପିର ହାବିଲ୍‌ଦାର ରଜନୀକାନ୍ତ ବିଶ୍ୱାଳ ଏବଂ କନେଷ୍ଟବଳ ବିଶ୍ୱଜିତ ରାଉତଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା ।

ଏସ୍‌ଡିପିଓ ସ୍ମତି ରଂଜନ କର ତଦନ୍ତ ଭାର ଗ୍ରହଣ କରିଥିବା ବେଳେ ସମାନ୍ତରାଳ ଭାବେ ରେଳବାଇ ଡିଏସ୍‌ପି ଚନ୍ଦ୍ର ଶେଖର ସାହୁଙ୍କୁ ମଧ୍ୟ ଆଭ୍ୟନ୍ତରୀଣ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ତଦନ୍ତ ସମାନ୍ତରାଳ ଭାବେ ଚାଲିଛି । ଏହି ଘଟଣାରେ ଅଭିଯୋଗକାରୀ ଆର୍‌ଆଇଙ୍କୁ ମିଶାଇ ୬ ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା । କିନ୍ତୁ ଆଜି ଆର୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ ବିଭାଗ । ପୂର୍ବରୁ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଥିବାରୁ ତାଙ୍କୁ ବଦଳି କରାଯାଇଥିବା କୁହାଯାଉଛି । ଅନ୍ୟପଟେ ରୋଲ୍‌ କଲ୍‌ ବେଳେ ସେ ଆଣିଥିବା ଜାତିଆଣ ଆକ୍ଷେପ ଅଭିଯୋଗର ସତ୍ୟାସତ୍ୟ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜିଆର୍‌ପି ପୁଲିସ ହାତରେ ପ୍ରମାଣ ଲାଗିନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ୨୦୧୭ରେ ଶ୍ରୀ ସେଠୀ ବାରିପଦାର ଆର୍‌ଆଇ ଭାବେ କାର୍ଯ୍ୟ କରୁଥିଲେ। ସେହି ବର୍ଷ ରଥଯାତ୍ରାରେ ଡ୍ୟୁଟିରେ ନିୟୋଜିତ ୪ ଜଣ କନେଷ୍ଟବଳ ୟୁନିଫର୍ମ ପିନ୍ଧିନଥିବାରୁ ତାଙ୍କୁ ହୋମ୍‌ଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟ ସାମ୍‌ନାରେ ଆଣ୍ଠେଇଥିଲେ । ତତ୍‌କାଳୀନ ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଜି ବିନୟ ବେହେରା ରିପୋର୍ଟ ତଲବ କରିବା ପରେ ତାଙ୍କୁ କଟକ ଜିଆର୍‌ପିକୁ ବଦଳି କରାଯାଇଥିଲା । ଏଠି ଗଲା ବର୍ଷ ଅଗଷ୍ଟ ୨୬ ତାରିଖରେ ତାଙ୍କ ବିରୋଧରେ ଜଣେ ମହିଳା କନେଷ୍ଟବଳ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏ ନେଇ ଜିଆର୍‌ପି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର