ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ଗ୍ରାମ ରୋଜଗାର ସେବକ ଶରତ ଚନ୍ଦ୍ର ବିଷୋୟୀଙ୍କୁ ଗୁରୁବାର ରାତିରେ ସଂଘବଦ୍ଧ  ଭାବରେ ଆକ୍ରମଣ ହୋଇଛି। ନିଜ ଗାଁକୁ ଯିବା ସମୟରେ ପାଞ୍ଚଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଠେଙ୍ଗାରେ ସଙ୍ଘବୋଧ ଭାବରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହାପରେ ଶରତଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ! ଗତ ରାତ୍ରରେ ଏନେଇଁ ଶରତ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ପ୍ରଦାନ କରିଛନ୍ତି। ତେନ୍ତୁଳିଖୁଣ୍ଟି ପୁଲିସ ଏତଲାକୁ ଗ୍ରହଣ କରି ଦୁଇ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି।

Advertisment

ସୂଚନା ଅନୁଯାୟୀ ଝରିଗୁମ୍ମା ଗ୍ରାମ ପଂଚାୟତ ଗ୍ରାମ ରୋଜଗାର ସେବକ ତେନ୍ତୁଳିଖୁଣ୍ଟି ବ୍ଲକରେ ଅଫିସ କାମ ସାରି ଗତକାଲି ରାତ୍ର ସାଢ଼େ ୭ ଘଣ୍ଟା ସମୟରେ ନିଜ ଗ୍ରାମ ଅମ୍ମଳାଭଟ୍ଟା ଅଭିମୁଖେ ଗସ୍ତ କରିଥିଲେ। ଅମ୍ମଳାଭଟ୍ଟା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ମାଟିକୁପୁଲି ନିକଟରେ ଦୁଇଟି ବାଇକରେ ଥିବା ପାଞ୍ଚ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଶରତଙ୍କ ବାଟ ଓଗାଳି ଥିଲେ । ଶରତ ରହିବା ମାତ୍ରେ ଦୁର୍ବୁତ୍ତମାନେ ଠେଙ୍ଗାରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଜିଆରଏସ ଶ୍ରୀ ବିଷୋୟୀ ଏହାପରେ ନିଜ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣେଇବା ପରେ ପରିବାର ଲୋକ ପହଂଚି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ଶରତଙ୍କ ହାତ ଫୁଲିଯିବା ସହ ପିଠିରେ ଗଭୀର ଆଘାତ ଲାଗିଛି। ତେବେ ବର୍ତ୍ତମାନ ଜିଆରଏସ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି। ଏନେଇଁ ତେନ୍ତୁଳିଖୁଣ୍ଟି ଥାନା ଏକ ମାମଲା ରୁଜୁ ହୋଇଥୁବା ବେଳେ ଏସଆଇ ସସ୍ମିତା ପୂଜାରୀ କେଶର ତଦନ୍ତ କରୁଛନ୍ତି । ପୁଲିସ ଏହି ମାମଲାରେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ପ୍ରକ୍ରିୟା ଜାରି ରଖିଛି।