ଦ୍ୱିତୀୟ ଡୋଜ ଟିକା ପରେ ମଧ୍ୟ କରୋନା ନେଲା ଯୁବ ଜିଆରଏସଙ୍କ ଜୀବନ

ବନ୍ତଳା: ଅନୁଗୁଳ ବ୍ଲକ କୋଠଭୁଇଁ ପଞ୍ଚାୟତରେ ଗ୍ରାମ୍ୟ ରୋଜଗାର ସେବକ ଭାବରେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ କରୋନାରେ ଜୀବନ ଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ କଦଳୀବେରେଣି ଗ୍ରାମର ସରୋଜ କୁମାର ସାହୁ(୩୮)ଦୀର୍ଘ ଦିନ ହେଲା କୋଠଭୂଇଁ ପଞ୍ଚାୟତରେ ଜିଆରଏସ ଭାବରେ କାର୍ଯ୍ୟ କରୁଥିଲେ। ତେବେ ୪ଦିନ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଅନ୍ୟପକ୍ଷରେ ଗତ ୨୦ତାରିଖ ଦିନ ଅନୁଗୁଳ ମେଡ଼ିକାଲରେ ତାଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ତାଙ୍କର ପଜିଟିଭ ରିପୋର୍ଟ ଆସିଥିଲା। ସରୋଜଙ୍କ ଅକ୍ସିଜେନ ସ୍ତର କମ ରହୁଥିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ଚିକିତ୍ସା ସତ୍ତ୍ୱେ ମଧ୍ୟ ଗତକାଲି ରାତି ପ୍ରାୟ ୧୦ଟା ବେଳକୁ ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ ମୃତ୍ୟୁ ଜିଆରଏସ କରୋନାର ଦ୍ଵିତୀୟ ଡୋଜ ମଧ୍ୟ ନେଇସାରିଥିଲେ। କିନ୍ତୁ କରୋନାର ଦୁଇଟି ଯାକ ଟିକା ନେଇଥିଲେ ମଧ୍ୟ ତାଙ୍କର କରୋନା ରେ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ଆଜି ତାଙ୍କ ମୃତଦେହକୁ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଦାହ କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁରେ ଅନ୍ତୁଳିଆ ଓ କୋଠଭୁଇଁ ପଞ୍ଚାୟତବାସୀଙ୍କ ସହ ଜିଆରଏସ ମାନଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି। ସେ ଜଣେ ମିଷ୍ଟଭାଷୀ ଓ ସମସ୍ତଙ୍କର ପ୍ରିୟ ଥିଲେ।

ସମ୍ବନ୍ଧିତ ଖବର