ଭିଜିଲାନ୍ସ ଜାଲରେ କନ୍ତେଶିର ପଞ୍ଚାୟତ ଜିଆର୍‌ଏସ୍‌

ପିଇଓଙ୍କ ନାଁରେ ବି ଅଭିଯୋଗ ଆଣିଛନ୍ତି ହିତାଧିକାରୀ

କେସିଙ୍ଗା : ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କାନ୍ତେଶିର ପଞ୍ଚାୟତ ଗ୍ରାମରୋଜଗାର ସେବକ (ଜିଆର୍‌ଏସ୍‌) ଜୟଚନ୍ଦ୍ର ଜାଲ। ଗୁହାଳ ଯୋଜନାରେ ହିତାଧିକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ପଞ୍ଚାୟତର ଇଓଙ୍କ ନାଁରେ ବି ହିତାଧିକାରୀ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଜିଆର୍‌ଏସ୍‌ କୁର୍ଲୁପଡ଼ାର ବିଜୟ ଚନ୍ଦ୍ର ସାହୁ, ଯୋଗେଶ୍ୱର ସାହୁ ଓ କବିରାଜ ସାହୁଙ୍କ ଗାଈ ଗୁହାଳ ବିଲ୍‌ ପାସ୍ ପାଇଁ ୩ବର୍ଷ ହେଲା ହଇରାଣ କରୁଥିଲେ। ଜିଆର୍‌ଏସ୍‌ ଶ୍ରୀ ଜାଲ ଓ ପଇଓ ଗୁହାଳ ପାଇଁ ୨୪ ହଜାରରୁ ଅଧିକ ଟଙ୍କା ଲାଞ୍ଚ ମାଗୁଥିଲେ। ପରେ ୧୨ ହଜାରରେ କଥା ଛିଣ୍ଡିଥିବା ବିଜୟ କହିଛନ୍ତି। ଏହା ପୂର୍ବରୁ ବିଜୟ ୫ହଜାର ଟଙ୍କା ଏମାନଙ୍କୁ ଦେଇଥିଲେ। ଶୁକ୍ରବାର ୫ହଜାର ଟଙ୍କା ଦେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଜିଆର୍‌ଏସଙ୍କୁ ଧରିଥିଲା। ଏହି ଘଟଣାରେ ପିଇଓଙ୍କ ନାଁ ବି ଆସୁଥିବାରୁ ଅଧିକ ତଦନ୍ତ ପାଇଁ ଦାବି ହୋଇଛି। ଏହି ପଞ୍ଚାୟତର ଦୁର୍ନୀତି ନେଇ ବହୁବାର ଅଭିଯୋଗ ଉଠିଲାଣି। ଏଣୁ ଏହି ଘଟଣା ସହ ପଞ୍ଚାୟତରେ ହୋଇଥିବା ଅନ୍ୟ ଉନ୍ନତିମୂଳକ କାର୍ଯ୍ୟର ବି ଭିଜିଲାନ୍ସ ତଦନ୍ତ ହେଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା।

ସମ୍ବନ୍ଧିତ ଖବର