ଶୁଳିଆପଦା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ଅଁଳାକୁଡ଼ା ପଞ୍ଚାୟତ ଜିଆର୍ଏସ୍ ଗୌରମୋହନ ସୋରେନ୍ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗୌରମୋହନ ମନରେଗା ଯୋଜନା ଅଧୀନ ଏକ କାମର ମଷ୍ଟରରୋଲ୍ କରିବା ପାଇଁ ଗ୍ରାମସାଥୀ ଅକ୍ଷୟ ସୋରେନଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ କାମ ହେବନି ବୋଲି କହିଥିଲେ ଗୌରମୋହନ। ଶେଷରେ ୯ ହଜାର ଟଙ୍କାକୁ କଥା ଛିଣ୍ଡିଥିବା ବେଳେ ଅକ୍ଷୟ କିନ୍ତୁ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଗୌରମୋହନ ବୁଧବାର ଦିନ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ରଙ୍ଗବୋଳା ଟଙ୍କା ସହ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଡିଏସ୍ପି ଜୟନ୍ତୀ ଦଳେଇଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ପରେ ଗୌରମୋହନ ରହୁଥିବା ଭଡ଼ାଘରକୁ ଯାଇ ଭିଜିଲାନ୍ସ ଟିମ୍ ତଦନ୍ତ କରିବା ସହିତ ସନ୍ଧ୍ୟାରେ ଶୁଳିଆପଦା ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲା। ପରେ ଗୌରମୋହନଙ୍କୁ ସାଙ୍ଗରେ ନେଇଯାଇଛି ଭିଜିଲାନ୍ସ ଟିମ୍।