ଗୋଳନ୍ଥରା: ବନ୍ଧ ପୁନରୁଦ୍ଧାର କାମର ବିଲ୍ ପାସ୍ କରିବାକୁ ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସିଏଚ୍.ଚନ୍ଦ୍ରେୟା। ଅଭିଯୋଗକାରୀ ହନ୍ତଳୁ ଗ୍ରାମର ଋଷି ରେଡ୍ଡୀଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚନ୍ଦ୍ରେୟାଙ୍କୁ ବ୍ଲକ୍ ଅଫିସ୍ ପରିସରରୁ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍ ଅଧିକାରୀ କାବୁ କରି ନେଇଛନ୍ତି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ସହ କେସ୍ ନମ୍ବର ୨୦ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଏଥି ସହିତ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନସ୍ ଟିମ୍ ଉଠାଇ ନେଇ ଜେରା ଚଳାଇଛନ୍ତି। ଭିଜିଲାନ୍ସ୍ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ସୂଚନାନୁସାରେ, ଇନ୍ଦ୍ରାକ୍ଷୀ ପଞ୍ଚାୟତ ହନ୍ତଳୁ ଗ୍ରାମରେ ଭାଗ୍ୟବନ୍ଧର ପୁନରୁଦ୍ଧାର ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ମାଟି କାମ ବାବଦରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରଥମ କିସ୍ତିରେ ୨ ଲକ୍ଷ ୩୨ ହଜାର ୯୨୦ ଟଙ୍କାର ବିଲ୍ ହୋଇଥିଲା। ଉକ୍ତ ବିଲ୍କୁ ପାସ୍ କରିବା ଲାଗି ଚନ୍ଦ୍ରେୟା ୨୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରମିକମାନଙ୍କ ପ୍ରତିନିଧି ଋଷି ବ୍ରହ୍ମପୁର ଭିଜିଲାନ୍ସ୍ରେ ଦ୍ବାରସ୍ଥ ହେବା ସହ ଅଭିଯୋଗ କରିଥିଲେ। ଆଜି ଦିନ ୧୧ଟାରେ ଋଷି ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଟଙ୍କା ନେଉଥିବା ସମୟରେ ଚନ୍ଦ୍ରେୟାଙ୍କୁ ଭିଜିଲାନ୍ସ୍ ଅଧିକାରୀମାନେ କାବୁ କରି ନେଇଥିଲେ।
ଅନ୍ୟପକ୍ଷରେ ରଙ୍ଗେଇଲୁଣ୍ଡା ବିଡିଓ ଗଞ୍ଜାମ ବ୍ଲକ୍ରୁ ବଦଳି ହୋଇ ଆସିବା ପରେ ଗତକାଲି ସେଠାକାର ସହକାରୀ ଯନ୍ତ୍ରୀ ଭିଜିଲାନ୍ସ୍ ଜାଲରେ ପଡ଼ିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍ରେ ଦାୟିତ୍ବ ନେବାର କିଛି ଦିନ ପରେ କାର୍ଯ୍ୟାଳୟରେ ଭିଜିଲାନ୍ସ୍ ଅଧିକାରୀମାନଙ୍କ ପାଦ ପଡ଼ିବା ଆରମ୍ଭ ହୋଇଛି। ଏପରିକି ଗତ ୧୯ ତାରିଖରେ ବ୍ଲକ୍ ପରିସରରୁ ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ ସହ ଅପହରଣ କରା ଯାଇଥିଲା।