ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସରକାର ଘୋଷଣା କରିଛନ୍ତି ୧୫ ଦିନିଆ ଲକଡାଉନ୍। ଏହାର ସିଧାସଳଖ ପ୍ରଭାବ ପଡିଛି ଗତ କରୋନା ମାଡରେ ଭଲକି ଅଣ୍ଟା ସଳଖି ଛିଡା ହୋଇ ପାରୁନଥିବା ଦିନ ମଜୁରିଆ, ଶ୍ରମିକ ଓ ରାସ୍ତାକଡର ବେସାହାରାଙ୍କ ଉପରେ । କାମ ମିଳୁ ନଥିବାରୁ ସେମାନଙ୍କ ପକ୍ଷେ ପେଟକୁ ଓଳିଏ ଦାନା ଯୋଗାଡ କରିବା କଷ୍ଟକର ହୋଇ ପଡିଛି l ଏଭଳି ଜଟିଳ ସମୟରେ ମହନୀୟତା ଦେଖାଇଛି ଗୃହସ୍ଥୀ ପରିବାର।
/sambad/media/post_attachments/wp-content/uploads/2021/05/rkl-food2.jpg)
ଅନ୍ୟ ସାମାଜିକ ସଙ୍ଗଠନଗୁଡ଼ିକ କରୋନା ଆକ୍ରାନ୍ତଙ୍କୁ ଦୁଇ ଓଳି ରନ୍ଧା ଖାଦ୍ୟ ଦେଉଥିବାବେଳେ ଗୃହସ୍ଥୀ ପରିବାର ଦିନ ମଜୁରିଆ, ଶ୍ରମିକ ଓ ରାସ୍ତାକଡର ବେସାହରାଙ୍କ ମୁହଁରେ ଦେଉଛନ୍ତି ଆହାର। ତା’ ପୁଣି ୧୦୦ କି ୨୦୦ ନୁହେଁ ଦୈନିକ ପ୍ରାୟ ୫୦୦ ଲୋକଙ୍କୁ ଖାଦ୍ୟ ପୁଡିଆ ବାଣ୍ଟୁଛନ୍ତି। ଖାଦ୍ୟ ପୁଡିଆ ସହ ବିସ୍କୁଟ, ପାଣି ବୋତଲ, ସାନିଟାଇଜର, ମାକ୍ସ ଓ ହ୍ୟାଣ୍ଡ ୱାସ୍ ମଧ୍ୟ ଦେଉଛନ୍ତି। ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଦେଉଛନ୍ତି କାଡା ମସଲା। ଖାଦ୍ୟ ଦେବା ବେଳେ କରୋନା କଟକଣା ମାନି ଘରେ ରହିବାକୁ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି। ଗତ ୧ ତାରିଖରୁ ଏଭଳି ସେବା କାମ ଜାରି ରଖିଛନ୍ତି l କରୋନା ନ ହଟିବା ଯାଏ ଏହି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଗୃହସ୍ଥୀ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଗଣେଶ ବାଗେଡିଆ।
ସେ କହିଛନ୍ତି ଗୃହସ୍ଥୀ ଉଦ୍ୟୋଗର ୧୦ରୁ ୧୨ କର୍ମଚାରୀ ଗାଡିରେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ ଖାଦ୍ୟ ପହଁଚାଉଛନ୍ତି। ଏହି କାମରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ତାଙ୍କ ପୁଅ ଗୋକୁଳ ଆନନ୍ଦ ବାଗେଡିଆ। ସେ କହିଛନ୍ତି ଏମିତି କାମରୁ ଆମକୁ ବହୁତ ଆତ୍ମ ତୃ୍ପ୍ତି ମିଳୁଛି। ଶ୍ରମିକ, ଦିନ ମଜୁରିଆ ନୁହେଁ ବୁଲା ଗାଈ, କୁକୁରଙ୍କୁ ମଧ୍ୟ ଦୈନିକ ଖାଇବାକୁ ଦେଉଛୁ। ଏଭଳି ମହତ କାର୍ଯ୍ୟରେ ସଂସ୍ଥାର ଅମିତ ଅଗ୍ରୱାଲ, ସଞ୍ଜନା ଜେନା, ପ୍ରଫୁଲ୍ଲ ପାତ୍ର, ନିରାକାର ସାହୁ, ପୂଜା ମିଶ୍ରଙ୍କ ସହ ଗୃହସ୍ଥୀ ପରିବାର ପ୍ରମୁଖ ସହଯୋଗ କରୁଛନ୍ତି। ଏଭଳି ଜଟିଳ ସମୟରେ ଭୋକ ଉପାସରେ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସହାୟତା କରିବାକୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ଆଗେଇ ଆସିଲେ ଦିନ ମଜୁରିଆ, ବେସାହାରାଙ୍କ ପେଟକୁ ଦୁଇ ଓଳି ଖାଦ୍ୟ ମିଳିପାରି ପାରନ୍ତl ବୋଲି କହନ୍ତି ସେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/rkl-food-a.jpg)