କଟକ: ଜିଏସ୍ଟି ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ବିଚାରବିଭାଗୀୟ ସଦସ୍ୟ ପଦରେ ନିଯୁକ୍ତି ପାଇଁ ବାଟ ଫିଟିଛି। ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ଅଙ୍କୁଶ ଉଠାଇବା ସହିତ ଏ ସଂପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.କେ.ହରିଚନ୍ଦନଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ମେ ୩୦ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି କେନ୍ଦ୍ର ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଜିଏସ୍ଟି ଆପିଲେଟ୍ ଟ୍ରିବ୍ୟୁନାଲ୍ର ବିଚାରବିଭାଗୀୟ ସଦସ୍ୟ ପଦ ପାଇଁ ଚୟନ ପ୍ରକ୍ରିୟା ଚାଲି ପାରିବ କିନ୍ତୁ ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରି ନଥିଲା। ମାମଲାର ଚୂଡ଼ାନ୍ତ ପର୍ଯ୍ୟାୟ ଶୁଣାଣି ସମୟରେ ଗୁଇନ୍ଦା ବ୍ୟୁରୋ (ଆଇବି) ନିକଟରୁ ମିଳିଥିବା ରିପୋର୍ଟ ଆଧାରରେ ପ୍ରାର୍ଥୀଙ୍କ ଆବେଦନ ଯାଞ୍ଚ କରାଯିବା ସହିତ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଚୟନ କରାଯାଇଥିଲା। ସର୍ଚ୍ଚ ତଥା ସିଲେକ୍ସନ୍ କମିଟି ପକ୍ଷରୁ ଗ୍ରହଣ କରାଯାଇଥିବା ଏପରି ପଦକ୍ଷେପ ଆଇନ ସମ୍ମତ ବୋଲି ହାଇକୋର୍ଟ ମତ ଦେବା ସହିତ ମାମଲାକୁ ଅଗ୍ରାହ୍ୟ କରିଛନ୍ତି।
ଏହି ପଦ ପୂରଣ ପାଇଁ କେନ୍ଦ୍ର ରାଜସ୍ବ ବିଭାଗ ତରଫରୁ ୨୦୨୪, ଫେବ୍ରୁଆରି ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଆବେଦନକାରୀଙ୍କୁ ସାକ୍ଷାତକାର ସମ୍ପର୍କିତ ଚିଠି ଓ ରାଜସ୍ବ ବିଭାଗ ସେକ୍ସନ୍ ଅଫିସର୍ଙ୍କ ଇ-ମେଲ୍ ୨୦୨୪, ଜୁଲାଇ ୨୫ରେ ଦିଆଯାଇଥିଲା। ୨୦୨୪, ଅଗଷ୍ଟ ୩ରେ ଆବେଦନକାରୀ ଏଥି ପାଇଁ କୋଲକାତା ଯାଇଥିଲେ। ପରବର୍ତ୍ତୀ ସମୟରେ ପୁଣି ସାକ୍ଷାତକାର ପାଇଁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀଙ୍କୁ ମେ’ ୩୧ରେ ଡକାଯାଇଥିଲା। ଏହାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଥରେ ସାକ୍ଷାତକାର ପରେ ସର୍ଚ୍ଚ ତଥା ସିଲେକ୍ସନ୍ କମିଟି ପୁଣି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଡାକିବା ୨୦୨୩ ନିୟମାବଳୀର ଉଲ୍ଲଂଘନ କରୁଛି। ଏପରି ପଦକ୍ଷେପକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ମାମଲାରେ କେନ୍ଦ୍ର ସରକାରଙ୍କ ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଅଫ୍ ଇଣ୍ଡିଆ ଏନ୍.ଭେଙ୍କଟରମଣ, ଡିଏସ୍ଜିଆଇ ପ୍ରସନ୍ନ କୁମାର ପାଢ଼ୀ ମାମଲା ପରିଚାଳନା କରୁଥିଲେ।