ଜିଏସ୍‌ଟିକୁ ଚାଲେଞ୍ଜ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି ଘୁଞ୍ଚିଲା

କଟକ: ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ(ଜିଏସ୍‌ଟି) ଲାଗୁକୁ ବିରୋଧ କରି ରୁଜୁ ଜନସ୍ୱାର୍ଥ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଲ ଇଣ୍ଡିଆ ଆସୋସିଏସନ ଅଫ ଟ୍ୟାକ୍ସ ଲୟର୍ସ ଓ ବ୍ରହ୍ମପୁର ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଜିଏସଟି ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଓ ସମ୍ବିଧାନ ବିରୋଧୀ। ସଂଘୀୟ ବ୍ୟବସ୍ଥାର ଏହା ପରିପନ୍ଥୀ। କର ସଂଗ୍ରହ କ୍ଷେତ୍ରରେ ରାଜ୍ୟ ଗୁଡିକର ସ୍ୱତନ୍ତ୍ରତା ଉପରେ ଜିଏସଟି ବ୍ୟବସ୍ଥା ଅଙ୍କୁଶ। ଏଥି ସହିତ ବ୍ୟବସାୟ କରି ଜୀବନ ନିର୍ବାହ କରୁଥିବା ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଜିଏସଟି ଲାଗୁ ଦ୍ୱାରା କ୍ଷୁଣ୍ଣ ହୋଇଛି। ବିନା କୌଣସି ପ୍ରାକ୍‌ ପ୍ରସ୍ତୁତିରେ ଜିଏସଟି ଲାଗୁ କରାଯାଇଥିବା ବେଳେ ଏହା କରଦାତା ଓ କର ପରାମର୍ଶଦାତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଜିଏସଟିରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ କ୍ଷୁଦ୍ର ବ୍ୟବସାୟୀ କମ୍ପ୍ୟୁଟରିକରଣକୁ ଆପଣାଇବା ଅସମ୍ଭବ ହୋଇପଡିଛି। ଜିଏସଟିରେ ସମୟ ଅପଚୟ ହେବା ସହ ବିନା କାରଣରେ ଜରିମାନା ଦେବାକୁ ପଡୁଛି। ଜିଏସଟି ସଂପର୍କରେ ତଥ୍ୟ ପାଇବା ପାଇଁ ହେଲପ୍‌ ଲାଇନ ସହ ଯୋଗାଯୋଗ କଲେ କୌଣସି ସୁଫଳ ମିଳୁନାହି। ସେହିପରି ବୈଷୟିକ ତ୍ରୁଟି ଯୋଗୁଁ ବହୁ ଲୋକ ରିଟର୍ଣ୍ଣ ଫାଇଲ କରି ପାରୁ ନାହାନ୍ତିି। ଜିଏସଟି ନିୟମରେ ଉଲ୍ଲଘଂନ ପାଇଁ ଦଣ୍ଡ ଓ ଜରିମାନା ବ୍ୟବସ୍ଥା ଥିବା ବେଳେ ଏପରି କରାଯିବା କଥା ନୁହେଁ। ଲୋକମାନେ ଏ ପର୍ଯ୍ୟନ୍ତ ଜିଏସଟି କଣ ଠିକ୍‌ ଭାବେ ଜାଣି ପାରିଲେ ନାହିଁ। ସମୟରେ କର ପଇଠ କରୁଥିବା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଓ ଯେଉଁମାନେ ଏଥିରେ ଖିଲାପ କରୁଛନ୍ତି ସେମାନଙ୍କୁ ଅଧିକ ସୁଯୋଗ ଦେବା ଜରୁରୀ। ଜିଏସଟି ଲାଗୁ ଫଳରେ ଛୋଟ ବଡ ବ୍ୟବସାୟୀମାନେ ନାକେଦମ ହେଲେଣି ବୋଲି ଆବେଦନରେ ଦର୍ଶାଯାଇଛି। ପୂର୍ବରୁ ଜିଏସଟିକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟ ଓ ରାଜସ୍ଥାନ ହାଇକୋର୍ଟରେ ମାମଲା ରୁଜୁ ହୋଇ ସାରିଛି ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ସରକାରଙ୍କ ଅର୍ଥ ଓ ଆଇନ ବିଭାଗ, ରାଜ୍ୟ ଅର୍ଥ ବିଭାଗ, ଆଇନ ବିଭାଗ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସାଇଜ୍‌ ଆଣ୍ଡ୍‌ କଷ୍ଟମ୍ସ, ରାଜ୍ୟ ବାଣିଜ୍ୟକର କମିସନର, ଜିଏସଟି କାଉନସିଲ ଏବଂ ଗୁଡ୍ସ ଆଣ୍ଡ୍‌ ସର୍ଭିସ୍‌ ଟ୍ୟାକ୍ସ ନେଟଓ୍ଵର୍କକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କହ୍ନେୟାଲାଲ ଶର୍ମା, ରବିନ୍ଦ୍ରନାଥ ପାଲ, ଏମ୍‌.କେ.କୌଶିକ ଓ ପୂର୍ଣ୍ଣଚନ୍ଦ୍ର ହୋତା ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର