ରାଉରକେଲା: ଜାଲ୍ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି ଶହ ଶହ କୋଟି ଜିଏସ୍ଟି ବାବଦକୁ ଇନପୁଟ ଟ୍ୟାକ୍ସ କ୍ରେଡିଟ୍(ଆଇଟିସି) ଠକେଇ ମାମଲାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଗୁପ୍ଚୁପ୍ ବିକାଳିଠାରୁ ଆରମ୍ଭକରି ଦିନ ମଜୁରିଆ, ସଫେଇ କର୍ମଚାରୀ, ବେକାର ଯୁବକଯୁବତୀ ପର୍ଯ୍ୟନ୍ତ ପ୍ରାୟ ସବୁ ବର୍ଗର ଲୋକ ଏହି ଠକାମିର ଶିକାର ହୋଇଛନ୍ତି। ଚାକିରି ଆଶାରେ କାଗଜପତ୍ର ଦେଇ ଏମାନେ ଫସିଯାଇଥିବାବେଳେ କୋଟି କୋଟି ଠକି ନେଇ ଜିଏସ୍ଟି ଠକମାନେ କିନ୍ତୁ ବିନ୍ଦାସ୍ ବୁଲୁଛନ୍ତି। ଶ୍ରମିକ ଯାମିନୀକାନ୍ତ ନାୟକ, ବିଶ୍ବଜିତ ତାଣ୍ଡିଆ, ସାରଦା ପ୍ରସନ୍ନ ସ୍ବାଇଁ, କଲେଜ ଛାତ୍ର ସୌମ୍ୟଜିତ ସ୍ବାଇଁଙ୍କ ପରେ ଏବେ ଆଉ ଜଣେ ଗାଡ଼ି ଚାଳକ ଓ ବିଧବା ଏହି ଠକାମିର ଶିକାର ହୋଇଛନ୍ତି। ଉଭୟଙ୍କ ନାଁରେ ଜାଲ୍ ଆକାଉଣ୍ଟ୍ ଖୋଲି ୪୩ କୋଟି ଟଙ୍କା ଠକିନେଇଛନ୍ତି ଠକ ଦଳ।
ସେକ୍ଟର-୧ କାଳୀମନ୍ଦିର ବସ୍ତିରେ ସାନ ପୁଅ ସହ ରୁହନ୍ତି ସୁକାନ୍ତି ପାତ୍ର(୫୫)। ୨୦୦୯ ମସିହାରେ ସ୍ବାମୀଙ୍କ ମୃତ୍ୟୁପରେ କଷ୍ଟେମଷ୍ଟେ ପରିବାର ଭରଣପୋଷଣ କରନ୍ତି। ତେବେ ସୁକାନ୍ତିଙ୍କ ନାଁରେ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ୍ ମିଡ୍ଟାଉନ ଶାଖାରେ ଜାଲ୍ ଆକାଉଣ୍ଟ୍(ନଂ-୦୦୪୦୧୦୦୦୧୩୦୧) ଖୋଲାଯାଇଛି। ଉକ୍ତ ଜାଲ୍ ଆକାଉଣ୍ଟ୍ ମାଧ୍ୟମରେ ‘ସୁକାନ୍ତି ଷ୍ଟିଲ୍ସ’ ନାଁରେ ନକଲି କମ୍ପାନି ତିଆରିକରି ପ୍ରାୟ ୧୫ କୋଟି ଟଙ୍କାର ଜିଏସ୍ଟି ଅର୍ଥ ହଡ଼ପ କରାଯାଇଛି। ସୁକାନ୍ତିଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବେ ସଂପର୍କୀୟ ଜ୍ବାଇଁ ବସନ୍ତ ନାୟକ ବଗିଚା ରକ୍ଷଣବେକ୍ଷଣ ପାଇଁ ନିଯୁକ୍ତି ଦେବାକୁ କହି ସବୁ କାଗଜପତ୍ର ନେଇଯାଇଥିଲେ। ଉକ୍ତ କାଗଜପତ୍ରରେ ଆକାଉଣ୍ଟ୍ ଖୋଲି ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ କରିଛନ୍ତି।
ସେହିଭଳି ସେକ୍ଟର-୨୦, ସି ବ୍ଲକର ରାଜେନ୍ଦ୍ର ପଲାଇ ମଧ୍ୟ ଏହି ଠକାମିର ଶିକାର ହୋଇଛନ୍ତି। ରାଜେନ୍ଦ୍ରଙ୍କ ନାଁରେ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ୍, ମିଡ୍ଟାଉନ ଶାଖାରେ ଜାଲ୍ ଆକାଉଣ୍ଟ୍(୦୦୪୦୧୦୦୦୧୨୬୧) ଖୋଲାଯାଇଛି। ଉକ୍ତ ଆକାଉଣ୍ଟ୍ ବଳରେ ‘ଆର୍.ପି. ଏଣ୍ଟରପ୍ରାଇଜେସ୍’ ନାଁରେ ନକଲି କମ୍ପାନି ଖୋଲି ୨୮ କୋଟି ୨୮ ଲକ୍ଷ ୪ ହଜାର ୫୧୭ ଟଙ୍କାର କାରବାର କରାଯାଇଛି। ଏହାସହ କୋଟି କୋଟି ଟଙ୍କାର ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍ ଠକିନେଇଛନ୍ତି। କିଛି ବର୍ଷ ପୂର୍ବେ ପ୍ରଶାନ୍ତ ରାଉତ ନାମକ ଜଣେ ବ୍ୟକ୍ତି ଚାକିରି ଦେବା ନାଁରେ କାଗଜ ପତ୍ର ନେଇଥିଲେ। ତାଙ୍କ ଦ୍ବାରା ହିଁ ଏହି ଠକେଇ କରାଯାଇଥିବା ରାଜେନ୍ଦ୍ର ସନ୍ଦେହ ପ୍ରକାଶ କରିଛନ୍ତି।
ତେବେ ସୁକାନ୍ତି କିମ୍ବା ରାଜେନ୍ଦ୍ର ଏହି ଠକେଇ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିବା କହିଛନ୍ତି। ଜିଏସ୍ଟି କର୍ତୃପକ୍ଷଙ୍କ ସମନ୍ ପରେ ତାଙ୍କ ନାଁରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଉଭୟେ ଜାଣିବାକୁ ପାଇଥିଲେ। ଉଭୟଙ୍କର ଦସ୍ତଖତ ଓ ଠକ ଦ୍ବାରା ବ୍ୟାଙ୍କ୍ କାଗଜପତ୍ରରେ ଦିଆଯାଇଥିବା ଦସ୍ତଖତ ମଧ୍ୟରେ ମେଳ ଖାଇନଥିଲା। ଏମିତିକି ଆଫିଡେଭିଟ୍ରେ ଥିବା ଦସ୍ତଖତ ସହ ବି ମେଳ ଖାଇନଥିଲା। ଆକାଉଣ୍ଟ୍ ଖୋଲିବାପରେ ବ୍ୟାଙ୍କ୍ ପକ୍ଷରୁ ଆନୁସଙ୍ଗିକ କାଗଜପତ୍ର ହିତାଧିକାରୀଙ୍କ ପାଖକୁ ପଠାଯାଇଥାଏ, କିନ୍ତୁ ଏସବୁ ବି ରାଜେନ୍ଦ୍ର ଓ ସୁକାନ୍ତି ପାଇନାହାନ୍ତି। ଏନେଇ ଜିଏସ୍ଟି କର୍ତୃପକ୍ଷ ଛାନ୍ଭିନ୍ ଜାରି ରଖିଛନ୍ତି। ବିଡ଼ମ୍ବନା ଏହା ଯେ, ଏହି ଠକେଇ ନେଇ ଉଭୟେ ପୁଲିସ ପାଖକୁ ଯାଇ ମାମଲା ରୁଜୁ କରିବାକୁ ନିବେଦନ କରିଥିଲେ। ମାତ୍ର ପୁଲିସ ମାମଲା ରୁଜୁ କରିନଥିବା ଅଭିଯୋଗ କରିଛନ୍ତି।
ଜିଏସ୍ଟି ଅର୍ଥ ହଡ଼ପ ମାମଲା: ବିଧବା ଓ ଗାଡ଼ି ଚାଳକଙ୍କ ନାଁରେ ଜାଲ୍ ଆକାଉଣ୍ଟ ଖୋଲି ୪୩ କୋଟିର ଠକେଇ
/sambad/media/post_attachments/wp-content/uploads/2020/10/gst-fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)