ଏପ୍ରିଲରେ ୧୧୨୬.୬୭ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ, ରାଜ୍ୟରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ କରୋନା ଲହର ଉଗ୍ରରୂପ ଧାରଣ କରୁଛି। ହେଲେ ଜିଏସ୍‌ଟି ଟିକସ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ସର୍ବକାଳୀନ ରେକର୍ଡ କରିଛି। ଏପ୍ରିଲ ମାସରେ ୧୧୨୬ କୋଟି ୬୭ଲକ୍ଷ ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିବା ଅର୍ଥ ବିଭାଗ ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି। ରାଜ୍ୟ ଜିଏସ୍‌ଟି ଆଦାୟ କରିବା ଦିନଠାରୁ ପୂର୍ବରୁ କେତେ ଏତେ ପରିମାଣର ଟିକସ ଆଦାୟ ହୋଇପାରିନଥିଲା।

୨୦୧୯ ମସିହା ଏପ୍ରିଲ ମାସରେ ଓଡ଼ିଶା ୯୨୭ କୋଟି ୬୦ଲକ୍ଷ ଟଙ୍କା ଆଦାୟ କରିଥିବା ବେଳେ ୨୦୨୦ ଏପ୍ରିଲରେ ଏହି ଟିକସ ସଂଗ୍ରହ ପରିମାଣ ଖସିଆସି ୩୬୦ କୋଟି ୩୬ ଲକ୍ଷକୁ ଖସିଆସିଥିଲା। ସେହିଭଳି ଗତ ମାର୍ଚ୍ଚ ମାସରେ ୯୫୪ କୋଟି ୬୨ଲକ୍ଷ ଟଙ୍କା ଜିଏସ୍‌ଟି ସଂଗ୍ରହ କରିଥିଲା ଓଡ଼ିଶା।

ଟିକସ ପଇଠରେ ଉନ୍ନତି ପଛର କାରଣ ଦର୍ଶାଇ ଅର୍ଥ ବିଭାଗ କହିଛି, ଲୌହ ଓ ଇସ୍ପାତ କ୍ଷେତ୍ରରୁ ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଟିକସ ଅଧିକାରୀମାନେ ରିଟର୍ଣ୍ଣ ଯାଞ୍ଚ କରିବା ଫଳରେ ଏହି ପରିମାଣ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୯୫୨କୋଟି ୪୩ଲକ୍ଷ, ସମ୍ବନିତ ଜିଏସ୍‌ଟି (ଆଇଜିଏସ୍‌ଟି)ରେ ୧୧୫୭ କୋଟି ୫ଲକ୍ଷ ଏବଂ ଅତିିରିକ୍ତ ଟିକସ ବାବଦରେ ୬୧୩ କୋଟି ୩୩ଲକ୍ଷ ଟଙ୍କା ସଂଗ୍ରହ ହୋଇଛି। ଏହିପରି ମୋଟ୍ ଜିଏସ୍‌ଟି ଆଦାୟ ପରିମାଣ ୩ହଜାର ୮୪୮ କୋଟି ୪୮ଲକ୍ଷ ଟଙ୍କା। ଏହା ବି ସର୍ବକାଳୀନ ରେକର୍ଡ। ୨୦୧୯ଏପ୍ରିଲରେ ଏହି ପରିମାଣ ୨୯୫୫ କୋଟି ୬୦ଲକ୍ଷ ଟଙ୍କା ଥିବା ବେଳେ ୨୦୨୦ ଏପ୍ରିଲରେ ଏହ ୭୭୪ କୋଟି ୨୯ ଲକ୍ଷ ରହିଥିଲା।

ଅର୍ଥ ବିଭାଗ ଦେଇଥିବା ତଥ୍ୟ ଅନୁସାରେ,୨୦୨୦-୨୧ ଆର୍ଥିକ ବର୍ଷରେ ୫୨,୨୧୦ ଜଣ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଟିକସ ଦାଖଲ ଖିଲାପକାରୀଙ୍କ ବିରୋଧରେ ୧ ଲକ୍ଷ୨୯ ହଜର ୭୧୧ଟି ଜିଏସ୍‌ଟିଆର୍‌-୩ଏ ନୋଟିସ୍‌ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର