ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ : ଅଡୁଆ ବଢ଼ାଇଲା କେନ୍ଦ୍ରୀୟ ସର୍ତ

ମାନିପାରୁ ନାହାନ୍ତି କି ବିରୋଧ କରିପାରୁ ନାହାନ୍ତି
୩୬୦୦ କୋଟିର ପ୍ରସ୍ତାବ ଯାଇଛି, ଟଙ୍କାଏ ମିଳିନି
ପ୍ରଥମ ଚାରି ମାସରେ ୧୧୦୦୦କୋଟିର ଋଣ

ଭୁବନେଶ୍ୱର, (ଭବାନୀ ଶଙ୍କର ତ୍ରିପାଠୀ) : କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ବାବଦରେ ରାଜ୍ୟମାନଙ୍କ ସାମ୍ନାରେ ଯେଉଁ ଦୁଇଟି ବିକଳ୍ପ ପ୍ରସ୍ତାବ ରଖିଛନ୍ତି, ସେ ମଧ୍ୟରୁ କାହାକୁ ଗ୍ରହଣ କରିବେ ରାଜ୍ୟ ସରକାର? କେନ୍ଦ୍ର ପରାମର୍ଶକୁ ଆଖିବୁଜା ମାନିନେବେ ନା ବିରୋଧ କରିବା ସହିତ ଦାବି ରଖିବେ ଯେ କେନ୍ଦ୍ର ସରକାର ନିଜେ ଋଣ କରି କ୍ଷତିପୂରଣ ଅର୍ଥ ଭରଣା କରନ୍ତୁ?

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ବୈଠକରେ ରାଜ୍ୟ ସାମ୍ନାରେ ରଖାଯାଇଥିବା ପ୍ରସ୍ତାବ ମଧ୍ୟରୁ ଏ ଯାଏ କେଉଁ ଫର୍ମୁଲା ଗ୍ରହଣ କରିବେ, ସେକଥା ରାଜ୍ୟ ସରକାର ସ୍ଥିର କରିପାରୁନାହାନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଦେଇଥିବା ସପ୍ତାହେ ସମୟ ଇତିମଧ୍ୟରେ ବିତିଯାଇଛି। ହେଲେ ଏହା ଉପରେ ଠୋସ୍ ନିଷ୍ପତ୍ତି ଏଯାଏ ନେଇ ପାରି ନାହାନ୍ତି ରାଜ୍ୟ ସରକାର।

ଗତ ଅଗଷ୍ଟ ୨୮ ତାରିଖ ବୈଠକରେ କେନ୍ଦ୍ର ସରକାର ଦୁଇଟି ପ୍ରସ୍ତାବ ରାଜ୍ୟମାନଙ୍କ ସାମ୍ନାରେ ରଖିଥିଲେ। ପ୍ରଥମ ପ୍ରସ୍ତାବ ହେଲା, ଚଳିତ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବାବଦରେ ସମୁଦାୟ ଦେଶରେ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ନିଅଣ୍ଟିଆ ଦେଖାଦେବ। ଜିଏସଟି କାର୍ଯ୍ୟକାରୀ ହେବା ଜନିତ ରାଜସ୍ବ କ୍ଷତି ଏବଂ କରୋନା ମହାମାରୀ ପାଇଁ ଦେଖାଦେଇଥିବା ରାଜସ୍ବ ଅଭାବ ବିଚାରକୁ ନେଇ କେନ୍ଦ୍ର ସରକାର ଏହି ହିସାବ ଦର୍ଶ‌ାଇଥିଲେ। କେନ୍ଦ୍ର ସରକାର କହିଥିଲେ ଯେ ରାଜ୍ୟଗୁଡ଼ିକ ଏହି ନିଅଣ୍ଟିଆ ଅର୍ଥ ବଜାରରୁ ଋଣ କରି ସଂଗ୍ରହ କରିବେ। ଉଭୟ କେନ୍ଦ୍ର ଓ ରିଜର୍ଭ ବ୍ୟାଙ୍କ ଏଥିପାଇଁ ରାଜ୍ୟଗୁଡ଼ିକୁ ସହଯୋଗ କରିବେ। କେନ୍ଦ୍ର ସରକାର ଏହି ଋଣର ମୂଳ ଓ ସୁଧ ବାବଦ ଅର୍ଥକୁ ପରେ ରାଜ୍ୟଗୁଡ଼ିକୁ ସେସ୍‌ରୁ ପ୍ରଦାନ କରିବେ। ଏଥିପାଇଁ ରାଜ୍ୟଗୁଡ଼ିକୁ ଏଫଆର୍‌ବିଏମ୍‌ ଆଇନ ଅଧୀନରେ ଋଣ ସୀମା ୦.୫ ପ୍ରତିଶତ କୋହଳ କରାଯିବ। ଜିଏସଟି ନିଅଣ୍ଟ ବାବଦରେ ଯେଉଁ ୯୭ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକ ସଂଗ୍ରହ କରିବେ ତାହାକୁ ରାଜ୍ୟର ଋଣ ଭାବେ ବିବେଚନା କରାଯିବ ନାହିଁ। କିନ୍ତୁ ଅବଶିଷ୍ଟ ୧.୩୮ ଲକ୍ଷ କୋଟି ଟଙ୍କା ରାଜ୍ୟର ଖାତାରେ ଚଢ଼ିବ।

କେନ୍ଦ୍ର ସରକାର ଦ୍ବିତୀୟ ବିକଳ୍ପ ପ୍ରସ୍ତାବ ଦେଇ କହିଥିଲେ ଯେ ଜିଏସଟି କାର୍ଯ୍ୟକାରୀ କରିବା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଯେଉଁ ୯୭ ହଜାର କୋଟି ଟଙ୍କାର ନିଅଣ୍ଟ ଦେଖାଦେବ ତାହାକୁ ରାଜ୍ୟଗୁଡ଼ିକ ଋଣ ମାଧ୍ୟମରେ ସଂଗ୍ରହ କରିପାରିବେ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ଋଣ କରିବା ଲାଗି ଏକ ସ୍ବତନ୍ତ୍ର ୱିଣ୍ଡୋ ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବି ଏଥିପାଇଁ ରାଜ୍ୟଗୁଡ଼ିକୁ ସହଯୋଗ ଯୋଗାଇବେ। ଏହାକୁ ରାଜ୍ୟର ଋଣ ଭାବେ ବିବେଚନା କରା ନଯାଇ ସେସ୍‌ ପାଣ୍ଠିରୁ ସମ୍ପୂର୍ଣ୍ଣ ଭରଣା କରିବା ସୁବିଧା ରହିବ।

କେନ୍ଦ୍ରର ଏହି ପ୍ରସ୍ତାବକୁ ଅନେକ ରାଜ୍ୟ ବିରୋଧ କରୁଛନ୍ତି। ଓଲଟା ଚାପ ରଖୁଛନ୍ତି ଯେ କେନ୍ଦ୍ର ସରକାର ନିଜେ ଋଣ କରି ରାଜ୍ୟମାନଙ୍କୁ ଦିଅନ୍ତୁ। ହେଲେ କେନ୍ଦ୍ର ସରକାର ରାଜି ହେଉନାହାନ୍ତି, କାରଣ ଏହାଦ୍ବାରା ଦେଶର ଅର୍ଥନୀତିର ବିକଳ ଚେହେରା ଆହୁରି ସାମ୍ନାକୁ ଆସିବ। କିଛି ରାଜ୍ୟ ନିଜ ମୁଣ୍ଡକୁ ବି ଏ ବୋଝ ନେବା ସ୍ଥିତିରେ ନାହାନ୍ତି।

ଏହି ନିଷ୍ପତ୍ତି ସହିତ ରାଜ୍ୟମାନଙ୍କର ଉଭୟ ରାଜନୈତିକ ଓ ଅର୍ଥନୈତିକ ବିଚାର ରହୁଥିବା କାରଣରୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହାକୁ ଗମ୍ଭୀରତାର ସହିତ ନେଉଛନ୍ତି। କେଉଁ ସରକାର କେନ୍ଦ୍ରର ତିରୋଟ ସମୟରେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହାଉପରେ ସମସ୍ତଙ୍କର ଲକ୍ଷ୍ୟ ରହିଛି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ସଙ୍ଗିନ୍ ଥିବା ବେଳେ ରାଜନୈତିକ ସମର୍ଥନ ଆଧାରରେ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିନେବେ ନା ବାସ୍ତବତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଉପରେ ଓଡ଼ିଶା ଚାପ ରଖିବ ତାହା ଦେଖିବା କଥା।

ଅର୍ଥନୀତିଜ୍ଞଙ୍କର ମତ ରହୁଛି ଯେ ଶହେ କି ପାଞ୍ଚଶହ କୋଟି ନୁହେଁ, ଆର୍ଥିକ ବର୍ଷର ପ୍ରଥମ ୪ମାସରେ ରାଜ୍ୟ ସରକାର କେନ୍ଦ୍ରକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୩୬୦୦ କୋଟି ଟଙ୍କା ମାଗିଛନ୍ତି। ଏଥିରୁ ଟଙ୍କାଟିଏ ବି ଏଯାଏ କେନ୍ଦ୍ର ସରକାର ଦେଇନାହାନ୍ତି। ରାଜ୍ୟ ସରକାର ଏ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି, ଯଦିଓ ରାଜ୍ୟର ଆର୍ଥିକ ସ୍ବାସ୍ଥ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି।

ଏକ ସୂଚନାଧିକାର ଆଇନ ଆଧାରରେ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନିଜେ ସ୍ବୀକାର କରିଛି ଯେ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୧୦ ହଜାର ୬୯୫ କୋଟିକୁ ଛୁଇଁସାରିଥିଲା। ଏ ମଧ୍ୟରୁ ଭାରତ ସରକାରଙ୍କ ଠାରୁ ରାଜ୍ୟ ୪୬୩ କୋଟି ୨୪ଲକ୍ଷ ଟଙ୍କା, ଖୋଲାବଜାରରୁ ୫ହଜାର କୋଟି, ଭାରତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ୧୨୨୮ କୋଟି ୦୯ଲକ୍ଷ, ଗ୍ରାମ୍ୟ ବିଦ୍ୟୁତକରଣ ନିଗମ ଓ ଅନ୍ୟାନ୍ୟ ସୂତ୍ରରୁ ୩୮୪୩କୋଟି ୦୬ଲକ୍ଷ ଟଙ୍କା ଏବଂ ଭବିଷ୍ୟନିଧି ପାଣ୍ଠି (ନିଟ୍‌) ଜରିଆରେ ୧୬୧ କୋଟି ୩୦ଲକ୍ଷ ଟଙ୍କା ଋଣ ଆଣିଛନ୍ତି।

ନିକଟ ଅତୀତରେ ଆର୍ଥିକ ବର୍ଷର ପ୍ରଥମ ଚାରିମାସରେ ପାଖାପାଖି ୧୧ହଜାର କୋଟି ଟଙ୍କା ଋଣ କରାଯିବାର ନଜିର ନାହିଁ। ଅଗଷ୍ଟ ମାସର ରାଜସ୍ବ ଆଦାୟ ଚିତ୍ର ମଧ୍ୟ ସଙ୍କେତ ଦେଉଛି ଯେ ପୂର୍ବସ୍ଥିତିକୁ ରାଜ୍ୟ ଫେରିବା ଅବସ୍ଥାରେ ନାହିଁ।

ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେ ଆଉ ଖୋଲା ବଜାରରୁ ଋଣ ସରକାର କରିବେ ନାହିଁ। କାରଣ ଓମ୍‌ବାଡ୍‌ସି ଓ ଡିଏମ୍‌ଏଫ୍‌ରୁ ପାଖାପାଖି ୧୨ହଜାର କୋଟି ଟଙ୍କା ଋଣ ଆଣିବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସୁଧ କେତେ ବି କମ୍‌ ହେଉ,ରାଜ୍ୟର ଋଣ ଭାର କିନ୍ତୁ ବଢ଼ିବ ହିଁ ବଢ଼ିବ।

ଏଭଳିସ୍ଥଳେ ସରକାର ଯଦି କେନ୍ଦ୍ର ସରକାରଙ୍କ ପ୍ରତି କୋହଳ ମନୋଭାବ ରଖିବେ, ତେବେ ରାଜ୍ୟ ସ୍ବାର୍ଥ ଗୁରୁତର ଭାବେ ପ୍ରଭାବିତ ହେବ ଓ ବିକାଶ ଲାଗି ସରକାରୀ ଫର୍ମୁଲା ବି ଦିଶାହୀନ ହୋଇଯିବା ବିଚିତ୍ର ନୁହେଁ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରାଇ ଦେଲେଣି।

ଅତିବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଇତିମଧ୍ୟରେ ଅର୍ଥ ବିଭାଗ କେନ୍ଦ୍ର ସରକାରଙ୍କର ଦୁଇଟି ଫର୍ମୁଲା ସଂପର୍କରେ ଗଭୀର ଅନୁଶୀଳନ କରିଛନ୍ତି। ପ୍ରଥମ ବିକଳ୍ପ ଅପେକ୍ଷା ଦ୍ବିତୀୟ ବିକଳ୍ପ ରାଜ୍ୟ ପାଇଁ ଘାତକ ଏବଂ ଏହାଦ୍ବାରା ରାଜ୍ୟ ଅର୍ଥନୀତି ବେଶି ପ୍ରଭାବିତ ହେବ ବୋଲି ଅର୍ଥ ବିଭାଗ ହିସାବ ବାହାର କରିଛି। କେବଳ ସେତିକି ନୁହେଁ, ରାଜ୍ୟ ଉପରେ ଗଭୀର ଚାପ ବି ରହିବ। ଯାହାର ପ୍ରଭାବ ପ୍ରଥମ ବିକଳ୍ପ କ୍ଷେତ୍ରରେ କମ୍ ରହିପାରେ। ଏଣୁ ରାଜ୍ୟ ସରକାର ଜିଏସ୍‌ଟି କ୍ଷେତ୍ରରେ ପ୍ରଥମ ବିକଳ୍ପ ସଂପର୍କରେ ଅଧିକ ବିଚାର କରୁଥିବା କୁହାଯାଉଛି, ଯାହା ଉପରେ ମୁଖ୍ୟମନ୍ତ୍ରୀ ମୋହର ଲଗାଇପାରନ୍ତି।

ସମ୍ବନ୍ଧିତ ଖବର