ଜିଏସ୍‌ଟି ବଖାଣୁଛି ଅର୍ଥନୀତିର ବିକଳ ଚିତ୍ର

କେବଳ ଖଣି ଉପରେ ନିର୍ଭରଶୀଳ ରହିବ କି ଓଡ଼ିଶାର ଅର୍ଥନୀତି?

ଭୁବନେଶ୍ବର,(ଭବାନୀ ଶଙ୍କର ତ୍ରିପାଠୀ): ୨୦୨୧ ଅକ୍ଟୋବର ତୁଳନାରେ ୨୦୨୨ ଅକ୍ଟୋବରରେ ଓଡ଼ିଶାରେ ଅଧିକ ୫% ଜିଏସ୍‌ଟି ଆଦାୟ ହୋଇଛି। ୨୦୨୨ ସେପ୍ଟେମ୍ବର ତୁଳନାରେ ଅକ୍ଟୋବର ମାସରେ ଜିଏସ୍‌ଟି ଆଦାୟ ଆଦୌ ଆଖିଦୃଶିଆ ନୁହେଁ; ମାତ୍ର ୪କୋଟି ଟଙ୍କା ଅଧିକ। ଦେଶର ଅଧିକାଂଶ ପ୍ରମୁଖ ରାଜ୍ୟରେ ଅକ୍ଟୋବର ମାସରେ ଯଥେଷ୍ଟ ଅଧିକ ପ୍ରତିଶତ ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ଓଡ଼ିଶାରେ ଏତେ କମ୍ କାହିଁକି?

ସର୍ବୋପରି ଏଥର ପାର୍ବଣ ଋତୁରେ ପାଖାପାଖି ୪୦୦୦ କୋଟି ଟଙ୍କାର ବେପାର ହୋଇଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସୂଚନା ଦେଇଥିଲା। ସ୍ବାଭାବିକ ଭାବେ ସମସ୍ତେ ଆଶା କରିଥିବେ ଯେ ଟିକସ ଉପରେ ଏହାର ଯଥେଷ୍ଟ ଅନୁକୂଳ ପ୍ରଭାବ ରହିଥିବ। ମାତ୍ର ସେମିତି କିଛି ଉପଲବ୍ଧି ହେଲାନାହିଁ।
ବ୍ୟବସାୟୀ ମହାସଂଘ କ’ଣ ଭୁଲ୍ ତଥ୍ୟ ଦେଲା କି? ଓଡ଼ିଶାର ଅଧିକାଂଶ ବ୍ୟବସାୟୀ ଜିଏସ୍‌ଟି ଫାଙ୍କୁଛନ୍ତି କି? ଏସବୁ ପ୍ରଶ୍ନ ଏବେ ବିଭିନ୍ନ ମହଲକୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଉଛି।

ହେଲେ ଅର୍ଥନୀତି ବିଶେଷଜ୍ଞ ଉଭୟ ପ୍ରଶ୍ନକୁ ନେଇ ବିତର୍କ ଭିତରେ ନାହାନ୍ତି। ସେମାନଙ୍କ ଯୁକ୍ତି ହେଉଛି, ପୂଜା ଅକ୍ଟୋବର ମାସରେ ପଡ଼ିଥିବାରୁ ସମ୍ଭବତଃ ନଭେମ୍ବର ମାସରେ ଜିଏସ୍‌ଟି ଆଦାୟ ବେଳେ ଏ ସଂପର୍କରେ ଗୋଟିଏ ସ୍ପଷ୍ଟ ଚିତ୍ର ଆସିପାରିବ। ଦ୍ବିତୀୟତଃ ଓଡ଼ିଶାରେ ଅଧିକ ସୁନା କାରବାର ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏ କ୍ଷେତ୍ରରେ ଜିଏସ୍‌ଟି ପରିମାଣ ନଗଣ୍ୟ। ଏଣୁ ଟିକସ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ ନାହିଁ।

ହେଲେ ଯେଉଁ କଥାଟି ବେଶି ଚିନ୍ତାଜନକ, ତାହା ହେଲା- ଜିଏସ୍‌ଟି ଆଦାୟ ସହିତ ଓଡ଼ିଶା ଅର୍ଥନୀତିର ଗୋଟିଏ ବିକଳ ଦିଗ ସାମ୍ନାକୁ ଆସିଯାଉଛି। ରାଜ୍ୟ ସରକାର ଓଡ଼ିଶାକୁ ବିକଶିତ ବା ବିକାଶଶୀଳ ରାଜ୍ୟ ବୋଲି ଦେଖାଇବାକୁ ଯାଇ ଯେତେ ଗୋଲାପି ଚିତ୍ର ଆଙ୍କିଲେ ବି ଗୋଟିଏ କଥା ପରୋକ୍ଷରେ ଧରାପଡ଼ିଯାଉଛି ଯେ ଉପଭୋକ୍ତାଙ୍କ ହାତକୁ ବେଶି ପଇସା ଯାଇପାରୁନାହିଁ। ଲୋକଙ୍କ ଆର୍ଥିକ ସ୍ଥିତି ସୁଧାର ଆସୁଛି ସତ, ମାତ୍ର ଉନ୍ନତ ସ୍ଥିତିରେ ସେମାନେ ନାହାନ୍ତି। ଖାଉଟି ସୂଚକାଙ୍କ ସେତେ ସବଳ ନୁହେଁ; ଯେତିକି ପ୍ରଚାର କରାଯାଏ।

ପର୍ଯ୍ୟଟନରୁ ଲାଭ ଉଠାଇବାରେ ଅକ୍ଷମ, ଉପଭୋକ୍ତାଙ୍କ ହାତରେ ପଇସା ନାହିଁ
ମାଗଣା ଓ କଲ୍ୟାଣକାରୀ ଯୋଜନା ରାଜ୍ୟ ବିକାଶରେ କଣ୍ଟା ସାଜିଛି
ଅନ୍ୟ ରାଜ୍ୟରେ ଜିଏସ୍‌ଟି ଆଦାୟ ବଢ଼ିଲା, ଓଡ଼ିଶା ପଛରେ କାହିଁକି

www.business-standard.com

ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଡ଼ିଶାରେ ୨୦୨୧-୨୨ରେ ପୂର୍ବବର୍ଷ ତୁଳନାରେ ଯଦିଓ ୧୫ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି, ତା ଅର୍ଥ ନୁହେଁ ଯେ ରାଜ୍ୟର ଅର୍ଥନୀତିରେ ଉନ୍ନତି ଘଟିଛି କିମ୍ବା ଜିଏସ୍‌ଟି ଅଧିକାରୀମାନେ ଟିକସ ଆଦାୟ କ୍ଷେତ୍ରରେ କଠୋର ଅନୁଶାସନ ପ୍ରୟୋଗ କରିଛନ୍ତି। ପୂରା ଚିତ୍ରକୁ ଦେଖିଲେ, ଗୋଟିଏ କଥା ଜଳ ଜଳ ହୋଇ ଦିଶୁଛି ଯେ ଆଦାୟ ହେଉଥିବା ଜିଏସ୍‌ଟିର ସିଂହଭାଗ ଖଣିଜ ପଦାର୍ଥ ଜନିତ। ୨୦୨୦-୨୧ରେ ଓଡ଼ିଶା ଖଣିଜ ପଦାର୍ଥରୁ ୧୩ ହଜାର ୭୯୧ କୋଟି ୭୨ଲକ୍ଷ ଟଙ୍କା ରାଜସ୍ବ ପାଇଥିବା ବେଳେ ୨୦୨୧-୨୨ରେ ଏହା ବୃଦ୍ଧି ପାଇ ୪୮ ହଜାର ୪୫୯ କୋଟି ୯୮ଲକ୍ଷ ଟଙ୍କାରେ ପହଞ୍ଚିଛି। ଅତଏବ ଏ କ୍ଷେତ୍ରରେ ୨୫୨ ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଜିଏସ୍‌ଟି ଅଧିକ ଆଦାୟ ହୋଇଛି। କିନ୍ତୁ ଏବର୍ଷ ଖଣିଜ ଉତ୍ତୋଳନ ପ୍ରଭାବିତ ହୋଇଥିବା କାରଣରୁ ଏହି ହାର ଆଉ ସେଭଳି ବୃଦ୍ଧି ଘଟିନପାରେ। ଏଭଳି ପରିସ୍ଥିତିରେ ଜିଏସ୍‌ଟି ଅଭିବୃଦ୍ଧି ହାରକୁ ଅପରିବର୍ତ୍ତିତ ରଖିବା ଲାଗି ଆଉ କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ଓଡ଼ିଶା ଭଲ ପ୍ରଦର୍ଶନ କରି ଟିକସ ଭରଣା କରିପାରିବ।

ଅର୍ଥନୀତି ବିଶେଷଜ୍ଞ ଯେଉଁ ସଙ୍ଗିନ୍ ଦିଗକୁ ଆଙ୍ଗୁଠି ଉଠାଉଛନ୍ତି, ତାହା ହେଲା-ରାଜ୍ୟ ବଜେଟ୍‌ର ସିଂହଭାଗ ଅର୍ଥ ମାଗଣା ବା କଲ୍ୟାଣକାରୀ ଯୋଜନା ଅଥବା ଲୋକପ୍ରିୟତା ହାସଲ ପାଇଁ କାର୍ଯ୍ୟକ୍ରମ ଭିତରେ ସୀମିତ। ଏଥିରେ ଟଙ୍କିକିଆ ଚାଉଳକୁ ନିଆଯାଇପାରେ। ହରିଶ୍ଚନ୍ଦ୍ର ଠାରୁ ଆରମ୍ଭ କରି କାଳିଆ ଯୋଜନା ଅଥବା ଲାପଟପ୍‌, ସାଇକେଲ୍ ଆଦି ଯୋଜନା ବି। ଏହାଦ୍ବାରା ଗରିବ ଲୋକ ଉପକୃତ ହେଉଛନ୍ତି ସତ, ଅନ୍ୟ ଯେଉଁମାନେ ହିତାଧିକାରୀ ସାଜି ସରକାରଙ୍କ ଏହି କାର୍ଯ୍ୟକ୍ରମ ଉପରେ ପୂର୍ଣ୍ଣ ନିର୍ଭରଶୀଳ ଅଛନ୍ତି ସେମାନେ ଅର୍ଥନୀତିର ମୁଖ୍ୟ ସ୍ରୋତରୁ ବାହାରିଯାଉଛନ୍ତି ବା ଦୂରେଇ ରହୁଛନ୍ତି। ଗୋଟିଏ ରାଜ୍ୟରେ ଯେତିକି ନିର୍ମାଣ ହେବା କଥା, ତାହା ଓଡ଼ିଶାରେ ପରିଲକ୍ଷିତ ହେଉନାହିଁ। ସରକାରଙ୍କ ଆବାସ ଯୋଜନା, ପୋଲ, ରାସ୍ତା ନିର୍ମାଣ ଆଦି ଉପରେ ଏହି କ୍ଷେତ୍ରଟି ନିର୍ଭରଶୀଳ। ବଜାର ସହିତ ପ୍ରତିଯୋଗିତା କରି କାର୍, ବାଇକ୍, ସ୍କୁଟର, ଟିଭି, ଵାସିଂ ମେସିନ୍, ଫ୍ରିଜ୍, ଇଲେକ୍ଟ୍ରିକାଲ୍ ସାମଗ୍ରୀ, ଖେଳଣା ଆଦି କିଣାଯିବା ଏଠି ସାତ ସପନ। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି, ଭୁବନେଶ୍ବରରେ ବର୍ତ୍ତମାନ ଏକାଧିକ ଜାତୀୟସ୍ତରର ତାରକା ହୋଟେଲ ନିର୍ମାଣ ପ୍ରମାଣ ଓଡିଶାରେ ପର୍ଯ୍ୟଟନର ଯଥେଷ୍ଟ ସୁଯୋଗ ରହିଛି, ଅଥଚ ଏହାର ଉପଯୋଗ କରାଯାଉନାହିଁ। ରାଜ୍ୟ ସରକାର ଭିତ୍ତିଭୂମି ଉପରେ ଗୁରୁତ୍ବ ଦେଉନାହାନ୍ତି।

କେବଳ ସେତିକି ନୁହେଁ, ଓଡ଼ିଶା ସହିତ ଐତିହାସିକ ସଂପର୍କ ଥିବା ଏସୀୟ ଦେଶ ଗୁଡିକରୁ ପର୍ଯ୍ୟଟକମାନଙ୍କୁ ଟାଣିବାରେ ବିଫଳ ସରକାର ପାଶ୍ଚାତ୍ୟ ଦେଶ ଗୁଡିକରେ ରୋଡ୍‌- ସୋ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କୁହାଯିବନାହିଁ ତ ଆଉ କ’ଣ? ଏଣୁ ଏ ଦିଗରୁ ବି ବିଶେଷ ରାଜସ୍ବ ଆସିବା ସମ୍ଭାବନା କ୍ଷୀଣ। ଗୋଟିଏ ପଟେ ନିଜସ୍ବ ଉତ୍ପାଦିତ ସାମଗ୍ରୀ ସୀମିତ, ରପ୍ତାନୀ ବି ନଗଣ୍ୟ। ଅନ୍ୟପଟେ ବଜାରରେ ଅଧିକ ହଲଚଲ କରିବା ଭଳି ସ୍ଥିତି ଉପଭୋକ୍ତାଙ୍କର ନ ଥିବା କାରଣରୁ ଓଡ଼ିଶାର ବିକାଶ ଗତିରୋଧ ହେବ ହିଁ ହେବ। ଥରେ ରାଜ୍ୟର ଆର୍ଥିକ ଉନ୍ନତି ଘଟିଲେ, ଉପଭୁକ୍ତି ବଢ଼ିଲେ ଯାଇ ଜିଏସ୍‌ଟି ଆଦାୟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ଓ ଅର୍ଥନୀତିକୁ ମାପିବା ପାଇଁ ଏହା ଏକ ମାନକ ଭାବେ ବ୍ୟବହାର କରାଯାଇପାରିବ। କେବଳ ଖଣି ଉପରେ ଭରସା କରି ରାଜ୍ୟ କେତେ ଦିନ ଚାଲିବ? ଦିନେ ତ ମାଟିତଳେ ରହିଥିବା ଏହି ସଂପଦ ସରିବ ବା ବଜାରରେ ଏହାର ମୂଲ୍ୟ କମିପାରେ। ସେବେ ଓଡ଼ିଶା ଗଭୀର ଭାବେ ପ୍ରଭାବିତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଏହି ମହଲ ସତର୍କ କରାଇ ଦେଇଛନ୍ତି।

ସ୍ମରଣଥାଉକି, କରୋନା କାରଣରୁ ଦେଶର ଅର୍ଥନୀତି ତଳମୁହାଁ ହୋଇ ରହିଥିଲା। ଏହି କାରଣରୁ ଜିଏସ୍‌ଟି ଆଦାୟ ବି ପ୍ରଭାବିତ ହୋଇଥିଲା। ଚଳିତବର୍ଷ ଏଥିରେ ଟିକେ ସୁଧାର ଆସିଛି। କେବଳ ସେତିକି ନୁହେଁ, ମୁଦ୍ରାସ୍ଫୀତି କାରଣରୁ ଅଧିକ ମୂଲ୍ୟରେ କିଛି ସାମଗ୍ରୀ ବିକ୍ରି ହେଉଛି ଓ ସେ କାରଣରୁ ଟିକସ ବୃଦ୍ଧି ହେଉଛି। ଏମିତିରେ ବି ଅକ୍ଟୋବରରେ ତ୍ରୈମାସିକ ରିଟର୍ଣ୍ଣ ଦାଖଲ ହୋଇଥିବା କାରଣରୁ କିଛି ଟିକସ ବଢ଼ିଥାଇପାରେ।

ହେଲେ ଏକଥା ସ୍ବୀକାର କରିବାକୁ ହେବ ଯେ ଦେଶରେ ଦ୍ବିତୀୟ ଥର ପାଇଁ ରେକର୍ଡ ଜିଏସ୍‌ଟି ଆଦାୟ ହୋଇଥିବା ବେଳେ କିଛି ରାଜ୍ୟର ପ୍ରଦର୍ଶନ ଚମକାଇଭଳି ରହିଛି। ହରିୟାଣା ଭଳି ରାଜ୍ୟରେ ୩୭% ଅଧିକ ଜିଏସ୍‌ଟି ଆଦାୟ ହୋଇଛି। କର୍ଣ୍ଣାଟକ କ୍ଷେତ୍ରରେ ଏହା ୩୩ ପ୍ରତିଶତ, କେରଳରେ ୨୯ ପ୍ରତିଶତ, ପଶ୍ଚିମବଙ୍ଗରେ ୨୬ ପ୍ରତିଶତ, ତାମିଲନାଡ଼ୁରେ ୨୫ ପ୍ରତିଶତ, ଗୁଜରାଟରେ ୧୧ ପ୍ରତିଶତ ଜିଏସ୍‌ଟି ବୃଦ୍ଧି ପାଇଛି। ସେ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ।

୨୦୨୧ ଅକ୍ଟୋବରରେ ୩୫୯୩ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ୨୦୨୨ ଅକ୍ଟୋବରରେ ଏହା ୩୭୬୯ କୋଟି ଆଦାୟ ହୋଇଛି। ୨୦୨୨ ସେପ୍ଟେମ୍ବରରେ ୩୭୬୫ କୋଟି ଟଙ୍କାର ରାଜସ୍ବ ଆଦାୟ କରାଯାଇଥିଲା। ଅର୍ଥାତ୍ ଗତମାସ ତୁଳନାରେ ମାତ୍ର ୪କୋଟି (୦.୧୦%) ଅଧିକ।

ସମ୍ବନ୍ଧିତ ଖବର