ଗରିବ ଲୋକଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ

ଶୁଣାଣି କରି ନିଷ୍ପତ୍ତି ନେବାକୁ ଜିଏସଟି କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଉରକେଲାର ଜଣେ ଅଟୋ ଡ୍ରାଇଭରଙ୍କୁ ଜିଏସଟି କମିସନରଙ୍କ କାର୍ଯ୍ୟାଳୟରୁ ଜାରି ନୋଟିସରେ କର/ଜରିମାନା ବାବଦରେ ୪ କୋଟି ୩୧ ଲକ୍ଷ ୩୯ ହଜାର ୬୭୨ ଟଙ୍କା  ପଇଠ ପାଇଁ କୁହାଯିବା ଘଟଣା ଗତ ବର୍ଷ ଆଲୋଚନାର ବିଷୟ ହୋଇଥିଲା। ଆବେଦନକାରୀ ପକ୍ଷ ରଖିବା ପରେ ଏହି କାରଣ ଦର୍ଶାଆ ନୋଟିସ୍ ଉପରେ ଜିଏସଟି କର୍ତ୍ତୃପକ୍ଷ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ ‌େବାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଆବେଦନକାରୀ ରାଜେନ୍ଦ୍ର ପଲାଇ ଜିଏସଟି କମିସନରଙ୍କ କାର୍ଯ୍ୟାଳୟରୁ ଜାରି ନୋଟିସ ଉପରେ ଜୁଲାଇ ୧୯ ତାରିଖ ପୂର୍ବରୁ ଜବାବ ରଖିବେ। ଏହା ପୂର୍ବରୁ ଜୁଲାଇ ୧ ତାରିଖ ଦିନ କଟକ ସିଟି ଜିଏସଟି (ଲ) କମିସନରେଟର ଡେପୁଟି କମିସନରଙ୍କ କାର୍ଯ୍ୟାଳୟରେ ଆବେଦନକାରୀଙ୍କୁ ଏ ସଂପର୍କିତ ନଥିପତ୍ର ଅନୁଧ୍ୟାନ କରିବାକୁ ଅନୁମତି ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ଭିତରେ ଏହି ପ୍ରସଂଗରେ ଶୁଣାଣି ପାଇଁ ଜିଏସଟି କର୍ତ୍ତୃପକ୍ଷ ଏକ ତାରିଖ ଧାର୍ଯ୍ୟ କରିବେ ଓ ଶୁଣାଣି ତାରିଖ ନେଇ ଅତି କମରେ ଏକ ସପ୍ତାହ ପୂର୍ବରୁ ଆବେଦନକାରୀଙ୍କୁ ଅବଗତ କରାଯିବ। ଏହାପରେ ଏହି ପ୍ରସଂଗରେ ଶୁଣାଣି କରି ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଜିଏସଟି କର୍ତ୍ତୃପକ୍ଷ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ।
ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଆବେଦନକାରୀଙ୍କୁ ଏ ନେଇ ଅବଗତ କରାଯିବ। ଯଦି ଜିଏସଟି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ନେଇ ଆବେଦନକାରୀ ଅସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେଇ ପାରବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଗରିବ ଲୋକଙ୍କ ନାଁରେ ବ୍ୟାପକ ଜିଏସଟି ଜାଲିଆତି ପ୍ରସଂଗକୁ ନେଇ  ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ପେସାରେ ଅଟୋ ଡ୍ରାଇଭର ଥିବା ଆବେଦନକାରୀ ନିକଟରେ ଜିଏସଟି କମିସନରଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ୍ ପାଇଥିଲେ। ତାଙ୍କୁ କର/ଜରିମାନା ବାବଦରେ ୪ କୋଟି ୩୧ ଲକ୍ଷ ୩୯ ହଜାର ୬୭୨ ଟଙ୍କା  ପଇଠ ପାଇଁ ଏହି ନୋଟିସ୍ ଜାରି କରାଯାଇଥିଲା। କଟକ ବକ୍ସିବଜାରର ଏକ କମ୍ପାନିର ଜିଏସଟି ପ୍ରସଂଗରେ ଏହି ନୋଟିସ୍ ଜାରି କରାଯାଇଥିଲା।
ରାଉରକେଲା ଉଦିତନଗର ବସ୍ତିର ପାଇପ ମେକାନିକ୍ ସମୀର ଜୋଜୋଙ୍କ ମଧ୍ୟ ସମାନ ଅବସ୍ଥା। ତାଙ୍କ ନାଁରେ ଥିବା ଏକ ସଂସ୍ଥା ପାଇଁ ଜିଏସଟି କମିସନରଙ୍କ କାର୍ଯ୍ୟାଳୟରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ବଲାଙ୍ଗୀରରେ ମଧ୍ୟ ସମାନ ଧରଣର ଜିଏସଟି ଠକେଇ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଯେଉଁ କମ୍ପାନି ବିଷୟରେ ଏମାନେ ଜାଣି ନାହାନ୍ତି କି ଶୁଣି ନାହାନ୍ତି ତା ନାଁରେ ନୋଟିସ୍ ମିଳିବା ପରେ ଏହି ବ୍ୟକ୍ତିମାନେ ଆଶ୍ଚିର୍ଯ୍ୟ ଚକିତ ହୋଇଥିଲେ। ବିକ୍ରି ଏବଂ ଦ୍ରବ୍ୟ ଓ ସେବା କର ବିଭାଗ ଏପରି ଘଟଣାର ଉପଯୁକ୍ତ ତଦନ୍ତ ନ କରି ନିରୀହ ଲୋକଙ୍କୁ ନୋଟିସ୍ କରି ହଇରାଣ କରୁଛି ବୋଲି ଆବେଦନକାରୀ ଦର୍ଶାଇବା ସହିତ ସମଗ୍ର ଅଭିଯୋଗର ସିବିଆଇ ତଦନ୍ତ କରାଗଲେ ସତ୍ୟ ପଦାକୁ ଆସିବ ବୋଲି ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
ସମ୍ବନ୍ଧିତ ଖବର