ନକଲି ଖାଦ୍ୟରେ ଜିଏସ୍‌ଟି ଜାଲିଆତି, ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ତଦନ୍ତ ଆରମ୍ଭ

କଲିକତାରେ ଠାବ ହେଲା ନକଲି ପନିର‌୍‌ ଫ୍ୟାକ୍ଟ୍ରି

କଟକ : କଟକ ସହରରେ ଯେତିକ ନକଲି ଖାଦ୍ୟସାମଗ୍ରୀ କାରବାର ଧରାପଡ଼ିଛି, କୌଣସି ଗୋଟିଏ ବି ମାମାଲାରେ ସାମଗ୍ରୀ କିଣାବିକାର ରସିଦ୍‌ ବହି ନାହିଁ। ମାଲଗୋଦାମ, ଜଗତପୁର ଓ ସଦରରେ ଫ୍ୟାକ୍ଟ୍ରି ମାଲିକ ଅଧିକା˚ଶ ମସଲା, ତେଲ ସିଧାସଳଖ ହୋଟେଲ୍‌କୁ ଯୋଗାଇଛନ୍ତି। ଖୁଚୁରା ବ୍ୟବସାୟୀ ବି ଗ୍ରାହକ ତାଲିକାରେ ଅଛନ୍ତି। ଜିଏସଟି ଫାଙ୍କିବା ପାଇଁ ଏହି କାରବାରରେ ଖଣ୍ତେ ବି ରସିଦ୍‌ ବ୍ୟବହାର ହୋଇନଥିବା କୁହାଯାଉଛି। କଟକ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ସହାୟତା ନେଇଛି କମିସନରେଟ୍‌ ପୁଲିସ। କଟକ ଜିଏସଟି ଏନଫୋର୍ସମେଣ୍ଟ ଜଏଣ୍ଟ କମିସନର ଦୀପକ ରଞ୍ଜନ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏବେ ସମସ୍ତ ନକଲି ଫ୍ୟାକ୍ଟ୍ରି ମାଲିକଙ୍କୁ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Odisha

କଟକ ସହରରେ ନକଲି ଖାଦ୍ୟ ସାମଗ୍ରୀର କେଳେଙ୍କାରୀ ୨୦୦୮ ମସିହାରୁ ସାମନାକୁ ଆସିଛି। ଜଗତପୁର ଓ ମାଲଗୋଦାମରେ ସଜନା ପତ୍ର, ସେଣ୍ଟ ଓ ରଙ୍ଗ ଦେଇ ଜର୍ଦ୍ଦା ମସଲା ପ୍ରସ୍ତୁତ ହେଉଥିଲା। ୨୦୦୯ ଓ ୨୦୧୨ରେ ଗୋଟିଏ ଲେଖାଏ ମାମଲା ହୋଇଥିଲା। ୨୦୧୭ରେ ୪ଟି, ୨୦୧୮ରେ ୬ଟି, ୨୦୧୯ରେ ଗୋଟିଏ ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୨୦ରେ ପୂର୍ବ ରେକର୍ଡ ଦୋହଲାଇ ଦେଇଥିଲା। ସେହି ଗୋଟିଏ ବର୍ଷରେ ୨୩ଟି ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ସଦର ଥାନା ପୁଲିସ ଏକ ନକଲି ଚା ଫ୍ୟାକ୍ଟ୍ରି ଜବତ କରିଛି। ୨୦୨୦-୨୧ ବର୍ଷରେ ୨୪ଟି ଫ୍ୟାକ୍ଟ୍ରିରୁ ୪ଟି ଫ୍ୟାକ୍ଟ୍ରିର ମାଲିକ ଜାମିନରେ ଆସିଥିବା ସୂଚନା ମିଳିଛି। ପୁଲିସ ସବୁତକ ଫ୍ୟାକ୍ଟ୍ରିରେ ଚଢ଼ଉ କରୁଥିବା ବେଳେ ଖୁଚୁରା ଦୋକାନର କର୍ମଚାରୀଙ୍କ ନିକଟରେ ନପହଞ୍ଚିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ପୁଲିସ ଫ୍ୟାକ୍ଟ୍ରିରୁ ଖୁଚୁରା ଦୋକାନୀଙ୍କ ସମ୍ପର୍କିତ କୌଣସି କାଗଜପତ୍ର ପ୍ରମାଣ ପାଉନଥିବା ବେଳେ ବିନା ପ୍ରମାଣରେ ପୁଲିସ ଜଗତପୁର ଓ ମାଲଗୋଦାମରେ ନଭେମ୍ବର-ଡିସେମ୍ବରରେ ୮ଟି ଖୁଚୁରା ଦୋକାନୀଙ୍କ ଉପରେ ଚଢ଼ଉ କରିଥିଲା। କିନ୍ତୁ ସେତେବେଳକୁ ସେମାନେ ନକଲି ସାମଗ୍ରୀ ବାହାରେ ଫିଙ୍ଗି ଦେଇଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ପାଇନଥିଲା। ତେଣୁ କଟକରେ ନକଲି ଖାଦ୍ୟ ସାମଗ୍ରୀ କେଳେଙ୍କାରୀ ମାମଲାରେ କଟକର ଆଠଗଡ଼, ହରିପୁର, ଚୌଧୁରୀ ବଜାର, ବାଲୁବଜାର, ସାଲେପୁର, ପୀର ବଜାର, ଜଗତପୁର ସମେତ ପଡେ଼ାଶୀ ଜିଲ୍ଲା ଯାଜପୁର, ଭୁବନେଶ୍ବର, ଖୋର୍ଧା, ପୁରୀ, ଜଗତସି˚ହପୁର, କେନ୍ଦ୍ରାପଡ଼ା, ପୁରୀ ଇତ୍ୟାଦି ଅଞ୍ଚଳରେ ଥିବା ଖୁଚୁରା ବ୍ୟବସାୟୀ ସହଜରେ ଖସିଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Dailyhunt

୨୦୨୦ ସେପ୍ଟେମ୍ବର ୧୨ ତାରିଖ ରାଣୀହାଟ କେନାଲ ରୋଡ ଅଞ୍ଚଳରୁ ଜବତ ହୋଇଥିବା ନକଲି ଗଙ୍ଗାଜଳ, ମହୁ ଓ ଗୋଲାପ ଜଳ ଚୌଧୁରୀ ବଜାର ଓ ବାଲୁ ବଜାର ଅଞ୍ଚଳରେ ଥିବା ପୂଜା ସାମଗ୍ରୀ ଦୋକାନକୁ ଚାଲଣ ହେଉଥିବା ଜଣାପଡ଼ିଥିଲା। କିନ୍ତୁ ପୁଲିସ ଚଢ଼ଉ ପରେ ସେଠାରେ କୌଣସି ନକଲି ସାମଗ୍ରୀ ପାଇନଥିଲା। ସେହିପରି ସେପ୍ଟେମ୍ବର ୨୬ ତାରିଖରେ ଜଗତପୁର ଆଇବି ରୋଡରେ ଯେଉଁ ନକଲି ସସ୍‌ ଜବତ ହୋଇଥିଲା, ଏହି ସସ୍‌ ମଞ୍ଚେଶ୍ବର ଅଞ୍ଚଳରୁ ଚାଲାଣ ହେଉଥିଲା। କିନ୍ତୁ ପୁଲିସ ମଞ୍ଚେଶ୍ବରରେ ଚଢ଼ଉ କରିଥିଲେ ସୁଦ୍ଧା ସେଭଳି କୌଣସି ପ୍ରମାଣ ପାଇନଥିଲା।

ଅନ୍ୟପଟେ ୨୦୨୦ ଡିସେମ୍ବର ୩୦ ତାରିଖରେ ଚାଉଳିଆଗଞ୍ଜ ଥାନା ପୁଲିସ ଜବତ କରିଥିବା ନକଲି ପନିର ମାମଲାରେ ପୁଲିସ ଟିମ୍‌ ଏବେ କଲିକତାରୁ ଫେରିଛି। ଯେଉଁ ଅଞ୍ଚଳରେ ନକଲି ପନିର ପ୍ରସ୍ତୁତ ହେଉଛି, ପୁଲିସ ସେହି ଅଞ୍ଚଳ ରେକି କରିବା ସହିତ କାରବାରରେ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କୁ ଚିହ୍ନଟ କରିଛି। ନିର୍ଦ୍ଦିଷ୍ଟ ଏକ ଅଞ୍ଚଳରେ ଘରେ ଘରେ ନକଲି ପନିର ପ୍ରସ୍ତୁତ ହେଉଥିବା ପୁଲିସ ଟିମ୍‌ ଦେଖିବାକୁ ପାଇଛି। କିନ୍ତୁ କଟକର ପନିର ଏଜେଣ୍ଟ ସୁକଦେବ ସାହୁକୁ କଲିକତାରୁ ପନିର ଯୋଗାଉଥିବା ମାଷ୍ଟରମାଇଣ୍ତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇପାରିନଥିବାରୁ ପୁଲିସ ପନିର ଫ୍ୟାକ୍ଟ୍ରିରେ ଚଢ଼ଉ କରିପାରି ନାହିଁ। ମାଷ୍ଟରମାଇଣ୍ତ ଖସିଯିବାର ଆଶଙ୍କା ରହିଥିବା କୁହାଯାଉଛି। କଟକ ବଣିକ ସ˚ଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ କହିଛନ୍ତି ଯେ ମାଲଗୋଦାମର ୭ ଜଣ ନକଲି ମସଲା ଫ୍ୟାକ୍ଟ୍ରି ମାଲିକଙ୍କ ସଦସ୍ୟତା କାଟି ଦିଆଯାଇଛି। ନିକଟରେ ଜାମିନରେ ଆସିଥିବା ଜଣେ ମସଲା ମାଲିକକୁ ମାଲଗୋଦାମରେ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇନାହିଁ। ଘର ମାଲିକଙ୍କୁ ବି ଭଡ଼ା ନଦେବାକୁ କୁହାଯାଇଥିବା ଶ୍ରୀ ଛାଟୋଇ କହିଛନ୍ତି।

ସମ୍ବନ୍ଧିତ ଖବର