ରାଉରକେଲା: ସ୍ମାର୍ଟସିଟି ରାଉରକେଲା ପାଲଟିଛି ଜିଏସଟି ଠକଙ୍କ ପେଣ୍ଠସ୍ଥଳ। ରାତିରାତି କୋଟିପତି ହେବାର ନିଶା ଏମାନଙ୍କୁ ଘାରିଛି। ବିଗତ ଦିନରେ ଅନେକ ବ୍ୟବସାୟୀ ବନ୍ଧା ହୋଇ ଜେଲ୍‌ ଯାଇଛନ୍ତି। ଏବେ କିଛି ବ୍ୟବସାୟୀ ଜେଲ ହାଜରେ ରହିଛନ୍ତି। ତଥାପି ସହରରେ ଜିଏସ୍‌ଟି ଠକେଇ କମୁନି। ସାରା ରାଜ୍ୟରେ ଯେତିକି ଜିଏସ୍‌ଟି ଠକେଇ ହେଉଛି, ତା’ର ୫୦% କେବଳ ରାଉରକେଲା ହେଉଥିବା ବିଗତ ଦିନରେ ବନ୍ଧାହୋଇଥିବା ଠକଙ୍କ କାରନାମାରୁ ସ୍ପଷ୍ଟ ହୋଇଛି। ନିରୀହ ଶ୍ରମିକ, ଦିନ ମଜୁରିଆ, ପରିବା ବିକାଳି ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କା ଜିଏସ୍‌ଟି ଠକୁଛନ୍ତି। ଏହି ତାଲିକାରେ ଏବେ ଯୋଡିଯାଇଛନ୍ତି ସହରର କିଛି କରିତକର୍ମା କପଡା ବେପାରୀ। ଯେଉଁମାନେ କୋଲକାତା ଓ ରାୟପୁର ଆଣୁଥିବା କପଡାରେ ଜିଏସ୍‌ଟି ଫାଙ୍କୁଛନ୍ତି।

Advertisment

ଗତ ୧୫ ଦିନ ତଳେ ଜିଏସ୍‌ଟି ଅଧିକାରୀ ରାଉରକେଲା ଷ୍ଟେସନର ପାର୍ସଲ ଗୋଦାମରେ ଚଢ଼ଉ କରି ଜିଏସ୍‌ଟି ଫାଙ୍କୁଥିବା କିଛି ବ୍ୟବସାୟୀଙ୍କୁ ଧରିଥିଲା। ଏମାନଙ୍କ ଠାରୁ ୧ ଲକ୍ଷ ୩୭ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ରେଳବାଇ ନିୟମ ଅନୁଯାୟୀ ୫୦ ହଜାରରୁ ଅଧିକ ଟଙ୍କାର କପଡା କିଣିଲେ ୱେ ବିଲ୍‌ ବାଧ୍ୟତାମୂଳକ। ମାତ୍ର ସହରର କିଛି କପଡା ବେପାରୀ ୫୦ରୁ ୬୦ ହଜାର ଟଙ୍କାର ରୁ ଅଧିକ କପଡା ଆଣୁଥିଲେ ହେଁ ୩୦ ହଜାର ଟଙ୍କାରୁ କମ୍‌ ବିଲ୍‌ କରୁଛନ୍ତି। ଏମିତି କିଛି ବେପାରୀ ବିନା ବିଲ୍‌ରେ କୋଲକାତାରୁ କପଡା କିଣି ରାଉରକେଲାକୁ ଆଣୁଛନ୍ତି। ଏମିତି ବେଆଇନ କାମ କରି ଲକ୍ଷ ଲକ୍ଷ ଟଙ୍କାର ଜିଏସ୍‌ଟି ଫାଙ୍କୁଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଜିଏସ୍‌ଟି ଅଧିକାରୀ ସହରର କିଛି ୧୪ରୁ ଅଧିକ ହୋଲ୍‌ସେଲ୍‌ କପଡା ବେପାରୀଙ୍କ କାଗଜପତ୍ର ମାଗିଛନ୍ତି। କେବଳ ଏତିକି ନୁହେଁ ଜିଏସ୍‌ଟି ଫାଙ୍କୁଥିବା କିଛି କପଡା ବେପାରୀ ଏବେ ଜିଏସ୍‌ଟି ଅଧିକାରୀଙ୍କ ସ୍କାନରେ ରହିଛନ୍ତି। ଯେଉଁମାନଙ୍କୁ ଜିଏସ୍‌ଟି ଅଧିକାରୀ ପଚରାଉଚୁରା କରିପାରନ୍ତି ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ପ୍ରଥମ ସପ୍ତାହରେ ୩୧୧ କୋଟି ୩ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ମାମଲାର ପର୍ଦ୍ଦାଫାସ ହୋଇଥିଲା। ରାଜ୍ୟ ଜିଏସଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ବନ୍ଧା ହୋଇଥିଲେ ରାଉରକେଲାର ଦୁଇ ଭାଇ- ଧନୱାନ ସା ଓ ରାମ ଭରୋସେ ସା ଏବଂ ଅନ୍ୟ ତିନି ଜଣ। ଜିଏସ୍‌ଟି ଟିମ୍‌ର ତଦନ୍ତ ବେଳେ ଗିରଫ ଦୁଇ ଭାଇଙ୍କ ସମ୍ପର୍କୀୟ ଅନ୍ୟ ଦୁଇ ଭାଇଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସୂଚନା ମିଳିଥିଲା। ଏହି ମହା ଠକେଇର ଗୋଲକଧନ୍ଦାରେ ଏହି ଚାରି ଭାଇ ସମ୍ପୃକ୍ତ ଥିବା ତଦନ୍ତରୁ ଜଣା ପଡ଼ିଛି। ଚାରି ଭାଇଙ୍କ ନାଁରେ ତିନିଟି ସଂସ୍ଥା ଥିବାବେଳେ କାଗଜପତ୍ରରେ ଅନ୍ୟ କିଛି ଜାଲ୍‌ ସଂସ୍ଥା କରି ସେମାନେ କୋଟି କୋଟି ଟଙ୍କା ଜିଏସ୍‌ଟି ଠକେଇ କରୁଥିଲେ। ମୋଟ୍‌ ୩୧୧ କୋଟି ଜିଏସ୍‌ଟି ଠକେଇରୁ କେବଳ ଏହି ଦୁଇ ଭାଇ ୨୧୨ କୋଟି ଟଙ୍କାର ଠକେଇ କରିଥିବା ଜଣାପଡିଥିଲା। ଲୁହା ଓ ଲୁହାପଥର କାରବାର କରିଥିବା କାଗଜପତ୍ରରେ ଦର୍ଶାଇ କୋଟି କୋଟି ଟଙ୍କା ସେମାନେ ଠକିଥିଲେ। ଜିଏସ୍‌ଟି ଟିମ୍‌ ସ୍କାନରରେ ଥିବା ଅନ୍ୟ ଦୁଇ ଭାଇକୁ ଅଧିକାରୀମାନେ ପଚରାଉଚୁରା କରିପାରନତି। ତଦନ୍ତକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ଏହି ଠକ ଗ୍ୟାଙ୍ଗରେ ମୋଟ୍‌ ୮ ଜଣ ସାମିଲ ଥିଲେ। ଗିରଫ ପାଞ୍ଚ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଦୁଇ ଭାଇଙ୍କୁ ଜିଏସ୍‌ଟି ଟିମ୍‌ ପଚରାଉଚୁରା କରୁଥିବା ବେ‌ଳେ ବାକି ଜଣକ ଫେରାର ଅଛନ୍ତି। ଠକେଇର ଠୋସ୍‌ ପ୍ରମାଣ ମିଳିବା ପରେ ଜିଏସ୍‌ଟି ଟିମ୍‌ ଦୁଇ ଭାଇଙ୍କୁ ଗିରଫ କରିବ ବୋଲି ଜଣାପଡିଛି।

ତେବେ ତଦନ୍ତରେ ବାଧା ଆସିବା ଦୃଷ୍ଟିରୁ ଜିଏସ୍‌ଟି ଅଧିକାରୀ ଏ ସଂକ୍ରାନ୍ତରେ ଅଧିକ କିଛି କହିବାକୁ ମନା କରିଛନ୍ତି। ଅନ୍ୟପଟେ ଠକେଇ କାରବାର ଚଳାଇଥିବା ୮ ବ୍ୟବସାୟୀଙ୍କ ଜାଲ ସଂସ୍ଥା ସହ ଆହୁରି ଅନ୍ୟ ୬ ବ୍ୟବସାୟୀ ପରୋକ୍ଷରେ ଜଡିତ ଥିବା ଜିଏସ୍‌ଟି ଟିମ୍‌ ଜାଣିବାକୁ ପାଇଛି। ଏହି ୬ ବ୍ୟବସାୟୀଙ୍କ ନାଁରେ ଗିରଫ ବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଛି। ଗିରଫ ଭୟରେ ଏମାନଙ୍କ ମଧ୍ୟରୁ କିଛି ବ୍ୟବସାୟୀ ବିଦେଶ ଚାଲି ଯାଇଥିବା କୁହାଯାଉଛି। ଭୂତ ସଂସ୍ଥାଗୁଡ଼ିକୁ ସ୍ଥାପନ କରିବାଲାଗି ଓ ଚଳାଇବାଲାଗି ସେମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଥିଲେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଏଲ୍ଆଇସି ଏଜେଣ୍ଟ, କ୍ରେନ୍‌ ଚାଳକ, ଦିନ ମଜୁରିଆ, କୃଷକ, ରାସ୍ତାକଡ ବିକ୍ରେତା, ଗାଡି ପଞ୍ଜିକରଣ ଏଜେଣ୍ଟ ଓ ସାଧାରଣ ଗୃହିଣୀ ଆଦି। ମାସିକ ୫,୦୦୦ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ନିୟମିତ ମାସିକ ଆୟ ଯୋଗାଇ ଦେବା ଲୋଭ ଦେଖାଇ ଅଭିଯୁକ୍ତମାନେ ସେମାନଙ୍କ ଠାରୁ ପାନ୍‌, ଆଧାର ଓ ବ୍ୟାଙ୍କ ପାସ୍‌ବୁକ୍‌ ଇତ୍ୟାଦି ହାସଲ କରିଥିଲେ। ଏସବୁ କାଗଜପତ୍ରକୁ ଜିଏସ୍‌ଟି ପଞ୍ଜିକରଣ ପାଇଁ ଅପବ୍ୟବହାର କରିଥିଲେ।