ବ୍ରହ୍ମପୁର: ଜିଏସ୍‌ଟି ଫାଙ୍କି ସୁନା ଗହଣା ବିକ୍ରି ଯୋଜନାକୁ ପଣ୍ଡ କରିଛି ବାଣିଜ୍ୟକର ଏବଂ ସେବାକର (ସିଟି ଆଣ୍ଡ୍‌ ଜିଏସ୍‌ଟି) ବିଭାଗ। ଏହି ବିଭାଗର ଟିମ୍‌ ମୁମ୍ବାଇର ଦୁଇଜଣ ବ୍ୟବସାୟୀଙ୍କୁ ଠାବ କରି ସେମାନଙ୍କ ଠାରୁ ପ୍ରାୟ ୩କେଜି ଓଜନର ସୁନା ଗହଣା ଜବତ କରିଥିଲା। ଉଭୟ ବ୍ୟବସାୟୀ ଟ୍ୟାକ୍ସ ପୈଠ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଜିଏସ୍‌ଟି ଫାଙ୍କି ଉଭୟ ବ୍ୟବସାୟୀ ସୁନା ଗହଣା ବିକ୍ରି କରିବାକୁ ଯୋଜନା କରୁଥିବା ତଦନ୍ତରେ ଜଣାପଡ଼ିବା ପରେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୨୫ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

Advertisment

ସୂଚନା ଅନୁସାରେ, ବଡ଼ବଜାର ଥାନା ଅନ୍ତର୍ଗତ ଜଉରା ସାହିରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ ଦୁଇଜଣ ବ୍ୟବସାୟୀ ବେଆଇନ ସୁନା ଗଚ୍ଛିତ ରଖିଥିବା ନେଇ ଖବର ମିଳିଥିଲା। ଏଣୁ ସିଟି ଆଣ୍ଡ୍‌ ଜିଏସ୍‌ଟି ବ୍ରହ୍ମପୁର ୟୁନିଟ୍‌ର ଡେପୁଟି କମିସନର୍‌ ଦେବକଲ୍ୟାଣ ବେହେରାଙ୍କ ନେତୃତ୍ବରେ ଏକ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଗତକାଲି ଅପରାହ୍‌ଣରେ ଉକ୍ତ ଆପାର୍ଟମେଣ୍ଟ୍‌ରେ ଚଢ଼ଉ କରିଥିଲା। ଏକ ଫ୍ଲାଟ୍‌ରୁ ଦୁଇଜଣ ବ୍ୟବସାୟୀଙ୍କୁ ଠାବ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୩କେଜି ସୁନା ଅଳଙ୍କାର ଜବତ ହୋଇଥିଲା। ବ୍ୟବସାୟୀମାନେ ଏହି ସୁନା ସଂପର୍କିତ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଟ୍ୟାକ୍ସ ଫାଙ୍କି ମୁମ୍ବାଇରୁ ଏହି ଗହଣା ଅଣାଯାଇଥିବା ଜଣାପଡ଼ିଥିଲା। ସୁନା ଗହଣା ଅନ୍ୟ କାହାକୁ ହସ୍ତାନ୍ତର ହେବାପୂର୍ବରୁ ସିଟି ଆଣ୍ଡ୍‌ ଜିଏସ୍‌ଟିର ଟିମ୍‌ ସେଠାରେ ଚଢ଼ଉ କରି ତାହା ଜବତ କରିଥିଲା। ହିସାବ ପରେ ୩କେଜି ସୁନା ପାଇଁ ଟ୍ୟାକ୍ସ ଓ ଜରିମାନା ବାବଦରେ ମୋଟ ୨୫ ଲକ୍ଷ ୨୬ହଜାର ୯୫୮ଟଙ୍କା ପୈଠ କରିବାକୁ ବ୍ୟବସାୟୀଙ୍କୁ କୁହାଯାଇଥିଲା। ଉଭୟ ବ୍ୟବସାୟୀ ଜରିମାନା ଟଙ୍କା ଜମା କରିବାପରେ ସେମାନଙ୍କୁ ଗହଣା ହସ୍ତାନ୍ତର କରାଯାଇଥିବା ଡେପୁଟି କମିସନର୍‌ ଶ୍ରୀ ବେହେରା ସୂଚନା ଦେଇଛନ୍ତି।