ନିରୀହ ଲୋକଙ୍କ ନାଁରେ ଜାଲ୍ ଆକାଉଣ୍ଟ ଖୋଲି ଜିଏସଟି ଠକେଇ ପ୍ରସଂଗ: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

କଟକ: ଗରିବ ଓ ନିରପରାଧ ଲୋକଙ୍କ ନାଁରେ କରାଯାଉଥିବା ଜିଏସଟି ଠକେଇ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ରାଉରକେଲାର ରାଜେନ୍ଦ୍ର ପଲ୍ଲାଇଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ବିଭିନ୍ନ ଗିରବ ଓ ନିରୀହ ଲୋକଙ୍କ ନାଁରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ କରାଯାଉଛି। ଆବେଦନକାରୀ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟକାରି ନିଜ ପରିବାର ଚଳାଉଥିବା ବେଳେ ତାଙ୍କୁ ସିଟି ଜିଏସଟି କମିସନରଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ୍ ମିଳିଥିଲା। ତାଙ୍କୁ କର/ସୁଧ/ଜରିମାନା ବାବଦରେ ୪ କୋଟି ୩୧ ଲକ୍ଷ ୩୯ ହଜାର ୬୭୨ ଟଙ୍କା  ପଇଠ ପାଇଁ ଏହି ନୋଟିସ୍ ଜାରି କରାଯାଇଥିଲା।

ସେ କଟକ ବକ୍ସିବଜାରର ଏକ କମ୍ପାନି ସହିତ ଜଡିତ ବୋଲି ନୋଟିସରେ ଉଲ୍ଲେଖ ଥିଲା। ଅଟୋ ଡ୍ରାଇଭର ଭାବେ ଜୀବନ ବିତାଉଥିବା ଆବେଦନକାରୀ କେତେ ବେଳେ କମ୍ପାନି ମାଲିକ ହେଲେ ନିଜେ ଜାଣି ନଥିଲେ। ତାଙ୍କ ନାଁରେ କେହି ଜାଲିଆତି କରି ଏପରି କରିଛି ବୋଲି ବୁଝିବାକୁ ଡେରି ନଥିଲା। କିନ୍ତୁ କେମିତି ଦ୍ରବ୍ୟ ଓ ସେବା କର ବିଭାଗ ପକ୍ଷରୁ ଏ ନେଇ ଉପଯୁକ୍ତ ତଦନ୍ତ କରା ନ ଯାଇ ତାଙ୍କୁ ନୋଟିସ୍ ଜାରି କରାଗଲା ତାକୁ ନେଇ ଆବେଦନକାରୀ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲେ। ରାଉରକେଲା ଉଦିତନଗର ବସ୍ତିର ପାଇପ ମେକାନିକ୍ ସମୀର ଜୋଜୋଙ୍କ ମଧ୍ୟ ସମାନ ଅବସ୍ଥା। ତାଙ୍କ ନାଁରେ ଥିବା ଏକ ସଂସ୍ଥା ପାଇଁ ଜିଏସଟି କମିସନରଙ୍କ କାର୍ଯ୍ୟାଳୟରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା।

Jagran

ସମୀର ନୋଟିସ୍ ପାଇ ଚକିତ ହୋଇଥିଲେ। ବଲାଙ୍ଗୀରରେ ମଧ୍ୟ ସମାନ ଧରଣର ଜିଏସଟି ଠକେଇ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ନିରୀହ ଲୋକଙ୍କ ଆଧାର କାର୍ଡ, ବିଦ୍ୟୁତ ବିଲ୍ ଓ ଅନ୍ୟାନ୍ୟ ପରିଚୟପତ୍ର ବ୍ୟବହାର କରି କେତେକ ବ୍ୟକ୍ତି ଜାଲ କମ୍ପାନି ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ କରୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ନିରପରାଧ ଗରିବ ଲୋକଙ୍କ ଅଜାଣତାରେ ଏପରି କାର୍ଯ୍ୟ କରାଯାଉଛି। ବିକ୍ରି ଏବଂ ଦ୍ରବ୍ୟ ଓ ସେବା କର ବିଭାଗ ଏପରି ଘଟଣାର ମୂଳକୁ ନ ଯାଇ ଏପରି ନିରପରାଧ ଲୋକଙ୍କୁ ଜିଏସଟି ଠକେଇ ମାମଲାରେ ନୋଟିସ୍ ଜାରି କରୁଛନ୍ତି। ଏଭଳି ଠକେଇ ଘଟଣା ପଛରେ କେଉଁମାନେ ରହୁଛନ୍ତି ତାହା ତଦନ୍ତ କରାଯିବା ଉଚିତ। ‌ଦୁଇ ଓଳି ଖାଇବାକୁ ଠିକ୍ ଭାବେ ପାଉ ନଥିବା ଲୋକଙ୍କ ନାଁରେ କେମିତି କମ୍ପାନି ଖୋଲା ଯାଇଛି ତାହା ଅଧିକାରୀମାନେ ଖୋଜି ବାହାର କରିବା ଦରକାର।

ଏଥି ସହିତ ଯୋଜନାବଦ୍ଧ ଭାବେ ଏପରି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଠାବ କରାଯାଇ ସେମାନଙ୍କୁ ଦଣ୍ଡିତ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ। ଏଥି ସହିତ ଯେଉଁ ସରକାରୀ ଅଧିକାରୀ ଏପରି ଘଟଣାର ଉପଯୁକ୍ତ ତଦନ୍ତ ନ କରି ଗରିବ ଓ ସାଧାରଣ  ଲୋକଙ୍କୁ ନୋଟିସ୍ ଜାରି ହଇରାଣ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଘଟଣାର ସିବିଆଇ ତଦନ୍ତ ହେଲେ ସତ କଥା ପଦାକୁ ଆସିବି। ତେଣୁ ଏଭଳି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ଅର୍ଥ ବିଭାଗ, ସିଟି ଜିଏସଟି କମିସନର, ସିବିଆଇ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।      ‌

ସମ୍ବନ୍ଧିତ ଖବର