ରାଉରକେଲା: ବକେୟା ଟିକସ କମାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ରାଉରକେଲାସ୍ଥ କେନ୍ଦ୍ରୀୟ ଜିଏସ୍‌ଟି କାର୍ଯ୍ୟାଳୟର ଜଣେ ଅଧିକାରୀ ସିବିଆଇ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଉଛନ୍ତି ରାଉରକେଲା-୬ କଲୁଙ୍ଗା ଜିଏସ୍‌ଟି ରେଞ୍ଜ୍‌ର ସୁପରିନ୍‌ଟେଣ୍ଡେଣ୍ଟ୍‌ ଅମରକାନ୍ତ କୁମାର ହିମାଂଶୁ। ସଂଧ୍ୟାରେ ସିବିଆଇ ଟିମ୍‌ ଅମରେନ୍ଦ୍ରଙ୍କୁ ଭୁବନେଶ୍ବର ନେଇଯାଇଛନ୍ତି। ସୂଚନା ଅନୁସାରେ, ଜଣେ ଠିକାଦାରଙ୍କ ୮ ଲକ୍ଷ ଟଙ୍କା ଜିଏସ୍‌ଟି ବକେୟା ଥିବା ଦର୍ଶାଯାଇଥିଲା। ତେବେ, ସମ୍ପୃକ୍ତ ଠିକାଦାର ତ୍ରୁଟିପୂର୍ଣ୍ଣଭାବେ ଅତ୍ୟଧିକ ପରିମାଣର ଜିଏସ୍‌ଟି ଦର୍ଶାଯାଇଥିବା ସୁପରିନ୍‌ଟେଣ୍ଡେଣ୍ଟ୍‌ ଅମରକାନ୍ତଙ୍କୁ ଅବଗତ କରିଥିଲେ। ଅମରକାନ୍ତ ୫୦ ହଜାର ଟଙ୍କାଦେଲେ ବକେୟା ପରିମାଣକୁ ସାଢ଼େ ୩ ଲକ୍ଷକୁ ହ୍ରାସ କରିବାକୁ ଠିକାଦାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଠିକାଦାର ଜଣକ ଏକାସାଙ୍ଗରେ ୫୦ ହଜାର ଟଙ୍କା ଲାଞ୍ଚ ଦେବାକୁ ନିଜର ଅସମର୍ଥ୍ୟତା ପ୍ରକାଶ କରିବାରୁ ସେ ଦୁଇଟି କିସ୍ତିରେ ଲାଞ୍ଚ ନେବାକୁ ରାଜି ହୋଇଥିଲେ।

Advertisment

ଅପରପକ୍ଷରେ, ବାରମ୍ବାର ଲାଞ୍ଚ ମାଗି ହଇରାଣ ହରକତ କରିବାରୁ ଠିକାଦାର ସିବିଆଇର ଦ୍ବାରସ୍ଥ ହୋଇଥିଲେ। ପରେ ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଭୟ ଭୁବନେଶ୍ବର ଓ ରାଉରକେଲା ସିବିଆଇ ଟିମ୍‌ ଜାଲ ବିଛାଇଥିଲେ। ଗୁରୁବାର ପୂର୍ବାହ୍ନରେ ଠିକାଦାରଙ୍କଠାରୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ନେଉଥିବାବେଳେ ସିବିଆଇ ଟିମ୍‌ ଅମରକାନ୍ତଙ୍କୁ କାବୁ କରିନେଇଥିଲେ। ଏହାପରେ ସିବିଆଇ ଏକ ମାମଲା ରୁଜୁ କରିବାସହ ତାଙ୍କ କାର୍ଯ୍ୟାଳୟ, ବାସଗୃହରେ ଛାନ୍‌ଭିନ୍‌ କରିଥିବା ଜଣାପଡ଼ିଛି।